ଜଗତସିଂହପୁର,୧୭/୦୮: କିଛି ମାସ ତଳେ ବାଲିକୁଦାର ସାଲସାର ଆଗ୍ରୋ ପ୍ରଡକ୍ଟ ରାଇସ ମିଲ୍‌ରୁ ଜବତ ୧୬୫୨ କ୍ୱିଣ୍ଟାଲ ଚାଉଳ ନିଲାମ କରିବାକୁ ଯାଉଛି ପ୍ରଶାସନ । ନିଲାମ ନିମନ୍ତେ ସୋମବାର ସମୟ ଧାର୍ଯ୍ୟ ହୋଇଛି । ଜଗତସିଂହପୁର ଏଡିଏମ(ସାଧାରଣ)ଙ୍କ ଅଫିସରେ ଏହି ଚାଉଳ ନିଲାମ ହେବ ବୋଲି  ସୂଚନା ରହିଛି । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନୋଟିସ୍‌ ମଧ୍ୟ ଜାରି ହୋଇଛି । ଜବତ ଚାଉଳର ମୂଲ୍ୟ କ୍ୱିଣ୍ଟାଲ ପିଛା ୪,୨୩୮ ଟଙ୍କା ଧାର୍ଯ୍ୟ କରାଯାଇଛି । 

ସୂଚନା ଥାଉକି, ଚଳିତ ବର୍ଷ ଧାନ ସଂଗ୍ରହରେ ସାଲସାର ମିଲକୁ ସାମିଲ କରାଯାଇଥିଲା । କିନ୍ତୁ ଉକ୍ତ ରାଇସ ମିଲ୍ ମଣ୍ଡି ପରିବର୍ତ୍ତେ ସିଧାସଳଖ ଚାଷୀଙ୍କ ଠାରୁ ଧାନ କିଣିଥିବା ଅଭିଯୋଗ ହୋଇଥିଲା । ଯାହା ପରେ ପ୍ରଶାସନ ରାଇସ୍ ମିଲ୍ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ କିଛି ଅନିୟମିତତା ହୋଇଥିବା ସନ୍ଦେହରେ ବାଲିକୁଦା ଥାନାରେ ଏତଲା ଦେଇଥିଲେ । ବର୍ତ୍ତମାନ ଉକ୍ତ ମିଲ୍‌ରୁ ଜବତ ହୋଇଥିବା ଚାଉଳକୁ ପ୍ରଶାସନ ନିଲାମ କରିବାକୁ ଯାଉଛି ।