ଭୁବନେଶ୍ୱର,୧୯/୦୮: ବିହାର ଭଳି ଓଡ଼ିଶାରେ ବି ହେବ ସ୍ୱତନ୍ତ୍ର ଓ ବ୍ୟାପକ ଭୋଟର ତାଲିକା ସଂଶୋଧନ (ଏସଆଇଆର୍) । ଖୁବଶୀଘ୍ର ଏହି ଅଭିଯାନ ରାଜ୍ୟରେ ଆରମ୍ଭ ହେବ । ୨୩ ବର୍ଷ ପରେ ରାଜ୍ୟରେ ସ୍ୱତନ୍ତ୍ର ବ୍ୟାପକ ଭୋଟର ତାଲିକା ସଂଶୋଧନ କରାଯିବ । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ।
ସାରା ଦେଶରେ ଏସ୍ଆଇଆର୍ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ୨୦୦୨ରେ ଶେଷ ଥର ପାଇଁ ଓଡ଼ିଶାରେ ଏସ୍ଆଇଆର୍ ହୋଇଥିଲା । ୨୩ ବର୍ଷ ପରେ ରାଜ୍ୟରେ ପୁଣି ଥରେ ସ୍ୱତନ୍ତ୍ର ଓ ବ୍ୟାପକ ଭୋଟର ସଂଶୋଧନ ନେଇ ନିର୍ବାଚନ ଆୟୋଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏ ନେଇ ନିର୍ବାଚନ ଆୟୋଗରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଚିଠି ଆସି ପହଞ୍ଚିଛି । ନିର୍ବାଚନ ଆୟୋଗରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସୂଚୀ ଆସିବା ପରେ ଏହି ଅଭିଯାନ ଆରମ୍ଭ ହେବ । ସୂଚନା ଅନୁସାରେ ଏହି ଅଭିଯାନ ପାଇଁ ୨ ମାସରୁ ଅଧିକ ସମୟ ଲାଗିପାରେ । ପ୍ରଥମେ ଚିଠା ତାଲିକା ପ୍ରକାଶ ପାଇବ । ତା’ପରେ ଲୋକଙ୍କ ମତାମତ ଓ ଆପତ୍ତି ଅଭିଯୋଗ ଆହ୍ୱାନ କରାଯିବ । ଚୂଡ଼ାନ୍ତ ଭୋଟର ତାଲିକା ଜାରି ହେବା ପରେ କେତେ ଭୋଟର ବାଦ୍ ପଡ଼ିଲେ ଆଉ କେତେ ରହିଲେ, ତାହା ସ୍ପଷ୍ଟ ହେବ ।
୨୦୨୪ ନିର୍ବାଚନରେ ରାଜ୍ୟରେ ମୋଟ ଭୋଟର୍ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଥିଲା । ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୬ ଜାନୁଆରୀ ୭ ତାରିଖରେ ଜାରି ହେବ । ଏହା ପରେ କେତେ ଭୋଟର ବାଦ୍ ପଡ଼ିଲେ ଆଉ କେତେ ରହିଲେ, ତାହା ସ୍ପଷ୍ଟ ହେବ । ରାଜ୍ୟରେ ବୁଥ୍ ସଂଖ୍ୟା ୩୮ ହଜାରରୁ ୪୫ ହଜାରକୁ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି ।
ବର୍ତ୍ତମାନ ଦେଶରେ ଭୋଟର ତାଲିକା ଅସଙ୍ଗତି, ଭୋଟ ଚୋରି ଏବଂ ଏସଆଇଆର୍କୁ ନେଇ ରାଜନୀତି ଉଠୁଛି ପଡ଼ୁଛି । ବିହାରରୁ କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ ସମେତ ଦିଲ୍ଲୀ ରାଜନୀତି ବି ସରଗରମ । ବିହାରରେ ଏସଆଇଆର୍ ଅଭିଯାନରେ ୬୫ ଲକ୍ଷ ଭୋଟର୍ ତାଲିକାରୁ ବାଦ୍ ପଡିଛନ୍ତି । ବିରୋଧୀ ଦଳ ଏସବୁ ପ୍ରସଙ୍ଗ ନେଇ ନିର୍ବାଚନ ଆୟୋଗ ଓ ବିଜେପିକୁ କଡ଼ା ସମାଲୋଚନା କରୁଛନ୍ତି । ନିର୍ବାଚନ ଆୟୋଗ ବି ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଛନ୍ତି । ଓଡ଼ିଶାରେ ବି ବିଜେଡି ଓ କଂଗ୍ରେସ ମତଦାନ ପ୍ରକ୍ରିୟା, ଭୋଟର ତାଲିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିରୋଧୀ ଦଳର ବିଭିନ୍ନ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ।
ଭୋଟ ପରିଚୟପତ୍ର ନମ୍ବରକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିବାବେଳେ ଏହାର ଜବାବରେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି, ଓଡ଼ିଶାରେ ୭ ହଜାର ଭୋଟର କାର୍ଡ ନମ୍ବର ବଦଳାଯାଇଛି । ସେମାନଙ୍କୁ ନୂଆ ଭୋଟର କାର୍ଡ ଦିଆଯାଇଛି । ଏହି ୭ ହଜାର ଭୋଟରଙ୍କ ମଧ୍ୟରେ ବାଙ୍କୀରୁ କେବଳ ୫ ହଜାର ଥିଲା । ମତଦାନ ହାରରେ ଥିବା ତାରତମ୍ୟ ଓ ଅସଙ୍ଗତି ନେଇ ଉଠିଥିବା ଅଭିଯୋଗ ଉପରେ ଉତ୍ତର ଦେଇଛନ୍ତି, ମତଦାନ ଦିନ ପ୍ରତି ଘଣ୍ଟାକୁ ଘଣ୍ଟା ଯେଉଁ ମତଦାନ ହାର ଜାରି ହୁଏ, ତାହା ସମ୍ଭାବ୍ୟ ହାର, ଯାହାକି ଫୋନ ମାଧ୍ୟମରେ ସଂଗ୍ରହ କରାଯାଇଥାଏ । ଭୋଟ ଗ୍ରହଣ ପରଦିନ ନିର୍ଦ୍ଦିଷ୍ଟ ଓ ଠିକ୍ ତଥ୍ୟ ଦିଆଯାଏ । ୧୭-ସି ଫର୍ମ ନେଇ କୁହାଯାଇଛି, ଭୋଟ ଗ୍ରହଣ ସରିବା ପରେ ରାଜନୈତିକ ଦଳର ଏଜେଣ୍ଟଙ୍କୁ ୧୭-ସି ଫର୍ମ ଦିଆଯାଇଥାଏ । ରାଜନୈତିକ ଦଳ ନିଜ ଏଜେଣ୍ଟଙ୍କଠାରୁ ୧୭-ସି ଫର୍ମ ସଂଗ୍ରହ କରନ୍ତୁ ।