ବ୍ରହ୍ମପୁର, ୧୮/୧୦:  ଆଇନଜୀବୀ ତଥା ବିଜେପି ନେତା  ପୀତବାସ ପଣ୍ଡା ହତ୍ୟା ମାମଲାକୁ ୧୨ ଦିନ  ପୂରିଛି । ଏହି ଘଟଣାର ରହସ୍ୟ ଖୁବ୍‌ଶୀଘ୍ର  ଲୋକଲୋଚନକୁ ଆସିବ ବୋଲି ଆଶା  କରାଯାଉଛି । ବିହାର ଅପରାଧୀଙ୍କୁ ଜେରା କରିବା ପରେ ବ୍ରହ୍ମପୁର ମହାନଗର ନିଗମର ଜଣେ କର୍ପୋରେଟରଙ୍କୁ  ପୁଲିସ ଉଠାଇ ନେଇଥିବା କୁହାଯାଉଛି । କର୍ପୋରେଟରଙ୍କ ସହ ବିହାରୀ ଅପରାଧୀଙ୍କ କ’ଣ ଲିଙ୍କ୍‌ ରହିଛି ତାହା  ଖୋଳତାଡ଼ ଚାଲିଛି । ପୀତବାସଙ୍କୁ ହତ୍ୟା  ପଛରେ ବାଲିଘାଟ ବିବାଦ, କୋର୍ଟ  ବାହାରେ ଜମିଜମା ବିବାଦର ସମାଧାନ  କିମ୍ବା ପୂର୍ବ ଶତ୍ରୁତା ବୋଲି ସନ୍ଦେହ  କରାଯାଉଥିଲା । ଏବେ କର୍ପୋରେଟରଙ୍କୁ  ପୁଲିସ ଉଠାଇନେବା ପରେ ହତ୍ୟା  ଘଟଣା ଅଲଗା ଦିଗରେ ଯାଉଥିବା ଚର୍ଚ୍ଚା  ହେଉଛି । କର୍ପୋରେଟରଙ୍କ ସହ ଅନ୍ୟ  କାହାର ସମ୍ପର୍କ ରହିଛି ତାହାର ମଧ୍ୟ  ତଥ୍ୟ ଖୋଜୁଛି ପୁଲିସ ।  

ପୀତବାସଙ୍କ ହତ୍ୟାକୁ ନେଇ ଗତକାଲି ପୁଲିସ ଡିଜି ଯୋଗେଶ  ବାହାଦୁର ଖୁରାନିଆ ଖୁବ୍‌ଶୀଘ୍ର ଖୁଲାସା  ହେବ ବୋଲି କଟକରେ ଗଣମାଧ୍ୟମକୁ  ସୂଚନା ଦେଇଥିବାବେଳେ ପୁଲିସ ବିଭିନ୍ନ  ତଥ୍ୟକୁ ଆଧାର କରି ଆଉ କିଛି ଲୋକଙ୍କୁ  ତଦନ୍ତ ପରିସର କରିଥିବା ସୂଚନା ମିଳିଛି ।  କର୍ପୋରେଟର ଓ ଅନ୍ୟ ସନ୍ଦିଗ୍ଧମାନଙ୍କୁ  ଅଜ୍ଞାତ ଜାଗାରେ ରଖି ପୁଲିସ ଜେରା କରୁଥିବାବେଳେ ଶନିବାର ଏହାର  ଖୁଲାସା ହେବ ବୋଲି ଆଶା କରାଯାଉଛି ।  ପୁଲିସ କିଛି ଗାଡ଼ି ମଧ୍ୟ ଜବତ କରିଥିବା  ସୁରାକ୍‌ ମିଳିଛି । ଅନ୍ୟପକ୍ଷରେ ବିହାର,  ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ଥିବା ପୁଲିସ  ଟିମ୍‌ ସନ୍ଦିଗ୍ଧମାନଙ୍କୁ ନେଇ ବ୍ରହ୍ମପୁରରେ  ପହଞ୍ଚିଥିବା ଜଣାପଡ଼ିଛି । ଗୋଟିଏ ରିଚାର୍ଜ  ଦୋକାନରୁ ଜଣେ ଅପରାଧୀ ୟୁପିଆଇ  ଜରିଆରେ ବିହାର ଟଙ୍କା ପଠାଇଥିଲା ।  