ନୂଆଦିଲ୍ଲୀ, ୩/୧୧ : ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ଆଫଗାନିସ୍ତାନ। ହିନ୍ଦୁକୁଶ ଅଞ୍ଚଳରେ ଜୋରଦାର୍ ଝଟ୍‌କା। ରିକ୍ଟର ସ୍କେଲରେ ୬.୩ ତୀବ୍ରତା ରେକର୍ଡ। ୭ ମୃତ, ୧୫୦ରୁ ଉର୍ଦ୍ଧ୍ଵ ଆହତ। ରବିବାର ରାତି ପ୍ରାୟ ୧୨ଟା ୫୯ରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଖୁଲମ୍ ସହରରୁ ୨୨ କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମରେ, ଭୂପୃଷ୍ଠରୁ ୨୮ କିଲୋମିଟର ତଳେ ଥିଲା। ଲୋକମାନେ ଜୀବନ ବିକଳରେ ଘରୁ ବାହାରକୁ ଚାଲି ଆସିଥିଲେ।

ହିନ୍ଦୁକୁଶ ଅଞ୍ଚଳରେ ବାରମ୍ଵାର ଭୂମିକମ୍ପ ଅନୁଭୂତ ହେଉଛି। ଅଗଷ୍ଟ ୩୧ ତାରିଖରେ ପାକିସ୍ତାନ ସୀମା ନିକଟରେ ୬.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏଥିରେ ୨୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ସେହିପରି ୨୦୨୩ ଅକ୍ଟୋବର ୭ରେ ୬.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଥିରେ ପ୍ରାୟ ୪ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ଅକ୍ଟୋବର ୨୨ରେ ହିନ୍ଦୁକୁଶରେ ୫.୧ ତୀବ୍ରତାର ଝଟ୍‌କା ଲାଗିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୨୪୪ କିମି ଗଭୀରରେ ଥିଲା। ସେହି ସମୟରେ ରାଜଧାନୀ କାବୁଲରେ ଜୋରଦାର୍ ଝଟ୍‌କା ଲାଗିଥିଲା। ଏବେ ପୁଣି ଥର ଝଟ୍‌କା ଲାଗିବାରୁ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।