ନୂଆଦିଲ୍ଲୀ, ୧୧।୭: ପାକିସ୍ତାନ ସହ ତୀବ୍ର ହେଉଥିବା ତିକ୍ତତା ମଧ୍ୟରେ ଭାରତ ସହ ନିଜ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ସ୍ପଷ୍ଟ ସଙ୍କେତ ଦେଇଛି ଆଫଗାନିସ୍ତାନ । ଭାରତ ଗସ୍ତରେ ଆସିଥିବା ଆଫଗାନିସ୍ତାନର କୃଷି, ଜଳସେଚନ ଏବଂ ପଶୁପାଳନ ମନ୍ତ୍ରୀ ମୌଲବୀ ଅତାଉଲ୍ଲା ଓମାରୀ ଦୁଇ ଦେଶର ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, "ଭାରତ ଏବଂ ଆଫଗାନିସ୍ତାନର DNA ଏକ । ଭାରତ ଆସି ମତେ ଏମିତି ଲାଗିଲା ଯେମିତି ମୁଁ ମୋ ନିଜ ଦେଶ ଏବଂ ନିଜ ଲୋକଙ୍କ ଗହଣରେ ଅଛି ।" ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (MEA) ସହାୟତାରେ ଆୟୋଜିତ 'ଇଣ୍ଡିଆ-ଆଫଗାନିସ୍ତାନ ଟ୍ରେଡ୍ ଅପରଚ୍ୟୁନିଟିଜ୍ ଇଣ୍ଡଷ୍ଟ୍ରି ଇଣ୍ଟରଆକ୍ଟିଭ୍ ସେସନ'କୁ ସମ୍ବୋଧିତ କରି ଓମାରୀ ଏହା କହିଛନ୍ତି । ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ଏବଂ ଏଠାରେ ମିଳିଥିବା ସମ୍ମାନ ଓ ଆପଣାପଣ ତାଙ୍କ ହୃଦୟ ଜିତି ନେଇଛି ବୋଲି ସେ ପ୍ରକାଶ କରିଛନ୍ତି ।
ଓମାରୀ କହିଛନ୍ତି, "ଭାରତରେ ପହଞ୍ଚିବା ଦିନଠାରୁ ଭାରତ ସରକାର, ବୈଦେଶିକ ମନ୍ତ୍ରାଳୟ ଏବଂ ମୁଁ ଭେଟିଥିବା ପ୍ରତ୍ୟେକ ବ୍ୟକ୍ତି ମତେ ଖୁବ୍ ସ୍ନେହର ସହ ସ୍ୱାଗତ କରିଛନ୍ତି । ଆମ ଭିତରେ ଥିବା ସମ୍ପର୍କ କେବଳ କୂଟନୀତିର ନୁହେଁ, ବରଂ ଏହା ଇତିହାସ, ସଂସ୍କୃତି ଓ ସଭ୍ୟତାର ସମ୍ପର୍କ । ଭାରତରେ ମିଳିଥିବା ଏହି ସମ୍ମାନ ଆଫଗାନିସ୍ତାନବାସୀଙ୍କ ଉନ୍ନତ ଭବିଷ୍ୟତ ପାଇଁ ଏକ ନୂଆ ଆଶାର କିରଣ । ଆମ ଦେଶର ପ୍ରାୟ ୮୦ ପ୍ରତିଶତ ଲୋକ କୃଷି, ଜଳସେଚନ ଓ ପଶୁପାଳନ ଉପରେ ନିର୍ଭରଶୀଳ । ଏବେ ଏହି କ୍ଷେତ୍ରକୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡ଼ିବାର ସମୟ ଆସିଛି ଏବଂ ଭାରତ ଏଥିରେ ଏକ ପ୍ରମୁଖ ସହଯୋଗୀ ସାଜିପାରିବ ।"
ଏହା ବି ପଢ଼ନ୍ତୁ... Donald Trump : ନିଜର ହତ୍ୟା ପୋଷ୍ଟର ଦେଖି ଚିହିଁକି ଉଠିଲେ ଟ୍ରମ୍ପ, କହିଲେ ୧୦୦୦ ମିଶାଇଲ୍ ରଖିଛୁ, ଛାଡ଼ିଦେବୁ...
ଓମାରୀ ଆଫଗାନିସ୍ତାନର ଆର୍ଥିକ ବିକାଶ ପାଇଁ ଭାରତୀୟ ଶିଳ୍ପ ଜଗତକୁ ନିବେଶ, କୃଷି ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଜଳସେଚନ କ୍ଷେତ୍ରରେ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଅନ୍ୟପଟେ ସୀମା ବିବାଦ, ସୁରକ୍ଷା ଏବଂ ରାଜନୈତିକ ମତଭେଦକୁ ନେଇ କାବୁଲ ଏବଂ ଇସଲାମାବାଦ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ଭାରତ ଓ ଆଫଗାନିସ୍ତାନର ବଢ଼ୁଥିବା ନିକଟତରତା ଆଞ୍ଚଳିକ ରାଜନୀତି ଦୃଷ୍ଟିକୋଣରୁ ପାକିସ୍ତାନ ପାଇଁ ଏକ ବଡ଼ ଝଟ୍କା ବୋଲି କୁହାଯାଉଛି । ଚଳିତ ସପ୍ତାହରେ ନୂଆଦିଲ୍ଲୀରେ ଭାରତ-ଆଫଗାନିସ୍ତାନ ଜଏଣ୍ଟ କମିଟିର ଚତୁର୍ଥ ବୈଠକ ଆୟୋଜିତ ହୋଇଯାଇଛି । ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ, ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ମାନବୀୟ ସହାୟତା ଓ ବିକାଶମୂଳକ ପ୍ରକଳ୍ପ, ଖାଦ୍ୟ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା, ଶିକ୍ଷା, କ୍ରୀଡ଼ା ଏବଂ ବାଣିଜ୍ୟ କ୍ଷମତା ନିର୍ମାଣ ଓ ଆର୍ଥିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ସହମତି ପ୍ରକାଶ ପାଇଛି ।