ଫିରିଙ୍ଗିଆ,୧୨/୧୧ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଜନନୀ ଯନ୍ତ୍ରଣା ଥମିବାରେ ନା ଧରୁନି । ରାସ୍ତା ନ ଥିବାରୁ କେଉଁଠି ଦୋଳାରେ ଗର୍ଭବତୀଙ୍କୁ ବୁହା ହେଉଛି ତ କେଉଁଠି ଖଟିଆରେ ବୋହି ମେଡ଼ିକାଲ ନେଉଥିବାବେଳେ ଅଧା ବାଟରେ ମା’ଛୁଆ ଜନ୍ମ କରୁଛି ତ କେଉଁଠି ମୃତ ଛୁଆ ମଧ୍ୟ ଜନ୍ମ ହେବା ଭଳି ଦେଖିବାକୁ ମିଳୁଛି l ଗତକାଲି ଖଟିଆରେ ବୋହି ଗର୍ଭବତି ମହିଳାଙ୍କୁ ମେଡ଼ିକାଲ ଆଣିଥିବାବେଳେ ପୁଣି ଆଜି ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତ ଡଙ୍ଗି ମେଣ୍ଡି ଗାଁରେ ରାସ୍ତା ନ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁସାରେ , ଡଙ୍ଗିମେଣ୍ଡି ଗାଁର ପରୀକ୍ଷିତ କହଁରଙ୍କ ସ୍ତ୍ରୀ କମଳିନୀ(୨୦)ର ପ୍ରସବ ଯନ୍ତ୍ରଣା ହେବାରୁ ଗୋଛାପଡ଼ା ମେଡ଼ିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା । ବଣ ଓ ଜଙ୍ଗଲ ପାହାଡ଼ ପର୍ବତ ଘେରା ଭିତରେ ଗାଁ ଅଛି । ସେ ଗାଁରେ ୪ଟି ଗାଁ ଅଛି ମୋଟ୍ ୮୦ରୁ ଊର୍ଦ୍ଧ୍ବ ଘର ଅଛି । ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବି ଅଛି । ବାଧ୍ୟ ହୋଇ ପରିବାର ଲୋକେ ଡଙ୍ଗି ମେଣ୍ଡିଠାରୁ ଅଢେଇ କିଲୋମିଟର ଦୂର ବାଘ ନଦୀ ନିକଟକୁ ଖଟିଆରେ ବୋହି ଆଣି ବାଘ ନଦୀ ପାର କରିବା ପରେ ବହୁ ଦୂର ପର୍ଯ୍ୟନ୍ତ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଖଟିଆରେ ବୋହି ନେଇଥିଲେ l
ଆମ୍ବୁଲାନ୍ସରେ ଗୋଚ୍ଛାପଡ଼ା ମେଡ଼ିକାଲ ନେବା ପରେ କମଳିନୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବାବେଳେ ମା’ ଛୁଆ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି l ତେବେ ଡଙ୍ଗି ମେଣ୍ଡି ଯିବା ବାଟରେ ବାଘ ନଦୀରେ ଦୀର୍ଘ ବର୍ଷ ଧରି ଏକ ପୋଲ ନିର୍ମାଣ ହେଉଥିବାବେଳେ ଠିକାଦାର କାମ କରିବାରେ ବିଳମ୍ବ କରୁଥିବାବେଳେ ଅଞ୍ଚଳବାସୀ ରାସ୍ତା ନ ଥିବାରୁ ଯାତାୟତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ବର୍ଷା ଦିନ ଆସିଲେ ସମୂହ ଗ୍ରାମବାସୀ ଯାତାୟତ ସମସ୍ୟା ଭୋଗୁଥିବାବେଳେ ଯୋଗାଯୋଗ ମଧ୍ୟ ବିଛିନ୍ନ ହେଉଥିବା ଦେଖିବାକୁ ମିଳୁଛି l ତୁରନ୍ତ ଡଙ୍ଗି ମେଣ୍ଡି ଏବଂ ଅଞ୍ଚଳର ପୋଲ କାମ ସମ୍ପୂର୍ଣ୍ଣ କରିବା ସହ ରାସ୍ତା ନେଇ କନିଷ୍ଠ ଯନ୍ତ୍ରୀ ସୁଶିଲ କୁମାର ମହାନ୍ତିକୁ ପଚାରିବାରୁ ଆଉ କିଛି ଦିନ ପରେ କାମ ହେବ । ବର୍ଷା ଦିନ କାମ ବନ୍ଦ ଥିଲା । ଆଉ କିଛି ବାକି ଅଛି ପିଲର, ଖୁବଶୀଘ୍ର କାମ ସାରି ଦେବୁ ।