ପାରଳାଖେମୁଣ୍ଡି, ୧୨/୦୯: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା। ପୂର୍ବତନ ଡିଏଫ୍‌ଓ ସଂଗ୍ରାମ ବେହେରା  ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଜାମିନ୍‌ ବିହୀନ ପରୱାନା (ଏନ୍‌ବିଡବ୍ଲୁ) ଜାରି  ହେବା ସତ୍ତେ୍ୱ ଉଭୟ କୋର୍ଟରେ ହାଜର  ହେଉନାହାନ୍ତି । ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ  ନେଇ ପରିବାର ୱାନ୍‌ସିସି କେସ୍‌ କରିଥିଲେ । ଏହି କେସ୍‌ର ବିଚାର ପାରଳାଖେମୁଣ୍ଡି  ଏସ୍‌ଡିଜେଏମ୍‌ କୋର୍ଟରେ ଚାଲିଥିବା ବେଳେ  ଡିଏଫ୍‌ଓ ବେହେରା ଓ ରୋଷେୟା କୁମ୍ଭ ହାଜର  ହୋଇନଥିଲେ । ଯାହାଫଳରେ ସେମାନଙ୍କ  ବିରୋଧରେ ଗତ ଅଗଷ୍ଟ ୧୪ରେ ଏନ୍‌ବିଡବ୍ଲୁ  ଜାରି କରିଥିଲେ କୋର୍ଟ । ପରବର୍ତ୍ତୀ ବିଚାର ପାଇଁ  ଆଜି (ଗୁରୁବାର) ଧାର୍ଯ୍ୟ ହୋଇଥିଲା । ଆଜି  ବି ଉଭୟ କୋର୍ଟରେ ହାଜର ହୋଇନାହାନ୍ତି ।  

ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୧୨ରେ  ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ  ପୋଡ଼ି ହୋଇ ଏସିଏଫ୍‌ ସୈାମ୍ୟରଞ୍ଜନ  ମହାପାତ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ  ହୋଇଥିଲା । ସୌମ୍ୟଙ୍କୁ ହତ୍ୟା କରାଯାଇଥିବା  ନେଇ ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ  ପରିବାର । ଘଟଣାରେ ସ୍ତ୍ରୀ ବିଦ୍ୟା ଭାରତୀ,  ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା  ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ମାମଲା ବିଚାରାଧୀନ ରହିଛି।