ଭୁବନେଶ୍ବର,୧୧।୧୧ : ରାଜ୍ୟ ସରକାରୀ ମହିଳା କର୍ମଚାରୀଙ୍କୁ ଅତିରିକ୍ତ ସାମୟିକ ଛୁଟି ମିଳିବ। ବର୍ଷକୁ ୧୨ ଦିନର ଅତିରିକ୍ତ ସାମୟିକ ଛୁଟି ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମାସକୁ ଗୋଟିଏ ଦିନ ହିସାବରେ ଏହାକୁ ମହିଳା କର୍ମଚାରୀ ନେଇ ପାରିବେ।
ମହିଳାମାନଙ୍କ ମାସିକ ଋତୁସ୍ରାବ ସମୟରେ ହେଉଥିବା ଶାରୀରିକ ଅସୁବିଧାକୁ ବିଚାରକୁ ନେଇ ରାଜ୍ୟ ସରକାର ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ପ୍ରଚଳିତ ୧୦ ଦିନର ସାମୟିକ ଛୁଟି ଓ ୫ ଦିନର ସ୍ବତନ୍ତ୍ର ସାମୟିକ ଛୁଟି ବ୍ୟତୀତ ୧୨ ଦିନର ଅତିରିକ୍ତ ସାମୟିକ ଛୁଟି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ଅତିରିକ୍ତ ସାମୟିକ ଛୁଟିକୁ ମହିଳା କର୍ମଚାରୀମାନେ ୫୫ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ନେଇପାରିବେ। ସେହିପରି ଗୋଟିଏ ମାସର ଛୁଟି ଉକ୍ତ ମାସ ଭିତରେ ନେବାକୁ ପଡିବ। ଅଣ-ଉପଲବ୍ଧ ଛୁଟି ପରବର୍ତ୍ତି ମାସରେ ନେଇ ପାରିବେ ନାହିଁ।