ନୂଆଦିଲ୍ଲୀ,୨୪/୦୭: ଏସିଆନ୍‌  ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ୨୦୨୫- ୨୬ ଆର୍ଥିକବର୍ଷ ପାଇଁ ଭାରତର ଜିଡିପି  ଅଭିବୃଦ୍ଧି ଅନୁମାନକୁ ଖସାଇଛି । ଆଲୋଚ୍ୟ  ଆର୍ଥିକବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୫%  ବଢ଼ିବ ବୋଲି ଏହା ପୂର୍ବାନୁମାନ କରିଛି । ପୂର୍ବରୁ ୬.୭% ଅନୁମାନ କରିଥିଲା ଏଡିବି ।  ଜୁଲାଇ ୨୩ରେ ଜାରି ହୋଇଥିବା ଏସିଆନ୍‌  ଡେଭଲପ୍‌ମେଣ୍ଟ୍‌ ଆଉଟ୍‌ଲୁକ୍‌ ରିପୋର୍ଟରେ ଏହା  କୁହାଯାଇଛି । 

ତେବେ ଏସବୁ ସତ୍ତେ୍ୱ ଭାରତ ବିଶ୍ୱର  ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା  ଭାବେ ଏହାର ମାନ୍ୟତା ବଜାୟ ରଖିବ ବୋଲି  ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆମେରିକା  ଟାରିଫ୍‌ ଏବଂ ନୀତିଗତ ଅନିଶ୍ଚିତତା କାରଣରୁ  ରପ୍ତାନି ଏବଂ ନିବେଶ ପ୍ରଭାବିତ ହେବା ଆଶଙ୍କା  ଯୋଗୁ ଭାରତର ଅଭିବୃଦ୍ଧି ଅନୁମାନକୁ  ସଂଶୋଧିତ କରିଛି ଏଡିବି ।  

ତେବେ ଏଡିବି ଅନୁସାରେ, ମଜଭୁତ  ଘରୋଇ ଚାହିଦା, ଉତ୍ତମ ମୌସୁମୀ, ସେବା  ଏବଂ କୃଷି କ୍ଷେତ୍ରର ଉନ୍ନତ ପ୍ରଦର୍ଶନ ଭାରତୀୟ ଅର୍ଥବ୍ୟବସ୍ଥାକୁ ଦିଗ ପ୍ରଦାନ କରୁଛି ।  ଏହାବ୍ୟତୀତ ଏଡିବି ୨୦୨୬-୨୭ ପାଇଁ  ବି ଅଭିବୃଦ୍ଧି ଅନୁମାନକୁ ୬.୮%ରୁ ଖସାଇ  ୬.୭% କରିଛି । 

ଏହାସତ୍ତେ୍ୱ ଭାରତର  ଅର୍ଥବ୍ୟବସ୍ଥା ମଜଭୁତ ରହିଛି । କାରଣ ଗ୍ରାମୀଣ  ଚାହିଦାରେ ସୁଧାର ଏବଂ ସେବା କ୍ଷେତ୍ରରେ  ଦ୍ରୁତ ବୃଦ୍ଧି ଅର୍ଥନୀତିକୁ ବଳ ପ୍ରଦାନ କରୁଛି ।  ଏଡିବି ପ୍ରକାଶ କରିଛି ଯେ, ଭାରତର ଆର୍ଥିକ  ଗତିବିଧି ମଜଭୁତ ରହିଛି ଏବଂ ଗ୍ରାମୀଣ  ଚାହିଦାରେ ବୃଦ୍ଧି ଯୋଗୁ ଘରୋଇ ଚାହିଦା  ବଢ଼ିବ ।  

ରିପୋର୍ଟରେ କୁହାଯାଇଛି ଯେ, ୨୦୨୫- ୨୬ରେ ଭାରତୀୟ ଅର୍ଥବ୍ୟବସ୍ଥାକୁ କୃଷି ଏବଂ  ସେବା କ୍ଷେତ୍ରରୁ ବଡ଼ ସମର୍ଥନ ମିଳିବ । ଏ  ବର୍ଷ ମୌସୁମୀ ୬% ଭଲ ରହିବା ଅନୁମାନ  ଅଛି, ଯାହାଦ୍ୱାରା ଫସଲ ଉତ୍ପାଦନ ପୂର୍ବ  ବର୍ଷ ତୁଳନାରେ ୪%ରୁ ଅଧିକ ବଢ଼ିପାରେ ।  ଏହାଦ୍ୱାରା ଗ୍ରାମୀଣ ଆୟ ବଢ଼ିବ, ଯାହା ଚାହିଦାକୁ  ବଢ଼ାଇବ । 

ଏହାବ୍ୟତୀତ ଅଶୋଧିତ ତୈଳ ଦର  ନିମ୍ନ ସ୍ତରରେ ରହିବା ଦ୍ୱାରା ୨୦୨୫-୨୬  ଏବଂ ୨୦୨୬-୨୭ରେ ଆର୍ଥିକ ଗତିବିଧିକୁ ବଳ  ମିଳିବ। ସରକାରଙ୍କ ନୀତି, ଯେପରି ଟିକସ  ରିହାତି ଏବଂ ସାର୍ବଜନିକ ନିବେଶରେ ବୃଦ୍ଧି ବି  ବିକାଶକୁ ତ୍ୱରାନ୍ୱିତ କରିବ ।  

ପ୍ରକାଶଯୋଗ୍ୟ, ଭାରତୀୟ ରିଜର୍ଭ  ବ୍ୟାଙ୍କ(ଆର୍‌ବିଆଇ) ୨୦୨୫-୨୬  ପାଇଁ ବିକାଶ ଅନୁମାନକୁ ୬.୭% ରୁ ଖସାଇ ୬.୫% କରିଛି । ନିକଟରେ  ଆର୍‌ବିଆଇ ଏହାର ପ୍ରମୁଖ ସୁଧ  ହାର ରେପୋରେଟ୍‌କୁ ୫୦ ବେସିସ୍‌  ପଏଣ୍ଟ୍‌ ଖସାଇ ୫.୫% କରିଛି ।  ଅର୍ଥନୀତିରେ ଚାହିଦା ବଢ଼ାଇବା  ଏହାର ଲକ୍ଷ୍ୟ ।  ବିଶ୍ୱ ବ୍ୟାପାରରେ ଏବେ  ଅସ୍ଥିରତା ଦେଖିବାକୁ ମିଳୁଛି । ଆମେରିକାର  ଟାରିଫ୍‌ ଭାରତର ରପ୍ତାନିକୁ ପ୍ରଭାବିତ କରିପାରେ । ବିଶ୍ୱ ବିକାଶ ହାର ୨୦୨୫ରେ  ୨.୩% ପର୍ଯ୍ୟନ୍ତ ଖସିବାର ଆଶଙ୍କା ରହିଛି,  ଯାହା ୨୦୦୮ ପରେ ସବୁଠୁ କମ୍‌ । ବିଶ୍ୱ ବ୍ୟାଙ୍କ  ବି ୨୦୨୫-୨୬ ପାଇଁ ଭାରତର ଅଭିବୃଦ୍ଧି  ଅନୁମାନକୁ ୬.୩% ରଖିଛି । ସେହିଭଳି  ଆଇଏମ୍‌ଏଫ୍‌ ୬.୨% ଅନୁମାନ କରିଛି ।