ମୁମ୍ବାଇ ୨୫/୦୧: ଅଭିନେତା କମଲ ଆର ଖାନ ପ୍ରାୟତଃ ତାଙ୍କ ବିବାଦୀୟ ଟ୍ୱିଟ୍ ଏବଂ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏଥର, ସେ ତାଙ୍କ ଟ୍ୱିଟ୍ କିମ୍ବା ବୟାନ ପାଇଁ ନୁହେଁ, ବରଂ ଗୁଳିକାଣ୍ଡ ଘଟଣା ପାଇଁ ଚର୍ଚ୍ଚାରେ। ପୁଲିସ ଓଶିୱାରା ଗୁଳିକାଣ୍ଡ ମାମଲାରେ କମଲ ଆର ଖାନଙ୍କୁ ଅଟକ ରଖିଛି। ଗତକାଲି ତାଙ୍କୁ ବାନ୍ଦ୍ରାର ଏକ କୋର୍ଟରେ ହାଜର କରାଯାଇଥିଲା। ଅଧିକ ତଦନ୍ତ ପାଇଁ କୋର୍ଟ ତାଙ୍କୁ ଜାନୁଆରୀ ୨୭ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି।
କେଆରକେଙ୍କର କୋର୍ଟରୁ ବାହାରକୁ ବାହାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ତାଙ୍କ ମୁହଁରେ କଳା କପଡା ଘୋଡାଇଥିବାର ଦେଖିବାକୁ ମିଳୁଛି। ତାଙ୍କୁ ଦୁଇଜଣ ପୋଲିସ ଅଧିକାରୀ ଧରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ଏକ ଭ୍ୟାନରେ ନିଆଯାଇଛି।
ଆହୁରି ପଢନ୍ତୁ...ଓଶିୱାରା ଫାୟାରିଂକୁ ନେଇ ପୁଲିସର ଆକ୍ସନ୍, ଅଭିନେତା କେଆର୍କେ ଗିରଫ
ତେବେ ବାନ୍ଦ୍ରା କୋର୍ଟରେ କମଲ କହିଛନ୍ତି, "ମୁଁ ସେହି ବ୍ୟକ୍ତିଙ୍କୁ ଜାଣିନାହିଁ। ସେ ମୋର ପରିଚିତ ନୁହଁନ୍ତି। ମୋର ଗୁଳି ଚଳାଇବାର କୌଣସି ଉଦ୍ଦେଶ୍ୟ ନଥିଲା। ମୁଁ ଫେସବୁକରେ ମନ୍ତବ୍ୟ ଦେଉଥିବାରୁ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ ମୋତେ ଟାର୍ଗେଟ କରୁଛନ୍ତି। ମୋର ଏକ ଲାଇସେନ୍ସ ଅଛି। ମୁଁ ଜଣେ ଜଣାଶୁଣା ବ୍ୟବସାୟୀ। ମୁଁ ଗତ ୩୦-୩୫ ବର୍ଷ ଧରି ମୁମ୍ବାଇରେ ଅଛି। ମୁଁ ଖସିଯିବାର କୌଣସି ସମ୍ଭାବନା ନାହିଁ।" କମଲଙ୍କ ଦାବି ଯେ ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କୁ ଭୁଲ ଭାବରେ ଟାର୍ଗେଟ କରୁଛି।
ଅନ୍ୟପକ୍ଷରେ କମଲଙ୍କ ଓକିଲ ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି, “ଆମେ କୋର୍ଟକୁ କହିଛୁ ଯେ ନାଳନ୍ଦା ବିଲଡିଂ ଏବଂ କମଲ ଆର ଖାନଙ୍କ ବଙ୍ଗଳା ମଧ୍ୟରେ ୪୦୦ ମିଟର ଦୂରତା । ପୁଲିସ ଜବତ କରିଥିବା ପିସ୍ତଲଟି ତାଙ୍କର ଲାଇସେନ୍ସପ୍ରାପ୍ତ ବନ୍ଧୁକ, ଯାହାର ରେଞ୍ଜ ୨୦ ମିଟରରୁ ଅଧିକ ନୁହେଁ। କମଲଙ୍କର ଗୁଳିମାଡ଼ ଘଟଣା ସହିତ କୌଣସି ସମ୍ପର୍କ ନାହିଁ।"