ଭୁବନେଶ୍ୱର,୦୭/୧୨: ଶନିବାର ପବିତ୍ର ଓଢ଼ଣ ଷଷ୍ଠୀ ପର୍ବ । ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମେତ ଦେବୀ ପାର୍ବତୀ, ଗୋପାଳୁଣୀ, ସାବିତ୍ରୀ, ନୃସିଂହ, ଶ୍ରୀ ଗଣେଶ, କାର୍ତ୍ତିକେଶ୍ୱର, ନାରାୟଣ, ଚଣ୍ଡେଶ୍ୱର, ବିନ୍ଧ୍ୟବାସିନୀ, କେଦାରେଶ୍ୱର, ଡାକରା ବିଭିଷଣେଶ୍ୱର, ବାସୁଦେବ ଏବଂ ବୃଷଭଙ୍କଠାରେ ଲାଗିହେବା କଥା ଶୀତ ବସ୍ତ୍ର(ଓଢ଼ଣ) । କିନ୍ତୁ ଶୀତବସ୍ତ୍ର ପବିତ୍ରକରଣ ନିମନ୍ତେ ଉର୍ଦ୍ଦିଷ୍ଟ ଅଧିବାସ(ପ୍ରାକ୍ ପୂଜା ନୀତି)ଦ୍ୱନ୍ଦ୍ୱ ଦୂର ନ ହେବାରୁ ଆଜି ଦେବଦେବୀଙ୍କ ଏହି ମହାନ ପରମ୍ପରା ହେବା ନେଇ ଅନିଶ୍ଚିତତା ଦେଖାଦେଇଛି । ଅଧିବାସ ହେବ କି ନାହିଁ ବଡୁ ଏବଂ ପୂଜାପଣ୍ଡା ନିଯୋଗ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି । ଏ ନେଇ ବାରମ୍ବାର ମନ୍ଦିର କାର୍ଯ୍ୟାଳୟ ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସେବାୟତ ପ୍ରତିନିଧି, ପାଳିଆ ସେବାୟତ ଓ କାର୍ଯ୍ୟାଳୟ କର୍ମଚାରୀମାନେ ବୈଠକରେ ଆଲୋଚନା କରିଥିଲେ । କିନ୍ତୁ ନିସ୍କର୍ଷ ନ ବାହାରିବାରୁ ପ୍ରସଙ୍ଗକୁ ଟ୍ରଷ୍ଟ ବୋର୍ଡରେ ଆଲୋଚନା କରାଯିବ ବୋଲି ଛାଡି ଦିଆଯାଇଛି ।
ଅନ୍ୟପକ୍ଷରେ ପୂଜାପଣ୍ଡା ନିଯୋଗ ପକ୍ଷରୁ ଦୁଇଥର ମନ୍ଦିର କାର୍ଯ୍ୟାଳୟ ଓ ଦେବୋତ୍ତର କମିସନରଙ୍କ ଉଦ୍ଦେଶ୍ୟରେ ଚେତାବନୀ ଚିଠି ଲେଖାଯାଇଛି । ଦୁଇ ଚିଠିରେ ଅଧିବାସ ପୂଜା ହେବ କି ନାହିଁ ସ୍ପଷ୍ଟ ନ କଲେ ଓଢଣ ଷଷ୍ଠୀ ଦିନର ପହିଲା ନୀତି(ମଙ୍ଗଳ ଆଳତୀ)ବଢିବାରେ ସହଯୋଗ ନ କରିବାକୁ କୁହାଯାଇଛି । ଶୁକ୍ରବାର(ଦ୍ୱିତୀୟ) ଚିଠିରେ ୮ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ଲୋଡିଥିବା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି ।
ସେ କହିଛନ୍ତି, କିଛିବର୍ଷ ପୂର୍ବେ ଏହି ନୀତି ଶ୍ରୀକ୍ଷେତ୍ର ପରିକା ଗୋଟିଏ ଦିନ ଆଗରୁ ଅର୍ଥାତ ମାର୍ଗଶୀର ଶୁକ୍ଳ ପଞ୍ଚମୀ ତିଥିରେ ସମ୍ପାଦନ କରାଯିବା ବିଷୟ ମନ୍ଦିରର ୱେବସାଇଟରେ ଉଲ୍ଲେଖ ରହିଛି । କିନ୍ତୁ ଅଧିବାସ ପରର ବସ୍ତ୍ର ରଖିବା ଲାଗି ପର୍ଯ୍ୟାପ୍ତ ଜାଗା ଅଭାବ ଥିବାରୁ ଏହା ବିଗତ କିଛିବର୍ଷ ହେଲା ଗୋଟିଏ ଦିନରେ ଅର୍ଥାତ ଠିକ ଓଢଣ ଷଷ୍ଠୀ ଦିନ କରାଯାଉଛି । ତେଣୁ ଆମକୁ ଠାକୁରଙ୍କ ନିମନ୍ତେ ଉର୍ଦ୍ଦିଷ୍ଟ ସେବା ପୂଜାର ଅଧିକାର ନ ମିଳିଲେ ଆମେ କୌଣସି ପ୍ରକାରେ ଆଜିର ସେବାରେ ଯୋଗ ଦେବୁ ନାହିଁ । ଏ ବାବଦରେ ସହକାରୀ ଦେବୋତ୍ତର କମିସନର ଶିଶିର କୁମାର ସାହୁ କହିଛନ୍ତି, ଆମେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକରୀଙ୍କ ସହ ଆଲୋଚନା କରି ଯାହା ସମ୍ଭବ ନିଷ୍ପତ୍ତି ନେବୁ।