ନୂଆଦିଲ୍ଲୀ,୨୪।୧: ଗୌତମ ଆଦାନୀ ଗ୍ରୁପ୍‌କୁ ବଡ଼ ଝଟକା।  ଆଦାନୀ ଗ୍ରୀନ୍‌ ଏନର୍ଜି ସହ ଶ୍ରୀଲଙ୍କା ୪୪୦ ମିଲିୟନ ଡଲାର ପାଓ୍ବାର ପରଚେଜ୍ ଡିଲ୍‌କୁ ରଦ୍ଦ କରିଦେଇଛି। ସେଭଳି ଏହି ପ୍ରୋଜେକ୍ଟର ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଏହି ଖବର ଭିତରେ ଶୁକ୍ରବାର ଆଦାନୀ ଗ୍ରୁପର ଲିଷ୍ଟେଡ୍‌ ଅଧିକାଂଶ କମ୍ପାନୀର ସେୟାର ଖୁବ୍ ହ୍ରାସ୍ ଘଟିଛି।

ଶ୍ରୀଲଙ୍କାର ଲିଡିଂ ବିଜନେସ୍‌ ନ୍ୟୁଜ ପେପର ଡେଲି ଏଫ୍‌ଟିର ଏକ ରିପୋର୍ଟରେ କୁହାଯାଇଛି ଯେ, ଦେଶର ରାଷ୍ଟ୍ରପତି ଅନୁରା କୁମାରା ଡିସନାୟକେଙ୍କ ନେତୃତ୍ବରେ କ୍ୟାବିନେଟ୍‌ ଆଦାନୀ ଗ୍ରୁପ୍‌କୁ ବଡ଼ ଝଟକା ଦେଇଛି। କ୍ୟାବିନେଟ୍ ମନ୍ନାରା ଓ ପୁନାରିନ୍‌ରେ ଓ୍ବିଣ୍ଡ ଏନର୍ଜି ପ୍ଲାଣ୍ଟ ନିର୍ମାଣର କନଟ୍ରାକ୍ଟ ଆଦାନୀ ଗ୍ରୀନ୍‌ ଏନର୍ଜୀ ଏସ୍‌ଏଲ ଲିମିଟେଡ୍‌କୁ ଦେବାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛି। ଏହା ସହ ପାଓ୍ବାର ପରଚେଜ୍ ଏଗ୍ରିମେଣ୍ଟ ରଦ୍ଦ ହୋଇଯାଇଛି। 

ଉଲ୍ଲେଖନୀୟ ଯେ, ବର୍ତ୍ତମାନର ରାଷ୍ଟ୍ରପତି ନିଜର ନିର୍ବାଚନ ଅଭିଯାନ ସମୟରେ ପ୍ରତିଶୃତି ଦେଇଥିଲେ ଏହି ଡିଲ୍‌କୁ ରଦ୍ଦ କରିବେ।   କେବଳ ସେତିକି ନୁହେଁ ଶ୍ରୀଲଙ୍କାରେ ଓ୍ବିଣ୍ଡ ଏନର୍ଜିର ବିକାଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଟ୍ରେଡର୍ସଙ୍କୁ ଆମନ୍ତ୍ରିତ କରିବେ। ସେ ନିଜର ପ୍ରତିଶୃତି ପାଳନ କରି ୩୦ ଡିସେମ୍ବରରେ କ୍ୟାବିନେଟ୍‌କୁ ଏହି ଡିଲ୍ ରଦ୍ଦ କରିବାକୁ ନିଷ୍ପତ୍ତି ନେବାକୁ ରାଜି କରାଇଥିଲେ। ଗୁରୁବାର ବଜାର ବନ୍ଦ ହେବାପରେ ଆଦାନୀ ଗ୍ରୀନ୍ ଏନର୍ଜି ନିଜର FY25 ର ତୃତୀୟ ତ୍ରୟମାସିକ ଆର୍ଥିକ ଫଳାଫଳ ଜାରି କରିଛି। କମ୍ପାନୀର ପରିଚାଳନାରୁ ମିଳିଥିବା କନସୋଲିଡେଟେଡ୍ ରେଭିନ୍ୟୁ ବାର୍ଷିକ ଆଧାରରେ ୨.୩୩% ବଢି ୨,୩୬୫ କୋଟି ହୋଇଯାଇଛି, ଯାହାକି Q3 FY24 ରେ ୨,୩୧୧ କୋଟି ଥିଲା। ସେଭଳି ପ୍ରଫିଟ୍ ଆଫ୍ଟର ଟ୍ୟାକ୍ସରେ ୮୫%ବାର୍ଷିକ ବୃଦ୍ଧି ହୋଇଯାଇଛି। ଏହି ଲାଭ ୪୭୪ କୋଟି ଟଙ୍କା ରହିଛି, ଯାହାକି ଗତ ବର୍ଷ ସମାନ ତ୍ରୟମାସିକରେ ୨୫୬ କୋଟି ଥିଲା।