ବ୍ରହ୍ମପୁର,୧୭/୧୦: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାର ରହସ୍ୟ ଖୋଲିବାରେ ଲାଗିଛି । ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ପୁଲିସ ସନ୍ଦେହ କରୁଛି । ତେବେ ସମସ୍ତ ଅପରାଧୀଙ୍କୁ ଜେରା ପରେ ହିଁ ଘଟଣାର ଖୁଲାସା ହେବା ଅନୁମାନ କରାଯାଉଛି । ଗୋଟିଏ ୟୁପିଆଇ ଟ୍ରାଞ୍ଜାକ୍ସନ୍ ପୁଲିସକୁ ବିହାର ଲିଙ୍କ୍ ଦେଇଥିଲା ବୋଲି ଜଣାଯାଇଛି । ବିହାରର ଜଣେ ବ୍ୟକ୍ତି ବ୍ରହ୍ମପୁରର ଗୋଟିଏ ରିଚାର୍ଜ ଦୋକାନରୁ ୟୁପିଆଇ ଜରିଆରେ ୯ ହଜାର ୫ଶହ ଟଙ୍କା ଘରକୁ ପଠାଇଥିଲେ । ଏହି ଟ୍ରାଞ୍ଜାକ୍ସନ ଆଧାରରେ ପୁଲିସ ଅପରାଧୀଙ୍କ ସମ୍ପର୍କରେ ଖୋଳତାଡ଼ କରିଛି । ୪ ଜଣଙ୍କୁ ବିହାରରୁ କାବୁ କରିଛି ।
ତଦନ୍ତରେ ଜଣାଯାଇଥିଲା ଯେ, ଘଟଣାର ୨୦ ଦିନ ପୂର୍ବରୁ ବିହାରର ଏକାଧିକ ବ୍ୟକ୍ତି ବ୍ରହ୍ମପୁର ଆସି ଗଜପତିନଗରରେ ଜଣକ ଘରେ ଆଶ୍ରୟ ନେଇଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ଉଠାଇ ଜେରା କରୁଥିବା ଜଣାପଡ଼ିଛି । ବିହାରରେ ନିର୍ମିତ କାଟା ବନ୍ଧୁକରେ ଗୁଳି କରାଯାଇଥିବା ଏବେ ପୁଲିସ ତଦନ୍ତରେ ଜଣାପଡ଼ୁଥିବା ବେଳେ ବିହାରରୁ ଆସିଥିବା ଉକ୍ତ ଅପରାଧୀ ବନ୍ଧୁକ ନେଇ ବ୍ରହ୍ମପୁର ଆସିଥିବା ଜଣାଯାଉଛି । ସେପଟେ ହତ୍ୟା ଘଟଣାକୁ ନେଇ କଟକରେ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ କହିଛନ୍ତି, ପୁଲିସ ସଫଳ ହୋଇଛି । ଅତି ଶୀଘ୍ର କେସ୍ର ଖୁଲାସା ହେବ ଏବଂ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଏଣୁ ଅପରାଧୀ ଖୁବ୍ ଶୀଘ୍ର ଧରାପଡ଼ିବା ନେଇ ସାଧାରଣରେ ଆଶା ପ୍ରକାଶ ପାଇଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୀତବାସଙ୍କୁ ହତ୍ୟା ଷଡ଼ଯନ୍ତ୍ରକାରୀମାନେ ଦିଗପହଣ୍ଡି ଥାନା ଅଞ୍ଚଳରେ ହତ୍ୟା, ହତ୍ୟା ଉଦ୍ୟମ ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତ ଜଣେ ଅପରାଧୀକୁ ସୁପାରି ଦେଇଥିଲେ । ସମ୍ପୃକ୍ତ ଅପରାଧୀ ବିହାରରେ ରହୁଥିବା ତାଙ୍କ ସହଯୋଗୀଙ୍କୁ ଯୋଗାଯୋଗ କରିଥିଲେ । ସେମାନେ ବିହାରରୁ କାଟା ବନ୍ଧୁକ ଆଣି ଗଜପତି ନଗରରେ ରହୁଥିଲେ । ସେପ୍ଟେମ୍ବର ୧୨ ତାରିଖରେ ଅପରାଧୀମାନେ ପୀତବାସଙ୍କ ଘର ଖୋଜି ଯାଇଥିଲେ । ସେମାନେ ସ୍ଥାନୀୟ କିଛି ଲୋକଙ୍କୁ ମଧ୍ୟ ପୀତବାସଙ୍କ ଘର ସମ୍ପର୍କରେ ପଚାରିଥିବା କୁହାଯାଉଛି । ସେହିଦିନ ହିଁ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଏକ ମୋବାଇଲ୍ ଭାଉଚର୍ ରିଚାର୍ଜ ଦୋକାନକୁ ଦୁଇ ଜଣ ଯାଇଥିଲେ । ଦୋକାନୀଙ୍କୁ ୧୦ ହଜାର ଟଙ୍କା ଦେଇ ୯ ହଜାର ୫ ଶହ ଟଙ୍କା ବିହାରରେ ତାଙ୍କ ମାଆ ପାଖକୁ ପଠାଇ ଦେବାକୁ ଜଣେ କହିଥିଲେ ।
