ବ୍ୟୁରୋ ୨୫/୦୭ : ନୂଆ ମହାସାଗର ସୃଷ୍ଟି ଆଡ଼କୁ ଆଫ୍ରିକା... ଘଟୁଛି ଲକ୍ଷ ଲକ୍ଷ ବର୍ଷରେ ଥରେ ଦେଖାଯାଉଥିବା ବିରଳ ଭୌଗୋଳିକ ପରିବର୍ତ୍ତନ ଆଜ୍ଞା ହଁ ପୃଥିବୀ ପୃଷ୍ଠରେ ଘଟୁଛି ଏକ ଅତ୍ୟନ୍ତ ବିରଳ ଏବଂ ଭୌଗୋଳିକ ପରିବର୍ତ୍ତନ, ଯାହା ସାଧାରଣତଃ ଲକ୍ଷ ଲକ୍ଷ ବର୍ଷରେ କେବଳ ଥରେ ଦେଖିବାକୁ ମିଳିଥାଏ। ଉତ୍ତର ଇଥିଓପିଆର ଦୂରବର୍ତ୍ତୀ ଆଫାର୍ ଡିପ୍ରେସନରେ ଆଫ୍ରିକୀୟ ମହାଦେଶ ଧୀରେ ଧୀରେ ଦୁଇ ଭାଗରେ ବିଭକ୍ତ ହେବାରେ ଲାଗିଛି, ଯାହା ଭବିଷ୍ୟତରେ ଏକ ନୂତନ ମହାସାଗରକୁ ଜନ୍ମ ଦେବ । ନଦୀ, ସମୁଦ୍ର ଏବଂ ପର୍ବତ ଗଠନ ଭଳି ଭୌଗୋଳିକ ପ୍ରକ୍ରିୟାଗୁଡ଼ିକ ସାଧାରଣତଃ ବହୁତ ଧୀର ଗତିରେ ଘଟୁଥିବା ବେଳେ, ଆଫ୍ରିକାର ହର୍ଣ୍ଣ ନିକଟବର୍ତ୍ତୀ ଆଫାର୍ ତ୍ରିଭୁଜରେ ଏହି ପରିବର୍ତ୍ତନ ଏକ ଆଶ୍ଚର୍ଯ୍ୟଜନକ ଗତିରେ ଘଟୁଛି।

ସେପ୍ଟେମ୍ବର ୨୦୦୫ରେ ଡାବାହୁ ଜ୍ୱାଳାମୁଖୀ ଉଦ୍ଗିରଣ ଏବଂ ତା'ପରେ ହୋଇଥିବା ତୀବ୍ର ଭୂକମ୍ପ ଯୋଗୁଁ ମାତ୍ର କିଛି ଦିନ ମଧ୍ୟରେ ୬୦ କିଲୋମିଟର ଲମ୍ବ ଏବଂ ୮ ମିଟର ଚଉଡ଼ାର ଏକ ବିଶାଳ 'ଜିପର୍' ପରି ଫାଟ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ଦୁଇ ପାର୍ଶ୍ୱର ଭୂମି ପ୍ରାୟ ୨ ମିଟର ତଳକୁ ଦବିଯାଇଥିଲା। ପରବର୍ତ୍ତୀ ମାସଗୁଡ଼ିକରେ ଶହ ଶହ ଛୋଟ-ବଡ଼ ଫାଟ ସୃଷ୍ଟି ହେବା ସହ ଭୂମି ୧୦୦ ମିଟର ପର୍ଯ୍ୟନ୍ତ ବୁଡ଼ିଯାଇଥିଲା। ବୈଜ୍ଞାନିକମାନଙ୍କ ଅନୁସାରେ, ପୃଥିବୀର ଗଭୀରରୁ ଉଠୁଥିବା ତରଳିତ ମାଗ୍ମା ଜମା ହୋଇ ଏବେ ସେଠାରେ ବାସାଲ୍ଟିକ୍ ସମୁଦ୍ର ପୃଷ୍ଠ ଗଠନ କରୁଛି।

ଆହୁରି ପଢନ୍ତୁ :- West Asia Conflicts: "ଯଦି ଇରାନ ଯୁଦ୍ଧରେ ରୁଷ-ଚୀନ୍‌ ଦେଲେ ସାଥ୍, ତେବେ ପରିଣାମ ଭୟଙ୍କର ହେବ " ପୁଟିନ ଓ ଜିନପିଙ୍ଗ୍‌ଙ୍କୁ ଟ୍ରମ୍ପଙ୍କ ଖୋଲା ଧମକ !

ଭୂତାତ୍ତ୍ୱିକ ଇତିହାସ ଅନୁଯାୟୀ, ପ୍ରାୟ ୩୦ ନିୟୁତ ବର୍ଷ ପୂର୍ବେ ଆଫ୍ରିକା ଏକକ ଟେକ୍ଟୋନିକ୍ ପ୍ଲେଟ୍ ଥିଲା। କାଳକ୍ରମେ ପୃଥିବୀ ଭିତରର ଉତ୍ତାପ ଓ ମାଗ୍ମାର ପ୍ରବାହ ଆଫ୍ରିକୀୟ ପ୍ଲେଟକୁ ଖଣ୍ଡ ବିଖଣ୍ଡିତ କରି ଆରବୀୟ ଉପଦ୍ୱୀପକୁ ଅଲଗା କରିଥିଲା, ଯାହାଫଳରେ 'ଲୋହିତ ସାଗର'ର ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଆଫାର୍ ତ୍ରିପୂଜକ ଜଙ୍କସନରେ ତିନୋଟି ବିଶାଳ ପ୍ଲେଟ୍ ଏକାଠି ଭେଟୁଛନ୍ତି ଯେମିତିକି ଆରବୀୟ, ସୋମାଲିଆନ୍ ଏବଂ ଆଫ୍ରିକୀୟ ପ୍ଲେଟ୍। ଏହି ତିନୋଟି ପ୍ଲେଟ୍ ପ୍ରତିବର୍ଷ ପ୍ରାୟ ୧ ସେଣ୍ଟିମିଟର ହାରରେ ପରସ୍ପରଠାରୁ ଦୂରେଇ ଯାଉଛନ୍ତି।

ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହି ଅଞ୍ଚଳରେ ପୃଥିବୀର ପୃଷ୍ଠଭାଗ ମାତ୍ର ୧୩ କିମି ଗଭୀରତା ପର୍ଯ୍ୟନ୍ତ ପତଳା ହୋଇଯାଇଛି ଯାହାକୁ ବିଜ୍ଞାନ ଭାଷାରେ Necking କୁହାଯାଏ। ଯେତେବେଳେ ଏହି ପ୍ଲେଟଗୁଡ଼ିକ ମଧ୍ୟରେ ବ୍ୟବଧାନ ଯଥେଷ୍ଟ ବଢ଼ିଯିବ ଏହା ସୂଚାଇ ଦିଏ ଯେ ମହାଦେଶୀୟ ବିଭାଜନ ବର୍ତ୍ତମାନ ନିଶ୍ଚିତ। ଯେତେବେଳେ ଆରବ ଏବଂ ଆଫ୍ରିକୀୟ ପ୍ଲେଟ ମଧ୍ୟରେ ଏହି ବ୍ୟବଧାନ ଯଥେଷ୍ଟ ବଡ଼ ହୋଇଯିବ ସେତେବେଳେ ଲୋହିତ ସାଗର (Red Sea) ଏବଂ ଆଡେନ ଉପସାଗର (Gulf of Aden) ର ଜଳ ଏହି ନୂତନ ଗଭୀର ଫାଟ ମଧ୍ୟକୁ ପ୍ରବେଶ କରିବ। ଦୁଇଟି ସମୁଦ୍ରର ଜଳ ମିଶି ଏକ ବିଶାଳ ନୂତନ ମହାସାଗରର ରୂପ ନେବ। ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ନୂଆ ସମୁଦ୍ର ଗଠନ ହେବାକୁ ପ୍ରାୟ ୫୦ ଲକ୍ଷରୁ ୧ କୋଟି ବର୍ଷ ସମୟ ଲାଗିବ। ସାଧାରଣତଃ ନୂଆ ମହାସାଗର ବା ସମୁଦ୍ର ପୃଷ୍ଠ ତିଆରି ହେବାର ପ୍ରକ୍ରିୟା ଗଭୀର ସମୁଦ୍ର ତଳେ ଲୁଚି ରହିଥାଏ। କିନ୍ତୁ ଆଫ୍ରିକାର ଆଫାର୍ରେ ଏହି ଦୃଶ୍ୟ ସିଧାସଳଖ ପୃଥିବୀ ପୃଷ୍ଠରେ ଦେଖିବାକୁ ମିଳୁଛି। ଏହା ସାରା ବିଶ୍ୱର ଭୂବିଜ୍ଞାନୀମାନଙ୍କ ପାଇଁ ପୃଥିବୀର ଗଠନ ପ୍ରକ୍ରିୟାକୁ ଅଧ୍ୟୟନ କରିବାର ଏକ ଅନନ୍ୟ ଏବଂ ଜୀବନ୍ତ ସୁଯୋଗ ପାଲଟିଛି।