ନୂଆଦିଲ୍ଲୀ, ୧୦/୧୧ : ଚରମ ସୀମାରେ ପାକିସ୍ତାନ-ଆଫଗାନିସ୍ତାନ ସୀମା ବିବାଦ। ଯୁଦ୍ଧ ମୁହାଁ ଦୁଇ ପଡୋଶୀ ଦେଶ। ଇସ୍ତାନବୁଲ ଶାନ୍ତି ବାର୍ତ୍ତାରେ ଦୁଇ ପକ୍ଷଙ୍କ ଭିତରେ ହେଲାନି ସହମତି। ସମ୍ଭାବ୍ୟ ଯୁଦ୍ଧ ସ୍ଥିତି ନେଇ ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଆଫଗାନିସ୍ତାନ। ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଆଫଗାନିସ୍ତାନର ଆଦିବାସୀ, ସୀମା ଏବଂ ଜାତୀୟ ବ୍ୟାପାର ମନ୍ତ୍ରୀ ନୁରୁଲ୍ଲାହ ନୁରୀ। ସେ କହିଛନ୍ତି ଯେ, ମୁଁ ଖ୍ଵାଜା ଆସିଫ୍‌ଙ୍କୁ ଚେତାଇ ଦେଉଛି ଯେ, ଋଷ ଓ ଆମେରିକା ଭୌଗୋଳିକ ରୂପରେଖ ହିସାବରେ ଖୁବ୍ ଦୂରରେ ଅଛନ୍ତି। ହେଲେ ପଞ୍ଜାବ ଓ ସିନ୍ଧ ଆଫଗାନିସ୍ତାନକୁ ଲାଗିକି ଅଛି। ପାକିସ୍ତାନ ତାର ଟେକ୍ନିକାଲ କ୍ଷମତାକୁ ଅପେକ୍ଷାକୃତ ଅଧିକ ଆକଳନ କରି ଦେଉଛି। ଆଫଗାନବାସୀଙ୍କ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ। ଯୁଦ୍ଧକୁ ନିମନ୍ତ୍ରଣ ଦିଅ ନାହିଁ, ଆଗେ ଇତିହାସ ପଢ ତାପରେ ନିଷ୍ପତ୍ତି ନିଅ। 

ନୁରୀ ଭାରତ ଓ ବାଙ୍ଗଲାଦେଶ ସହ ସଙ୍ଘର୍ଷକୁ ମନେ ପକାଇ କହିଛନ୍ତି ଯେ, ଇତିହାସ ସାକ୍ଷୀ ଅଛି... ଆଫଗାନିସ୍ତାନ ବ୍ରିଟିଶ୍, ସୋଭିଏତ୍ ଓ ଆମେରିକାର ସୈନ୍ୟକୁ କଡ଼ା ବିରୋଧ କରିଛି। ହେଲେ ୧୯୭୧ରେ ଭାରତ ପାକିସ୍ତାନକୁ ପରାସ୍ତ କରି ବୁଦ୍ଧି ଶିଖେଇଛି। ନୂଆ ବାଙ୍ଗଲାଦେଶ ନିର୍ମାଣ ସହ ପାକିସ୍ତାନ ଏକ ଜୋରଦାର୍ ଝଟ୍‌କା ସହିଛି। ଯଦି ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଆଫଗାନର ବୃଦ୍ଧ ଏବଂ ଯୁବ ଶକ୍ତି ଉଭୟ ଲଢେଇ କରିବେ। 

ସୂଚନା ଥାଉକି, ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଡୁରାଣ୍ଡ୍ ଲାଇନ୍‌କୁ ନେଇ ବିବାଦ ଜାରି ରହିଛି। ଦୁଇ ଦେଶର ସୀମାରେ ହିଂସାକାଣ୍ଡ ହେଉଛି। ପାକ୍-ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ତୁର୍କୀ ଏବଂ କତାର ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ବୁଧବାର ଇସ୍ତାନବୁଲରେ ହୋଇଥିବା ତୃତୀୟ ଶାନ୍ତି ଆଲୋଚନା ବିଫଳ ହୋଇଛି।