ନୂଆଦିଲ୍ଲୀ, ୨୯/୦୭ : ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ। ସରି ଆସିଲାଣି ଭୂତଳ ଜଳ। ଦ୍ରୁତ ସହରୀକରଣ ଯୋଗୁଁ ଶୁଖିଯାଉଛି ଜଳଉତ୍ସ। ଶୁଷ୍କ ହେଉଛି ମାଟି। ଆଉ ମାତ୍ର ୫ ବର୍ଷର ଅପେକ୍ଷା। ୨୦୩୦ ବେଳକୁ ଜଳଶୂନ୍ୟ ହୋଇଯିବ କାବୁଲ। ପାଲଟିବ ମରୁଭୂମିର ସହର। ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେବେ ଲୋକେ। ପ୍ରଥମ ଜଳଶୂନ୍ୟ ରାଜଧାନୀ ଭାବେ ଅପକୀର୍ତ୍ତି ମୁଣ୍ଡାଇବ କାବୁଲ। ମାନବବାଦୀ ସ୍ଵେଚ୍ଛାସେବୀ ସଙ୍ଗଠନ 'ମର୍ସି କର୍ପସ' ଦ୍ଵାରା ପ୍ରକାଶିତ ରିପୋର୍ଟରୁ ଭୟାନକ ଖୁଲାସା।
ଆଫଗାନିସ୍ତାନର କାବୁଲର ଜନସଂଖ୍ୟା ପ୍ରାୟ ୬୦ ଲକ୍ଷ। ଅଣ୍ଡରଗ୍ରାଉଣ୍ଡ୍ ୱାଟର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଏଠାକାର ଲୋକ। ହିନ୍ଦୁ କୁଶ ପାହାଡ଼ରେ ଥିବା ଗ୍ଲେସିଅର ତରଳି ଏହି ଜଳ ଆସେ। ହେଲେ ଗତ କିଛି ବର୍ଷ ହେବ ଏହି ଜଳସ୍ରୋତ ଦ୍ରୁତ ଗତିରେ କମିବାରେ ଲାଗିଛି। ଦୁର୍ବଳ ଜଳ ସମ୍ପଦ ପରିଚାଳନା, ଦ୍ରୁତ ସହରୀକରଣ ଏବଂ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜଳଉତ୍ସ ଧୀରେ ଧୀରେ ଶୁଖି ଯାଉଛି। ଖାଲି ସେତିକି ନୁହେଁ କାବୁଲରେ ଜଳଭଣ୍ଡାର ଗୁଡ଼ିକ ମଧ୍ୟ ଶୁଷ୍କ ହେବାକୁ ବସିଲାଣି। ଏଥି ସହ ସେଠାରେ ପ୍ରଦୂଷଣ ଓ ଭିତ୍ତିଭୂମି ସମସ୍ୟା ଉତ୍କଟ ହେବାରେ ଲାଗିଛି। ଭୂତଳ ଜଳର ମାନ କମୁଥିବାରୁ ପିଇବାକୁ ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ।
କାବୁଲରେ ପ୍ରତିବର୍ଷ ଜଳ ଉତ୍ତୋଳନ ପରିମାଣ ୧୫୦ କୋଟି ଘନଫୁଟ ଅତିକ୍ରମ କରିଛି। ଗତ ଦଶନ୍ଧି ମଧ୍ୟରେ କାବୁଲର ଜଳଭଣ୍ଡାର ସ୍ତର ୧୦୦ ଫୁଟକୁ ଖସି ଆସିଛି। କିଛି ପରିବାର କେବଳ ପାଣି ପାଇଁ ସେମାନଙ୍କ ଆୟର ୩୦% ଖର୍ଚ୍ଚ କରୁଛନ୍ତି। ତେବେ କାବୁଲ ପ୍ରଥମ ସହର ନୁହେଁ, ଏହା ପୂର୍ବରୁ ୨ଟି ପ୍ରମୁଖ ସହରରେ ଏଭଳି ସ୍ଥିତି ଉପୁଜିଛି। ୨୦୧୮ରେ ଦକ୍ଷିଣ ଆଫ୍ରିକାର କେପ୍ଟାଉନ୍ ସହର ଜଳଶୂନ୍ୟ ଯୋଗୁଁ ପ୍ରାୟ ମରୁଡ଼ି ହେବାକୁ ବସିଥିଲା। ସେହିପରି ୨୦୧୯ରେ ଭାରତର ଚେନ୍ନାଇ ସହରର ୪ଟି ପ୍ରମୁଖ ଜଳଭଣ୍ଡାର ଶୁଖିଯାଇଥିଲା। ହେଲେ କଠୋର କଟକଣା ଓ ଜଳ ସଞ୍ଚୟ ଅଭିଯାନ ଯୋଗୁଁ ଜଳଶୂନ୍ୟ ସହର ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଏଭଳି ଦୁର୍ବଳ ଜଳ ସମ୍ପଦ ପରିଚାଳନା ହେଲେ ଆଉ ୫ ବର୍ଷ ଭିତରେ କାବୁଲ ଶୁଷ୍କ ହୋଇଯିବ। ମରୁଭୂମିର ସହର ପାଲଟିବ। କୃଷି କାର୍ଯ୍ୟ ଓ ଖାଦ୍ୟ ସୁରକ୍ଷା ଗଭୀର ଭାବେ ପ୍ରଭାବିତ ହେବ। ଜୀବନଯାପନ ଖର୍ଚ୍ଚ ବଢିଯିବ। ପ୍ରାୟ ୩୦ ଲକ୍ଷ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେବେ।