ମୁମ୍ବାଇ ୧୮/୧୨: ହିନ୍ଦୀ ସିନେଶିଳ୍ପରେ ପ୍ରତିବର୍ଷ ତିଆରି ହୁଏ ଭିନ୍ନ ଭିନ୍ନ ସ୍ୱାଦର ଶତାଧିକ ସିନେମା । ସେଗୁଡ଼ିକ ମଧ୍ୟରୁ କିଛି ପାରିବାରିକ ତ କିଛି ହାସ୍ୟରସ ଆଧାରିତ । ପୁଣି କେତେକ ସିନେମାର ମୁଖ୍ୟ ଉପଜୀବ୍ୟ ପ୍ରେମ କାହାଣୀ ତ ଆଉ କିଛି ସିନେମାର କଥାବସ୍ତୁରେ ଦେଖିବାକୁ ମିଳେ ସତ କାହାଣୀ । ଏସବୁ ମଧ୍ୟରେ ଆକ୍ସନଧର୍ମୀ କାହାଣୀର ଚାହିଦା ମଧ୍ୟ କିଛି କମ୍ ନୁହେଁ । ଅନେକ ଦର୍ଶକ ତ ଚାହିଁ ବସିଥାନ୍ତି ଆକ୍ସନ ଭରପୂର ସିନେମାକୁ । ଏ ବର୍ଷ ମଧ୍ୟ ପ୍ରେକ୍ଷାଳୟକୁ ଆସିଛି ବେଶ୍ କେତୋଟି ଆକ୍ସନରେ ଭରପୂର ଫିଲ୍ମ ।

ଦେବରା :
ଆକ୍ସନ ଭର୍ତ୍ତି ଫିଲ୍ମ କଥା ଯେତେବେଳେ ଆଲୋଚନା କରୁଛେ, ତା’ହେଲେ ଜୁନିଅର ଏନ୍ଟିଆର୍ ଓ ସୈଫ ଅଲ୍ଲୀ ଖାନ ଅଭିନୀତ ‘ଦେବରା’କୁ ତାଲିକାର ପ୍ରଥମ ସ୍ଥାନରେ ସ୍ଥାନିତ କରିବା ଉଚିତ ହେବ । ଏ ଫିଲ୍ମରେ ଉଭୟ କଳାକାରଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଥିଲା । ତେଲୁଗୁ, ତାମିଲ ଓ ହିନ୍ଦୀ - ତିନି ଭାଷାରେ ନିର୍ମିତ ଏ ଫିଲ୍ମ ସେପ୍ଟେମ୍ବର ୨୭ରେ ଆସିଥିଲା ପ୍ରେକ୍ଷାଳୟକୁ ।

ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ :
ଥଲପତି ବିଜୟଙ୍କ ଫିଲ୍ମ ‘ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’ ମଧ୍ୟ ଭରପୂର ଆକ୍ସନ ଥିବା ଚଳଚ୍ଚିତ୍ର । ଫିଲ୍ମରେ ବିଜୟଙ୍କ ବ୍ୟତୀତ ପ୍ରଭୁ ଦେବା, ପ୍ରଶାନ୍ତ ତ୍ୟାଗରାଜନ, ମୋହନ, ଜୟରାମ, ଆଜମଲ ଆମୀର ପ୍ରମୁଖ ଦେଖିବାକୁ ମିଳିଥିଲେ । ସେପ୍ଟେମ୍ବର ୫, ୨୦୨୪ରେ ସିନେମାଘରକୁ ଆସିଥିଲା ଏ ସିନେମା ।

କଲ୍କି ୨୮୯୮ ଏଡି :
ଏ ଫିଲ୍ମରେ ନଜର ଆସିଥିଲେ ପ୍ରଭାସ, ଦୀପିକା ପାଦୁକୋନ ଓ ଅମିତାଭ ବଚ୍ଚନ । ଦର୍ଶକ ଏ ଫିଲ୍ମକୁ ଖୁବ୍ ପସନ୍ଦ କରିଥିଲେ ଓ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା । ଏଥିରେ ପ୍ରଭାସ ଖୁବ୍ ଆକ୍ସନ ଦୃଶ୍ୟ କରିଥିବା ଦେଖିବାକୁ ମିଳିଥିଲା । ଦିଶା ପାଟନି, କମଲ୍ ହାସନ, ଦୁଲ୍କର ସଲ୍ମାନ ମଧ୍ୟ ଏଥିରେ ନଜର ଆସିଥିଲେ । ନାଗ ଅଶ୍ୱିନ ନିର୍ଦ୍ଦେଶିତ ଏ ସିନେମା ଜୁନ୍ ୨୭ରେ ରିଲିଜ ହୋଇଥିଲା ।

ସିଂଘମ୍ ଏଗେନ୍ :
ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ସିଂଘମ୍ ଏଗେନ୍’ ଏକ ମଲ୍ଟିଷ୍ଟାରର୍ ଫିଲ୍ମ ଥିଲା । ଏଥିରେ ଅଜୟ ଦେବଗନଙ୍କ ସହିତ ଅକ୍ଷୟ କୁମାର, ଟାଇଗର ଶ୍ରଫ, ରଣବୀର ସିଂହ ଓ ଅର୍ଜୁନ କପୁର ପ୍ରମୁଖ ବିଭିନ୍ନ ଆକ୍ସନ ଦୃଶ୍ୟରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ନଭେମ୍ବର ପହିଲାରେ ପ୍ରେକ୍ଷାଳୟକୁ ଆସିଥିଲା ‘ସିଂଘମ୍ ଏଗେନ୍’ ।