ଅପରାଧୀମାନେ ୧୩ ତାରିଖରେ ମଧ୍ୟ ପୀତବାସଙ୍କ ଘର ଚାରି ପାଖରେ ଚକ୍କର କାଟିଥିବା ସିସିଟିଭି ଫୁଟେଜ୍ରେ ଜଣାପଡ଼ୁଛି । ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରିବା ବେଳେ ଅପରାଧୀ ରିଚାର୍ଜ ଦୋକାନକୁ ଯାଇଥିବା ଜଣାପଡ଼ିଥିଲା । ଦୋକାନୀଙ୍କୁ ସନ୍ଦେହ କରି ଜେରା କରିବାବେଳେ ଦୁଇ ଜଣ ଯୁବକ ଆସି ତାଙ୍କୁ ଟଙ୍କା ପଠାଇଦେବାକୁ କହିଥିଲେ ବୋଲି ସେ କହିଥିଲେ । ସେହି ଟ୍ରାଞ୍ଜାକ୍ସନ୍ ଆଇଡି ବିହାରର ଜଣାପଡ଼ିବା ପରେ ବିହାର ପୁଲିସ ସହାୟତାରେ ୪ ଜଣଙ୍କୁ ବ୍ରହ୍ମପୁର ପୁଲିସ ସେଠାରେ ଅଟକାଇ ରହିଥିଲା । ବ୍ରହ୍ମପୁର ପୁଲିସ ଟିମ୍ ବିହାରରେ ପହଞ୍ଚି ସେମାନଙ୍କୁ ସାଙ୍ଗରେ ନେଇ ଫେରୁଥିବା କୁହାଯାଉଛି ।
ପୁଲିସ ହତ୍ୟା ପଛରେ ଜଣେ ଜଣାଶୁଣା ମଦ, ବାଲି, ଜମି ଓ କାଠ ବ୍ୟବସାୟୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି । ସମ୍ପୃକ୍ତ ବ୍ୟବସାୟୀ ଫେରାର୍ ଥିବାବେଳେ ତାଙ୍କୁ ଧରିବାକୁ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରହିଛି । ସେହିପରି ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଦୁଇଟି ଟିମ୍ ଚଢ଼ଉ କରି ଆଉ ୪ ଜଣଙ୍କୁ ଧରିଥିବା ସୂଚନା ମିଳିଛି । ସବୁ ଅପରାଧୀଙ୍କୁ ଆଣି ପୁଲିସ ଜେରା କରିବା ପରେ ହିଁ ସବୁ ସତ ଲୋକଲୋଚନକୁ ଆସିପାରିବ ।
ସୂଚନାଯୋଗ୍ୟ କି, ୨୦୨୫ ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ପୀତବାସ ଏସ୍ଏନ୍ଟି ରୋଡ଼ରେ ଥିବା ତାଙ୍କ ବ୍ୟକ୍ତିଗତ ଚାମ୍ବରରୁ ଫେରି ନୂଆ ବସ୍ଷ୍ଟାଣ୍ଡ୍ରେ ଥିବା ଭୂପତି ହୋଟେଲକୁ ଯାଇଥିଲେ । ସେଠାରୁ ଖାଦ୍ୟ ପାର୍ସଲ ନେଇ ଘରକୁ ଯାଉଥିବାବେଳେ ରାତି ୯ଟା ୫୮ରେ ବୈକୁଣ୍ଠନଗର ବୁଲାଣିରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ଦିନେ ଦୁଇ ଦିନ ଭିତରେ ଏହି ମାମଲାରେ ସମ୍ପୃକ୍ତ ସବୁ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଆଶା କରାଯାଉଛି । ଆଇନଜୀବୀ ଭାବେ ବେଶ୍ ପରିଚିତ ପୀତବାସ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ଦଳରେ ମଧ୍ୟ ତାଙ୍କର ଖାତିର୍ ଥିଲା । ସମସ୍ତ ଅପରାଧୀ ଧରାପଡ଼ିବା ପରେ ତାଙ୍କ ହତ୍ୟା ପଛର ଷଡ଼ଯନ୍ତ୍ର ଖୁଲାସା ହେବା ଆଶା କରାଯାଉଛି ।