ଫିରିଙ୍ଗିଆ,୪/୧୦ ଫିରିଙ୍ଗିଆ ବ୍ଲକ  ବନ୍ଧଗଡ଼ ପଞ୍ଚାୟତ ମଣିପଦର ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ଚୟନକୁ କେନ୍ଦ୍ର କରି ତାଲା ପକାଇ ଦେଇଥିଲେ ଗ୍ରାମବାସୀ ।ଦୁଇ ଦୁଇ ଥର ପ୍ରଶାସନ ସହିତ ଆଲୋଚନା ପରେ ମଧ୍ୟ କୌଣସି ସମାଧାନ ହୋଇ ପାରି ନଥିଲା। ତେବେ ପିଲାଙ୍କ ଅସୁବିଧା ହେଉଥିବା ଦୃଷ୍ଟିରୁ ସୋମବାର ସୁଦ୍ଧା ତାଲା ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆ ଯାଇଥିଲା। ଗ୍ରାମବାସୀ ଏଥିରେ ରାଜି ନହେବାରୁ ବିଡିଓ ଅନୁପ ଅଭିଷେକ ବେହେରା,ଓ ତସିଲ ଦାର ଜୋତି ପ୍ରକାଶ ସେଠୀ ସିଡିପିଓ ନିବେଦିତା ପ୍ରଧାନ ଓ ସବ ଇନ୍ସପେକ୍ଟର ଅଜୟ କୁମାର ସାହୁଙ୍କ ଉପସ୍ଥିତିରେ କେନ୍ଦ୍ରର ତାଲା ଖୋଲାଯାଇଛି।

ତେବେ ଅଙ୍ଗନବାଡି ସହାୟିକା ଛତୁଆ ନେବା ପାଇଁ ଗାଁର ମହିଳା ମାନଙ୍କୁ ଡାକିବାରୁ ସେମାନେ ମନା କରି ଦେଇଥିଲେ। ଲୋକଙ୍କ ଇଚ୍ଛା ବିରୋଧରେ କେନ୍ଦ୍ରର ତାଲା ଜବରଦସ୍ତ ଖୋଲା ଯାଇ ଥିବାରୁ ପ୍ରଶାସନକୁ ସହଯୋଗ କରାଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ପରେ ଗ୍ରାମରେ ଏକ ବୈଠକ ବସି ଗ୍ରାମବାସୀଙ୍କ ଦାବୀ ମାନି ଉପଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆ ନ ଯିବା ପର୍ଯ୍ୟନ୍ତ ଅଙ୍ଗନବାଡିକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷେ, ବିଡ଼ିଓ କହିଛନ୍ତି, ପ୍ରଶାସନର ନିଷ୍ପତ୍ତି ଅନୁସାରେ କେନ୍ଦ୍ରର ତାଲା ଖୋଲାଯାଇଛି।ଯଦି ଗ୍ରାମବାସୀଙ୍କ କୌଣସି ଅଭିଯୋଗ ଥାଏ ତେବେ ସେମାନେ ଜିଲାପାଳଙ୍କୁ ଏ ନେଇ ଅବଗତ କରନ୍ତୁ।