କଟକ, ୧୯/୦୮: ସହକାରୀ ବନ ସଂରକ୍ଷକ ଅଧିକାରୀ (ଏସିଏଫ)  ପଦ ଲାଗି ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ  ହୋଇଥିବା ୯ ଜଣ ପ୍ରାର୍ଥୀଙ୍କ ହାଇବ୍ଲଡ୍‌ ପ୍ରେସର୍‌ ବା ଉଚ୍ଚ ରକ୍ତଚାପ ଥିବା କାରଣରୁ ସେମାନଙ୍କୁ ଫିଜିକାଲ ପରୀକ୍ଷା ଦେବାରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ବଞ୍ଚିତ କରିଥିଲେ । ଏହାକୁ ବିରୋଧ କରି ରୁଜୁ ମାମଲାରେ ହାଇକୋର୍ଟ ସୋମବାର ଓପିଏସ୍‌ସିର ଏଭଳି ଆଦେଶକୁ ରଦ୍ଦ  କରି ଦେଇଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ ଏଭଳି ନିୟମ ନଥିବାରୁ ଉଚ୍ଚ ରକ୍ତଚାପ କାରଣରୁ କୌଣସି ପ୍ରାର୍ଥୀଙ୍କୁ ପରୀକ୍ଷା  ସୁଯୋଗରୁ ବଞ୍ଚିତ କରାଯାଇପାରିବ  ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।  

ଓପିଏସ୍‌ସିର ଏଭଳି ଆଦେଶ ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ଦେବାଶିଷ ଦାସ ଏବଂ ଅନ୍ୟମାନଙ୍କ  ପକ୍ଷରୁ ଆଗତ ମାମଲାର ବିଚାର କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର ତାଙ୍କ  ରାୟରେ କହିଛନ୍ତି । ତେବେ ଆବେଦନକାରୀମାନେ ଫିଜିକାଲ୍‌ ପରୀକ୍ଷା ଦେବା ପୂର୍ବରୁ  ସେମାନଙ୍କର ବ୍ଲଡ୍‌ ପ୍ରେସର୍‌ ଠିକ୍‌ ଅଛି କି’ ନାହିଁ ସେ ସଂପର୍କିତ ଏକ ଡାକ୍ତରୀ ରିପୋର୍ଟ  ଓପିଏସ୍‌ସି ନିକଟରେ ଦାଖଲ କରିବେ । ଯଦି ଡାକ୍ତରୀ ରିପୋର୍ଟରେ ରକ୍ତଚାପ ସ୍ୱାଭାବିକ  ଥାଏ ତାହେଲେ କର୍ତ୍ତୃପକ୍ଷ ସେମାନଙ୍କୁ ଫିଜିକାଲ ଟେଷ୍ଟ ପାଇଁ ଅନୁମତି ପ୍ରଦାନ କରିବେ  ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ ଏହି ଆଦେଶ କପି ପାଇବାର ଚାରି  ସପ୍ତାହ ମଧ୍ୟରେ ଓପିଏସ୍‌ସି କର୍ତ୍ତୃପକ୍ଷ ଆବେଦନକାରୀଙ୍କ ଫିଜିକାଲ ଟେଷ୍ଟ୍‌ କରିବେ । ଯଦି  ଆବେଦନକାରୀମାନେ ଏଥିରେ କୃତକାର୍ଯ୍ୟ ହୁଅନ୍ତି ତାହେଲେ ସେମାନଙ୍କୁ ପରବର୍ତ୍ତୀ ପରୀକ୍ଷା  ପାଇଁ ଅନୁମତି ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି । 

ସୂଚନା ଥାଉ କି, ୨୦୨୩ ମେ’ରେ ଓପିଏସ୍‌ସି ପକ୍ଷରୁ ୪୫ଟି ଏସିଏଫ୍‌ ଏବଂ ୧୩୧ଟି  ଫରେଷ୍ଟ ରେଞ୍ଜର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆବେଦନକାରୀମାନେ  ଏସିଏଫ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଗତ ଜୁଲାଇରେ ଫିଜିକାଲ୍‌ ଟେଷ୍ଟ୍‌  ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ପରୀକ୍ଷା ପୂର୍ବରୁ ଆବେଦନକାରୀଙ୍କର ବ୍ଲଡ୍‌ ପ୍ରେସର ଯାଞ୍ଚ୍‌  କରାଯାଇଥିଲା । ତେବେ ୯ଜଣ ପ୍ରାର୍ଥୀଙ୍କ ରକ୍ତଚାପ ଅଧିକ ଥିବାରୁ ସେମାନଙ୍କୁ ଫିଜିକାଲ  ଟେଷ୍ଟ ପାଇଁ ଅନୁମତି ଦିଆଗଲା ନାହିଁ । ସେମାନେ ଏହି ପରୀକ୍ଷାରୁ ବାଦ୍‌ ପଡ଼ିବାରୁ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

ମାମଲାର ଶୁଣାଣି ଅବସରରେ ଓପିଏସ୍‌ସି ଜବାବରେ ଦର୍ଶାଇଥିଲା ଯେ, ବିଭିନ୍ନ  ପରୀକ୍ଷାରେ ଅନେକ ପ୍ରାର୍ଥୀ ଫିଜିକାଲ୍‌ ଟେଷ୍ଟ ବା ଦୌଡ଼ିବା ବେଳେ ଅସୁସ୍ଥ ହୋଇଯାଉଛନ୍ତି ।  କେତେକ କ୍ଷେତ୍ରରେ ପ୍ରାର୍ଥୀଙ୍କ ଜୀବନ ଚାଲିଯିବାର ବି ନଜିର ରହିଛି । ତେଣୁ ଫିଜିକାଲ ଟେଷ୍ଟ  ପୂର୍ବରୁ ପ୍ରାର୍ଥୀମାନଙ୍କର ବ୍ଲଡ୍‌ ପ୍ରେସର ମପାଯାଇ ଅନୁମତି ଦିଆଯାଉଛି । ଆବେଦନକାରୀ  ଏହାର ବିରୋଧ କରିଥିଲେ । ଉଭୟପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ତାଙ୍କ ରାୟରେ  କହିଛନ୍ତି ଯେ, ଯେହେତୁ ନିଯୁକ୍ତି ଗାଇଡ୍‌ଲାଇନ୍‌ରେ ପ୍ରାର୍ଥୀଙ୍କର ବ୍ଲଡ୍‌ ପ୍ରେସର ଅଧିକ  ଥିଲେ ପରୀକ୍ଷା ଦେଇପାରିବେ ନାହିଁ ବୋଲି ଉଲ୍ଲେଖ କରାଯାଇନାହିଁ ତେଣୁ ନିଯୁକ୍ତି ସଂସ୍ଥା  ମନମୁଖୀ ଭାବେ ଏଭଳି କରିପାରିବେ ନାହିଁ । ଏହି ଆଧାରରେ ହାଇକୋର୍ଟ ଓପିଏସ୍‌ସିର  ଆଦେଶକୁ ରଦ୍ଦ କରି ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ରଥ  ମାମଲା ପରିଚାଳନା କରୁଥିଲେ ।