ୟୁପିଆଇ ଟ୍ରାଞ୍ଜାକସନ୍‌ ବିହାର ଲିଙ୍କ୍‌  ଧରାପକାଇଥିବାବେଳେ ଜଣକ ପରେ  ଜଣେ ଅଭିଯୁକ୍ତ ପଦାକୁ ଆସୁଥିବା  ସୂଚନା ମିଳିଛି । ସେପଟେ ହତ୍ୟା  ଘଟଣା ଉପରୁ ପରଦା ହଟି ନ ଥିବାରୁ  ଆଜି ତାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ  ତାଙ୍କ ଆତ୍ମୀୟମାନେ ଅସନ୍ତୋଷ ପ୍ରକାଶ  କରିଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା  ସୂଚନା ପ୍ରକାରେ, ପୀତବାସଙ୍କୁ ହତ୍ୟା  କରିବାକୁ କିଛି ହାଇପ୍ରୋଫାଇଲ୍‌ ବ୍ୟକ୍ତି  ଯୋଜନା କରିଥିଲେ । ଦିଗପହଣ୍ଡି ଥାନା  ଅଞ୍ଚଳରେ ହତ୍ୟା, ହତ୍ୟା ଉଦ୍ୟମ  ଓ ଅନ୍ୟାନ୍ୟ ଅପରାଧିକ ମାମଲା  ସହ ଜଡ଼ିତ ଅପରାଧୀ ଏଥିରେ  ସମ୍ପୃକ୍ତ ଥିବା କୁହାଯାଉଥିବାବେଳେ  ବର୍ତ୍ତମାନ ପର୍ଯ୍ୟନ୍ତ ସେହି ସନ୍ଦିଗ୍ଧ  ଧରାପଡ଼ି ନ ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ୨୦୨୫ ଅକ୍ଟୋବର  ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ  ଆଇନଜୀବୀ ପୀତବାସ ପଣ୍ଡା ଏସ୍‌ଏନ୍‌ଟି  ରୋଡ଼ରେ ଥିବା ତାଙ୍କ ବ୍ୟକ୍ତିଗତ ଚାମ୍ବରରୁ  ଫେରି ନୂଆ ବସ୍‌ଷ୍ଟାଣ୍ଡ୍‌ରେ ଥିବା ଭୂପତି  ହୋଟେଲକୁ ଯାଇଥିଲେ । ସେଠାରୁ ଖାଦ୍ୟ  ପାର୍ସଲ ନେଇ ଘରକୁ ଯାଉଥିବା ବେଳେ  ରାତି ୯ଟା ୫୮ରେ ବୈକୁଣ୍ଠନଗର  ବୁଲାଣିରେ ତାଙ୍କୁ ଗୁଳି କରି ହତ୍ୟା  କରିଥିଲେ ଦୁର୍ବୃତ୍ତ । ଅପରାଧୀମାନେ  ଘଟଣାର ପୂର୍ବରୁ ମଧ୍ୟ ସେହି ସ୍ଥାନକୁ  ଆସି ତାଙ୍କ କ୍ରାଇମ୍‌ ପ୍ଲାନ୍‌ ପ୍ରସ୍ତୁତ କରି  ରଖିଥିଲେ । କୁମାରପୂର୍ଣ୍ଣିମାରେ ସେମାନେ ସୁବିଧା ଦେଖି ପୀତବାସଙ୍କୁ ହତ୍ୟା  କରିଥିଲେ । ଏହି ହତ୍ୟାକାଣ୍ଡର ତଦନ୍ତ  ପାଇଁ ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜିଲ୍ଲାର  ବଛା ବଛା ପୁଲିସ ଅଧିକାରୀ ନିୟୋଜିତ  ହୋଇଛନ୍ତି । ଖୁବ୍‌ଶୀଘ୍ର ଘଟଣାର  ଖୁଲାସା ହେବା ଆଶା କରାଯାଉଛି ।