ମୁମ୍ବାଇ ୨୩/୧୨: ୨୦୨୫ରେ ଅଭିନେତ୍ରୀ ଅଦା ଶର୍ମାଙ୍କର କୌଣସି ଫିଲ୍ମ ପରଦାକୁ ଆସିନାହିଁ । କିନ୍ତୁ ସୋସିଆଲ ମିଡିଆ ଉପସ୍ଥିତି ଜରିଆରେ ସେ ନିଜ ଫ୍ୟାନ୍‌ଙ୍କ ମନୋରଞ୍ଜନ କରିବାରେ ଆଦୌ ହେଳା କରିନାହାନ୍ତି । ଏକ ଗଣମାଧ୍ୟମ ସହ ଆଲୋଚନାରେ ଏ ବର୍ଷ ତାଙ୍କର କେମିତି କଟିଲା, ସେ ବିଷୟରେ ଅଦା କହିଛନ୍ତି ।

​​​​​​​

ତାଙ୍କ କହିବା ଅନୁସାରେ, ୨୦୨୫ ତାଙ୍କ ପାଇଁ ଡ୍ରାମା, କମେଡି, ହରର୍‌ ଏବଂ ଦମ୍‌ଦାର ଟ୍ୱିଷ୍ଟ୍‌ରେ ଭରପୂର ଥିଲା । ବାର୍ତ୍ତାଳାପରେ ଅଦା ଏକ ବଡ଼ ଖୁଲାସା କରିଛନ୍ତି । କହିଛନ୍ତି, ଗତ ୫ ବର୍ଷ ହେଲା ସେ ଏକ ଏଆଇ ଚରିତ୍ର ପ୍ରସ୍ତୁତ କରୁଛନ୍ତି, ଯାହା ଠିକ୍‌ ତାଙ୍କ ଭଳି ଦିଶୁଛି ଓ କଥା କହୁଛି । ନିକଟରେ ତାଙ୍କ ତରଫରୁ ଏକ ସମ୍ମାନ ଗ୍ରହଣ ଲାଗି ଏଆଇକୁ ସେ ପଠାଇଥିଲେ । ତାକୁ କେହି ଚିହ୍ନି ପାରିଲେ ନାହିଁ । ସମସ୍ତେ ପ୍ରକୃତ ଅଦା ଶର୍ମା ବୋଲି ଭାବିଲେ । ଚଳିତ ବର୍ଷ ନିଜର ଏକ ଫିଲ୍ମରେ ନିଜ ଏଆଇ ଚରିତ୍ରକୁ ଡେବ୍ୟୁ କରାଇବା ତାଙ୍କର ଇଚ୍ଛା ଥିଲା । କିନ୍ତୁ ଆସନ୍ତା ବର୍ଷ ସୁଦ୍ଧା ତାଙ୍କ ଇଚ୍ଛା ଅପୂର୍ଣ୍ଣ ରହିବ ବୋଲି କହିଛନ୍ତି । ଆସନ୍ତା ବର୍ଷ ‘ଫ୍ରାଙ୍କେନ୍‌ଷ୍ଟିନ୍‌’ ଶୀର୍ଷକ ଫିଲ୍ମରେ ଅଦା ନଜର ଆସିବେ ।