ନୟାଗଡ, ୬।୭ : ନୟାଗଡ ସଦରଥାନା ଡାଳିଆମଡା ଗାଁରେ ଅଭାବନୀୟ ଘଟଣା। ଜଣେ ଯୁବକଙ୍କୁ ପିଟିପିଟି ହତ୍ଯା ପରେ ନଦୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ମୃତ ଯୁବକ ଜଣକ ହେଲେ ଡାଳିଆମଡା ଗାଁର ଅଭିମନ୍ୟୁ ସାହୁ। ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖିଛି।

ଡାଳିଆମଡା ଗାଁର ଚିରଞ୍ଜିବୀ ସାହୁଙ୍କ ପରିବାରକୁ ଜାଗାବାଡି ବିବାଦକୁ କେନ୍ଦ୍ରକରି ଗତ ୩ବର୍ଷ ହେଲା ଗ୍ରାମବାସୀ ଏକଘରିକିଆ ରଖିଥିଲେ । ବିଭିନ୍ନ ସମୟରେ ଗ୍ରାମବାସୀ ଏବଂ ଚିରଞିବୀଙ୍କ ପରିବାର ସଦସ୍ୟଙ୍କ ମଧ୍ଯରେ ପାଟିତୁଣ୍ଡ ହେଉଥିଲା । ଚିରଞିବୀଙ୍କ ପୁଅ ଅଭିମନ୍ୟୁ ରବିବାର ଅପରାହ୍ନରେ ଗାଁ ନିକଟ ଛକରେ ଥିବା ଦୋକାନକୁ ଔଷଧ କିଣିବାକୁ ଯାଇଥିଲେ। ପୂର୍ବ ଶତ୍ରୁତା କାରଣରୁ ଦୋକାନ ସାମ୍ନାରୁ ଗାଁର ଅନ୍ୟ କିଛି ବ୍ୟକ୍ତି ତାଙ୍କ ହାତ ଗୋଡ଼ ବାନ୍ଧି ଉଠାଇ ନେଇଥିଲେ। ଡାହୁକା ନଦୀ କୂଳରେ ଥିବା ଗାଁ କ୍ଲବ ଘରକୁ ନେଇ ସେଠାରେ ତାଙ୍କୁ ନଳକୂପ ଚାବିରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ପ୍ରବଳ ମାଡ ପରେ ଅଭିମନ୍ୟୁଙ୍କ ମୃତ୍ୟୁ ହୋଇଯିବାରୁ ମୃତଦେହକୁ ନିକଟସ୍ଥ ଡାହୁକାନଦୀରେ ଫିଙ୍ଗା ଯାଇଥିବା ପରିବାର ଲୋକ ରବିବାର ରାତିରେ ଥାନାରେ ଅଭିଯୋଗ କରିଥିଲେ ।

ସଦରଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ଡଗ ସ୍ୱାର୍ଡ ଜରିଆରେ ତଦନ୍ତ ଆରମ୍ଭ କରିଥିଲା । କ୍ଲବ ଘରୁ ନଳକୂପ ପାଇପ୍ ଜବତ କରାଯାଇଛି। ଅତିରିକ୍ତ ଏସ୍ ପି , ନୟାଗଡ ଏସଡିପିଓ, ସଦରଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ନୟାଗଡ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ପ୍ରାୟ ୨ଘଣ୍ଟା ଖୋଜାଖୋଜି କରିବାପରେ କ୍ଲବ୍ ଘର ଠାରୁ ପ୍ରାୟ ୩ଶହ ମିଟର ଦୁରରେ ଅଭିମନ୍ୟୁଙ୍କ ମୃତଦେହକୁ ନଦୀ ଭିତରୁ ଉଦ୍ଧାର କରିଥିଲେ । ମୃତଦେହରେ ବହୁ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ହତ୍ଯା କରିବା ପରେ ନଦୀରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି । ମୃତଦେହକୁ ଜବତ କରି ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଚାଲିଛି ଏବଂ ୮ଜଣଙ୍କୁ ଅଟକ ରଖାଯାଇଥିବା ଅତିରିକ୍ତ ଏସ୍ ପି କହିଛନ୍ତି ।

ଆହୁରି ପଢନ୍ତୁ : ଜୁଲାଇ ୯ ରେ ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ, ତଳିଆ ଅଞ୍ଚଳବାସୀକୁ ସର୍ତକ ରହିବାକୁ ପରାମର୍ଶ