​​​​​​​ହରଭଙ୍ଗା, ୨୧।୧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତୁକୁଲୁଣ୍ଡା ମୌଜାର 'କୋହ୍ଲ ସାହି'ରେ ପହଞ୍ଚିଛି ପ୍ରଶାସନିକ ଟିମ୍।  "ଆଦିମତାର ଅନ୍ଧକାରରେ କୋଲ୍ହ ପ୍ରସଙ୍ଗ ପ୍ରଶାସନ ପକ୍ଷରୁ ପଦକ୍ଷେପ" ପ୍ରମେୟରେ   ଖବର ପ୍ରସାରଣ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଗାଁରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି।

ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ଥିବା କୋହ୍ଲ ସାହିର ଦୁଃଖ ଦେଖାଇଥିଲା ପ୍ରମେୟ ନ୍ୟୁଜ୍ ଆଉ ଏହି ଖବର ପ୍ରସାରଣ ପରେ ଆଜି ସକାଳୁ ସକାଳୁ ହରଭଙ୍ଗା ବିଡ଼ିଓ, ତହସିଲଦାର, ସ୍ଥାନୀୟ ସରପଞ୍ଚ ଏବଂ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚିଛନ୍ତି। ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହ ଡାକ୍ତରୀ ଦଳ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଜଣେ ଗୁରୁତର ଗ୍ରାମବାସୀଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଛନ୍ତି। ଖାଲି ସ୍ୱାସ୍ଥ୍ୟ ସେବା ନୁହେଁ, ଗ୍ରାମବାସୀଙ୍କୁ ସରକାରୀ ପରିଚୟ ପ୍ରଦାନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଜମି ପଟା, ଭୋଟର କାର୍ଡ, ଆଧାର କାର୍ଡ ଓ ରାସନ କାର୍ଡ କରାଇବା ପାଇଁ ତହସିଲଦାର ଓ ବିଡ଼ିଓ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗାଁର କୋମଳମତି ଶିଶୁଙ୍କୁ ନିକଟସ୍ଥ ତୁକୁଳୁଣ୍ଡା ଅଙ୍ଗନବାଡ଼ି ଓ ସ୍କୁଲରେ ନାମ ଲେଖାଇବା ପାଇଁ ବ୍ୟବସ୍ଥା କରାଯାଉଛି। ସମସ୍ତ ସରକାରୀ ଜନକଲ୍ୟାଣକାରୀ ଯୋଜନା ଯେପରି ଏହି ଲୋକଙ୍କ ପାଖରେ ପହଞ୍ଚିବ, ସେନେଇ ପ୍ରଶାସନ ପ୍ରତିଶ୍ରୁତି ଦେଇଛି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ଆମେ ସମସ୍ତେ ଗାଁରେ ପହଞ୍ଚିଛୁ। ଲୋକଙ୍କର ଆଧାର କାର୍ଡ, ରାସନ କାର୍ଡ ଓ ପଟା ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରାଯାଇଛି ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି । ଅନ୍ୟପଟେ ଯଥା ସମ୍ଭବ ସମସ୍ତ ଯୋଜନା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।