ବ୍ରହ୍ମପୁର,୨୫/୧୦: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ତଦନ୍ତ ଜାରି ରହିଛି । ଅନୁସନ୍ଧାନ ବେଳେ ପୁଲିସ ଅଭିଯୁକ୍ତଙ୍କଠାରୁ ଦୁଇଟି ପିସ୍ତଲ ଜବତ କରିଛି । ସେଥିରୁ ଗୋଟିଏ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିଲା । ଅର୍ଥାତ୍ ଜବତ ହୋଇଥିବା ଗୋଟିଏ ବନ୍ଧୁକରୁ ପୀତବାସଙ୍କୁ ଗୁଳି କରାଯାଇଥିଲା । ପୂର୍ବରୁ ପୀତବାସଙ୍କ ଶରୀରରୁ ବାହାରିଥିବା ଗୁଳି ବାଲିଷ୍ଟିକ୍ ବିଶେଷଜ୍ଞଙ୍କୁ ପଠାଯାଇଥିଲା । ଏବେ ଅଭିଯୁକ୍ତଙ୍କଠାରୁ ଜବତ ପିସ୍ତଲ ପଠାଯିବ । ସେଠାରେ ପରୀକ୍ଷା ପରେ କୋର୍ଟକୁ ଏହାର ରିପୋର୍ଟ ଆସିବ। ଏହି ପରୀକ୍ଷା ପରେ ହିଁ ଜଣାପଡ଼ିବ ପୁଲିସ ଜବତ କରିଥିବା ବନ୍ଧୁକରୁ ପୀତବାସଙ୍କୁ ଗୁଳି କରାଯାଇଛି ନା ନାହିଁ ।
ବ୍ରହ୍ମପୁର ବୈକୁଣ୍ଠନଗରରେ ଗତ ୬ ତାରିଖ କୁମାର ପୂର୍ଣ୍ଣିମା ରାତି ୧୦ଟା ୦୧ ମିନିଟ୍ରେ ପୀତବାସଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ । ଶୀତଳାପଲ୍ଲୀରେ ସେମାନେ ବନ୍ଧୁକ ମାଟିରେ ପୋତି ଦେଇଥିଲେ ବୋଲି ଏସ୍ପି ପୂର୍ବରୁ କହିଛନ୍ତି । ବନ୍ଧୁକ ଜବତ କରିବା ପରେ ପୁଲିସ କୋର୍ଟରେ ଦାଖଲ କରିଛି । କୋର୍ଟରୁ ବନ୍ଧୁକ ବାଲିଷ୍ଟିକ୍ ପରୀକ୍ଷା ପାଇଁ ପଠାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ପି ଡା.ସରବଣା ବିବେକ ଏମ୍ । ପୀତବାସଙ୍କୁ ଗୋଟିଏ ରାଉଣ୍ଡ ଗୁଳି ବାଜିଥିଲା । ଅପରାଧୀ ୨ ମିଟର ଦୂରରୁ ଗୁଳି କରିଥିବା ଶବବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡ଼ିଥିଲା। ଛାତିରେ ଗୁଳି ବାଜି ଖାଦ୍ୟ ନଳୀ ପାଖରେ ଥିଲା । ଶରୀର ଭିତରେ ୫ରୁ ୬ ଲିଟର ରକ୍ତସ୍ରାବ ହୋଇଥିବା ବ୍ୟବଚ୍ଛେଦ ବେଳେ ଜଣାପଡ଼ିଥିଲା ।