ଫୁଲବାଣୀ, ୨୭/୧୦ : ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଏଥିସହ ଦୋଷୀକୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ଅଦାଲତ। ଅଭିଯୁକ୍ତ ଜଣକ ହେଲେ ଫୁଲବାଣୀ ସଦର ଥାନା ସାଇନପଡା ଗ୍ରାମର ରିତିକ ଦିଗାଲ(୧୯) ।

ନାବାଳିକା(୧୫) ଜଣକ ଫୁଲବାଣୀର ଏକ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିଲେ । ଅଭିଯୁକ୍ତ ରିତିକ ୨୦୨୪ ନଭେମ୍ବର ୨୧ରେ ନାବାଳିକାଙ୍କୁ ଏକ ବାଇକରେ ବସାଇ ନିଜ ମାମୁଁ ଘରକୁ ନେଇ ଯାଇଥିଲା ଏବଂ ସେଠାରେ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନ ପାଇବା ପରେ ସଦର ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାର ଶୁଣାଣୀ କରି ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ବିଚାରପତି ୧୭ ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟକୁ ଆଧାର କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତି ପୁରଣ ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ ।