କୋଲକାତା,୪।୧୨:  ପଶ୍ଚିମବଙ୍ଗର ମାଲଦାରେ ୩୬ ବର୍ଷ ପରେ ଜେଲ୍‌ରୁ ମୁକ୍ତ ହେଲେ ଜଣେ କଏଦୀ। ଦୀର୍ଘ ବର୍ଷ ଜେଲ୍‌ରେ ରହିବା ପରେ ବାହାର ଦୁନିଆ ଫେରିଛନ୍ତି ୧୦୪ ବର୍ଷୀୟ ରସିକତ ମଣ୍ଡଳ ନାମକ ଏହି ବ୍ୟକ୍ତି। ଏବେ ବୟସ ହୋଇଥିଲେ ବି ସେ କହିଛନ୍ତି ଗାଁକୁ ଯାଇ ପରିବାର ସହ ସମୟ ବିତାଇବେ ଓ ବାଡି ବଗିଚା କାମ ବି କରିବେ। ରସିକତ ୧୯୮୮ ରେ ଜମି ବିବାଦ ମାମଲାରେ ନିଜ ଭାଇକୁ ହତ୍ୟା କରିବା ଅଭିଯୋଗରେ ଜେଲ୍‌ରେ ଥିଲେ। ତାଙ୍କ ପୁଅଙ୍କ କହିବା ଅନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ବାପା ମୁକ୍ତ ହୋଇଛନ୍ତି।

୩୬ ବର୍ଷ ତଳେ ରସିକତ  ପ୍ରାୟ ଏକ ବର୍ଷ ପାଇଁ ଜାମିନ୍‌ରେ ଆସିଥିଲେ। ତେବେ ଜାମିନ ଅବଧି ସରିବା ପରେ ପୁଣିଥରେ ଜେଲ୍‌କୁ ଚାଲିଯାଇଥିଲେ। ସେ ବହୁବାର ସେସନ୍ କୋର୍ଟ ଓ ହାଇକୋର୍ଟରେ ନିଜର ମୁକ୍ତି ନେଇ ଗୁହାରି କରିଥିଲେ। ସବୁଥର ତାଙ୍କର ଜାମିନ୍ ଆବେଦନ ଖାରଜ ହୋଇଥିଲା।

ମଙ୍ଗଳବାର ମାଲଦା ସୁଧାର ଗୃହ ଗେଟରୁ ବାହାରିବା ବେଳେ ରସିକତ ମିଡିଆକୁ କହିଥିଲେ, ଏବେ ସେ ଗାଁରେ ଶାନ୍ତିରେ ବାକି ଜୀବନ ରହିବାକୁ ଚାହାନ୍ତି। ଘର ପାଖରେ ଥିବା ଛୋଟିଆ ବଗିଚାରେ ଗଛ ଲଗାଇବା ସହ  ନାତି-ନାତୁଣୀଙ୍କ ସହ ସମୟ ବିତାଇବେ। ନିଜର ବୟସ ହିସାବରେ ଫିଟ୍ ମଧ୍ୟ ଲାଗୁଛନ୍ତି ରସିକତ। ଜେଲ୍‌ ଅଧିକାରୀଙ୍କ କହିବା ଅନୁସାରେ, ଏହା ରାଜ୍ୟର ଜେଲ୍‌ରେ  ଥିବା ଶହେ ବର୍ଷରୁ ଅଧିକ ବୟସ୍କ କଏଦୀଙ୍କ ଖୁବ୍ କମ୍ ମାମଲା ମଧ୍ୟରୁ ଗୋଟିଏ।