ନୂଆଦିଲ୍ଲୀ,୨୪/୦୭: ଏସିଆନ୍ ଡେଭଲପ୍ମେଣ୍ଟ ବ୍ୟାଙ୍କ(ଏଡିବି) ୨୦୨୫- ୨୬ ଆର୍ଥିକବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ଅନୁମାନକୁ ଖସାଇଛି । ଆଲୋଚ୍ୟ ଆର୍ଥିକବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୫% ବଢ଼ିବ ବୋଲି ଏହା ପୂର୍ବାନୁମାନ କରିଛି । ପୂର୍ବରୁ ୬.୭% ଅନୁମାନ କରିଥିଲା ଏଡିବି । ଜୁଲାଇ ୨୩ରେ ଜାରି ହୋଇଥିବା ଏସିଆନ୍ ଡେଭଲପ୍ମେଣ୍ଟ୍ ଆଉଟ୍ଲୁକ୍ ରିପୋର୍ଟରେ ଏହା କୁହାଯାଇଛି ।
ତେବେ ଏସବୁ ସତ୍ତେ୍ୱ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ଏହାର ମାନ୍ୟତା ବଜାୟ ରଖିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆମେରିକା ଟାରିଫ୍ ଏବଂ ନୀତିଗତ ଅନିଶ୍ଚିତତା କାରଣରୁ ରପ୍ତାନି ଏବଂ ନିବେଶ ପ୍ରଭାବିତ ହେବା ଆଶଙ୍କା ଯୋଗୁ ଭାରତର ଅଭିବୃଦ୍ଧି ଅନୁମାନକୁ ସଂଶୋଧିତ କରିଛି ଏଡିବି ।
ତେବେ ଏଡିବି ଅନୁସାରେ, ମଜଭୁତ ଘରୋଇ ଚାହିଦା, ଉତ୍ତମ ମୌସୁମୀ, ସେବା ଏବଂ କୃଷି କ୍ଷେତ୍ରର ଉନ୍ନତ ପ୍ରଦର୍ଶନ ଭାରତୀୟ ଅର୍ଥବ୍ୟବସ୍ଥାକୁ ଦିଗ ପ୍ରଦାନ କରୁଛି । ଏହାବ୍ୟତୀତ ଏଡିବି ୨୦୨୬-୨୭ ପାଇଁ ବି ଅଭିବୃଦ୍ଧି ଅନୁମାନକୁ ୬.୮%ରୁ ଖସାଇ ୬.୭% କରିଛି ।
ଏହାସତ୍ତେ୍ୱ ଭାରତର ଅର୍ଥବ୍ୟବସ୍ଥା ମଜଭୁତ ରହିଛି । କାରଣ ଗ୍ରାମୀଣ ଚାହିଦାରେ ସୁଧାର ଏବଂ ସେବା କ୍ଷେତ୍ରରେ ଦ୍ରୁତ ବୃଦ୍ଧି ଅର୍ଥନୀତିକୁ ବଳ ପ୍ରଦାନ କରୁଛି । ଏଡିବି ପ୍ରକାଶ କରିଛି ଯେ, ଭାରତର ଆର୍ଥିକ ଗତିବିଧି ମଜଭୁତ ରହିଛି ଏବଂ ଗ୍ରାମୀଣ ଚାହିଦାରେ ବୃଦ୍ଧି ଯୋଗୁ ଘରୋଇ ଚାହିଦା ବଢ଼ିବ ।
ରିପୋର୍ଟରେ କୁହାଯାଇଛି ଯେ, ୨୦୨୫- ୨୬ରେ ଭାରତୀୟ ଅର୍ଥବ୍ୟବସ୍ଥାକୁ କୃଷି ଏବଂ ସେବା କ୍ଷେତ୍ରରୁ ବଡ଼ ସମର୍ଥନ ମିଳିବ । ଏ ବର୍ଷ ମୌସୁମୀ ୬% ଭଲ ରହିବା ଅନୁମାନ ଅଛି, ଯାହାଦ୍ୱାରା ଫସଲ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ୪%ରୁ ଅଧିକ ବଢ଼ିପାରେ । ଏହାଦ୍ୱାରା ଗ୍ରାମୀଣ ଆୟ ବଢ଼ିବ, ଯାହା ଚାହିଦାକୁ ବଢ଼ାଇବ ।
ଏହାବ୍ୟତୀତ ଅଶୋଧିତ ତୈଳ ଦର ନିମ୍ନ ସ୍ତରରେ ରହିବା ଦ୍ୱାରା ୨୦୨୫-୨୬ ଏବଂ ୨୦୨୬-୨୭ରେ ଆର୍ଥିକ ଗତିବିଧିକୁ ବଳ ମିଳିବ। ସରକାରଙ୍କ ନୀତି, ଯେପରି ଟିକସ ରିହାତି ଏବଂ ସାର୍ବଜନିକ ନିବେଶରେ ବୃଦ୍ଧି ବି ବିକାଶକୁ ତ୍ୱରାନ୍ୱିତ କରିବ ।
ପ୍ରକାଶଯୋଗ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ୨୦୨୫-୨୬ ପାଇଁ ବିକାଶ ଅନୁମାନକୁ ୬.୭% ରୁ ଖସାଇ ୬.୫% କରିଛି । ନିକଟରେ ଆର୍ବିଆଇ ଏହାର ପ୍ରମୁଖ ସୁଧ ହାର ରେପୋରେଟ୍କୁ ୫୦ ବେସିସ୍ ପଏଣ୍ଟ୍ ଖସାଇ ୫.୫% କରିଛି । ଅର୍ଥନୀତିରେ ଚାହିଦା ବଢ଼ାଇବା ଏହାର ଲକ୍ଷ୍ୟ । ବିଶ୍ୱ ବ୍ୟାପାରରେ ଏବେ ଅସ୍ଥିରତା ଦେଖିବାକୁ ମିଳୁଛି । ଆମେରିକାର ଟାରିଫ୍ ଭାରତର ରପ୍ତାନିକୁ ପ୍ରଭାବିତ କରିପାରେ । ବିଶ୍ୱ ବିକାଶ ହାର ୨୦୨୫ରେ ୨.୩% ପର୍ଯ୍ୟନ୍ତ ଖସିବାର ଆଶଙ୍କା ରହିଛି, ଯାହା ୨୦୦୮ ପରେ ସବୁଠୁ କମ୍ । ବିଶ୍ୱ ବ୍ୟାଙ୍କ ବି ୨୦୨୫-୨୬ ପାଇଁ ଭାରତର ଅଭିବୃଦ୍ଧି ଅନୁମାନକୁ ୬.୩% ରଖିଛି । ସେହିଭଳି ଆଇଏମ୍ଏଫ୍ ୬.୨% ଅନୁମାନ କରିଛି ।