ଭୁବନେଶ୍ବର, ୨୦।୨ : କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ  ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେବାକୁ କିଟ୍ ପ୍ରତିଷ୍ଠାତା  ଅଚ୍ୟୁତ ସାମନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହାଜର ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଶୁକ୍ରବାର  ସଂଧ୍ୟା ସାଢ଼େ ୬ଟାରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ କୁହାଯାଇଛି। 

 କିଟ୍  ବିଶ୍ବବିଦ୍ୟାଳୟରେ ପଢୁଥିବା ନେପାଳର  ଛାତ୍ରଛାତ୍ରୀଙ୍କ ସହ ଘଟିଥିବା ଘଟଣାର ପୁଙ୍ଖାନପୁଙ୍ଗ ତଦନ୍ତ ପାଇଁ  ସରକାର  ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିରେ ଗୃହ ବିଭାଗର ଅତିରିକ୍ତ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ, ଉଚ୍ଚଶିକ୍ଷା ସଚିବ କମିଟିର ସଦସ୍ୟ ରହିଛନ୍ତି । ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ତଥ୍ୟ ଅନୁସନ୍ଧାନ କମିଟିର  ରିପୋର୍ଟକୁ  ଆଧାର କରି ଉପଯୁକ୍ତ ଆଇନଗତ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ଉକ୍ତ କମିଟି ବୁଧବାର କିଟ୍ କ୍ୟାମ୍ପସ ପରିଦର୍ଶନ କରିଥିଲେ।  ହଷ୍ଟେଲରେ ଥିବା ନେପାଳର ଛାତ୍ରଛାତ୍ରୀ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ବିସ୍ତୁତ ଆଲୋଚନା କରିଥିଲେ । ନେପାଳର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଓ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ବିଷୟରେ   କମିଟି ତଦାରଖ କରିଥିଲା।  

 ଗତ ୧୬ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ବି.ଟେକ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ ମିଳିଥିଲା। ହଷ୍ଟେଲ୍‌ ରୁମ୍‌ର ଏକ ଫ୍ୟାନ୍‌ରୁ ପ୍ରକୃତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଏହାକୁ ନେଇ  କଲେଜରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୁକ୍ତକୁ ଗିରଫ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଶ୍ୱବିଦ୍ୟାଳୟରେ ପଢୁଥିବା ନେପାଳୀ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ । ଫଳରେ  ବିଶ୍ୱବିଦ୍ୟାଳୟକୁ କର୍ତ୍ତୃପକ୍ଷ ସାଇନ୍‌ ଏ ଡାଏ ଘୋଷଣା କରିଥିଲେ। କର୍ତ୍ତୃପକ୍ଷ ସମସ୍ତ ଛାତ୍ରଛାତ୍ରୀଙ୍କୁ ବସ୍‌ ଯୋଗ ଷ୍ଟେସନ୍‌କୁ ପଠାଇ ଦେଇଥିଲେ। ଏସବୁ ଘଟଣା ପରେ ମାମଲା ତୀବ୍ର ରୂପ ନେଇଥିଲା।