ନୂଆଦିଲ୍ଲୀ,୨୬/୦୭: ଇଟାଲୀର ଲଗଜରୀ ଫ୍ୟାଶନ୍ ବ୍ରାଣ୍ଡ ପ୍ରାଡା ପୁଣି ଥରେ ଭାରତୀୟ ଫ୍ୟାଶନ୍ କପି କରି ବିବାଦରେ । ଏଥର କୋଲହାପୁରୀ ଚପଲ ପାଇଁ ନୁହେଁ, ବରଂ ଭାରତୀୟ ଜୁତି ସହିତ ସମାନ ଡିଜାଇନ୍ କରି। ପୂର୍ବରୁ ମଧ୍ୟ ମିଲାନ ଫ୍ୟାଶନ୍ ଶୋ'ରେ କୋଲହାପୁରୀ ଜୁତି କପି କରି ପ୍ରାଡାକୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା।
ଆଉ ଏବେ ପ୍ରାଡାର ନୂତନ ଡିଜାଇନ୍ 'ଆଣ୍ଟିକ୍ୱେଡ୍ ଲେଦର ପମ୍ପସ୍'ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକମାନେ ଏହାକୁ ଭାରତୀୟ ଜୋତାର କପି ବୋଲି କହୁଛନ୍ତି। ଯଦିଓ ଏହି ସାଣ୍ଡେଲଗୁଡ଼ିକ ପ୍ରାଡାର ୱେବସାଇଟରେ ଅନେକ ରଙ୍ଗ ଏବଂ ଡିଜାଇନରେ ଉପଲବ୍ଧ, କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ଡିଜାଇନ୍ ପାରମ୍ପରିକ ପଞ୍ଜାବୀ ଜୁତି ପରି ଦେଖାଯାଉଛି। ପ୍ରାଡା ଦାବି କରିଛି ଯେ, ଏହା 'ଅରିଜିନାଲ' ଡିଜାଇନ୍, ଯାହା ବାଛୁରୀ ଚମଡାରେ ତିଆରି।
ସେହିପରି ୱେବସାଇଟ୍ରେ କୁହାଯାଇଛି ଯେ 'ଏହି ଧାରୁଆ ହିଲ୍ ଡିଜାଇନ୍ ପ୍ରାଚୀନ ଲୁକ ଦେଉଥିବା ଲେଦରରୁ ପ୍ରସ୍ତୁତ। ଯେଉଁଥିରେ ସିଲେଇ ସ୍ପଷ୍ଟ ଭାବରେ ଦେଖାଯାଉଛି। ଯଦିଓ ପାରମ୍ପରିକ ଜୁତିଗୁଡ଼ିକ ସାଧାରଣତଃ ଫ୍ଲାଟ୍ ହୋଇଥିଲେ ମଧ୍ୟ, ଏହି ପ୍ରାଡା ସଂସ୍କରଣ ଷ୍ଟିଲେଟୋ ହିଲ୍ସ ସହିତ ଆସିଥାଏ। ପଞ୍ଜାବର ଅମୃତସରରେ ଜୋତା ବ୍ୟବସାୟ ସହିତ ଜଡିତ ଦୋକାନୀମାନେ ଏହାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ସ୍ଥାନୀୟ ଦୋକାନୀ ଆକାଶ ଆଜି କହିଛନ୍ତି, 'ଆମେ ଦିନରାତି କଠିନ ପରିଶ୍ରମ କରି ୪୦୦ ରୁ ୨୦୦୦ ଟଙ୍କାରେ ପଞ୍ଜାବୀ ଜୋତା ଏବଂ କୋଲହାପୁରୀ ଚପଲ ବିକ୍ରୟ କରୁ। ଏହି କାମ ହଜାର ହଜାର କାରିଗର ଏବଂ ଦୋକାନୀଙ୍କ ପାଇଁ ଜୀବିକା। କିନ୍ତୁ ବର୍ତ୍ତମାନ ପ୍ରାଡା ଆମର ପଞ୍ଜାବୀ ଜୋତାକୁ ନକଲ କରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛି, ଏହା ଆମର ସାଂସ୍କୃତିକ ଐତିହ୍ୟ ଉପରେ ସିଧାସଳଖ ଆକ୍ରମଣ। ଭାରତ ସରକାର ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ।'
ପ୍ରକାଶ ଥାଉକି, ପ୍ରାଡା କିଛି ସପ୍ତାହ ପୂର୍ବରୁ କୋଲହାପୁରୀ ଚପଲକୁ ଭାରତୀୟ କ୍ରେଡିଟ୍ ନଦେଇ ରାମ୍ପରେ ପ୍ରଦର୍ଶନ କରିଥିଲା, ଯାହା ଉପରେ ମହାରାଷ୍ଟ୍ର ଚାମ୍ବର ଅଫ୍ କମର୍ସ, ଇଣ୍ଡଷ୍ଟ୍ରି ଆଣ୍ଡ୍ ଏଗ୍ରିକଲଚର୍ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଥିଲା। ଏହା ପରେ, ବ୍ରାଣ୍ଡକୁ ସ୍ପଷ୍ଟୀକରଣ ଦେବାକୁ ପଡିଲା, କୋଲହାପୁର ଆସି କାରିଗରମାନଙ୍କ ସହିତ ସହଯୋଗ ଘୋଷଣା କରିବାକୁ ପଡିଲା। ତଥାପି, ଚପଲ ପ୍ରସଙ୍ଗରେ ପ୍ରାଡା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।