କଟକ,୨୫/୦୭: ଏସ୍‌. ଆଇ  ବା ସବ୍‌ଇନ୍‌ସପେକ୍ଟର ନିଯୁକ୍ତିରେ ସର୍ବୋଚ୍ଚ ବୟସ ସୀମା ବଢିଲା ୩ ବର୍ଷ  । ସାଧାରଣ ବର୍ଗଙ୍କ ପାଇଁ ୨୮ ଓ ଏସ୍‌ସି, ଏସ୍‌ଟି ବର୍ଗଙ୍କ ପାଇଁ ବୟସ ସୀମା ହେଲା ୩୩ ।ଏନେଇ ଗତକାଲି  ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଜେନେରାଲ  ପୀତାମ୍ବର ଆଚାର୍ଯ୍ୟ ହାଇକୋର୍ଟରେ ସତ୍ୟପାଠ ଦେଇଥିଲେ । ସର୍ବୋଚ୍ଚ ବୟସ ସୀମା କୋହଳ କରାଯିବା ଫଳରେ ଏସ୍‌ଆଇ ପଦ ପାଇଁ ଆବେଦନ କରିଥିବା ବୟସ ଅତିକ୍ରାନ୍ତ ଶହଶହ ପ୍ରାର୍ଥୀ ଆଶ୍ୱସ୍ତ ହୋଇଛନ୍ତି । 

ତେବେ ଆଜି ମାମଲାର ଚୂଡ଼ାନ୍ତ ଶୁଣାଣି ହେବାର ଥିବାବେଳେ ସରକାର ସର୍ବୋଚ୍ଚ ବୟସ ସୀମା ୩ ବର୍ଷ ବୃଦ୍ଧି ସଂକ୍ରାନ୍ତରେ ଅଦାଲତଙ୍କୁ ଅବଗତ କରିଥିଲେ । ଏଥିସହ ହାଇକୋର୍ଟକୁ ଆସିନଥିବା ଆଶୟୀ ପ୍ରାର୍ଥୀମାନେ ମଧ୍ୟ ଏହି ସୁବିଧାର ସୁଯୋଗ ନେବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଏଜି ଅଦାଲତଙ୍କୁ ଅବଗତ କରିଥିଲେ । ବୟସ ସୀମା ବୃଦ୍ଧି ବ୍ୟବସ୍ଥା କେବଳ ଏହି ଗୋଟିଏ ନିଯୁକ୍ତି କ୍ଷେତ୍ରରେ ଲାଗୁ ହେବ ବୋଲି କୁହାଯାଇଛି । ପରବର୍ତ୍ତୀ ସମୟରେ ଅନ୍ୟ କୌଣସି ଚାକିରିରେ ଏହାକୁ ଆଳ କରି ବୟସ ସୀମା ବୃଦ୍ଧି କରାଯାଇ ପାରିବନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସରକାରଙ୍କ ଏହି ସତ୍ୟପାଠ ପରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର ମାମଲାର ଅନ୍ତ ଘଟାଇଛନ୍ତି । ଗତ ଜାନୁଆରୀରେ ରାଜ୍ୟ ସରକାର ପୁଲିସ ସବ୍‌ଇନ୍ସପେକ୍ଟର ଓ ସେହି ପାହ୍ୟାରେ ୯୩୩ଟି ପଦ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲେ । 

ଓଡ଼ିଶା ପୁଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ପକ୍ଷରୁ ୬୦୯ ପୁଲିସ ଏସ୍‌ଆଇ, ୨୫୩ ସଶସ୍ତ୍ର ପୁଲିସ ଏସ୍‌ଆଇ, ୪୭ଟି ଅଗ୍ନିଶମ ଷ୍ଟେସନ୍‌ ଅଫିସର, ୨୪ଟି ଆସିଷ୍ଟାଣ୍ଟ ଜେଲର୍‌ ପଦ ପାଇଁ ଆଶାୟୀ ପ୍ରାର୍ଥୀଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଥିଲା । ଏହି ପଦ ଲାଗି ଆବେଦନର ସର୍ବନିମ୍ନ ୨୧ବର୍ଷ ଧାର୍ଯ୍ୟ ହୋଇଥିଲାବେଳେ ସର୍ବୋଚ୍ଚ ବୟସ ସୀମା ୨୫ବର୍ଷ ଧାର୍ଯ୍ୟ କରାଯାଇଥିଲା । ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀମାନଙ୍କ ସର୍ବୋଚ୍ଚ ବୟସ ୨୫ ବର୍ଷରୁ ଅଧିକ ହୋଇନଥିବ ବୋଲି କଟକଣା ଜାରି କରାଯାଇଥିଲା । ତେବେ ଏହି ବିଜ୍ଞପ୍ତିକୁ ଚାଲେଞ୍ଜ କରି ପ୍ରାୟ ୩ଶହ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ପିଟିସନ୍‌ରେ ଦର୍ଶାଇଥିଲେ ଯେ, କୋଭିଡ୍‌ ପୂର୍ବରୁ ଏସ୍‌.ଆଇ. ପଦ ଲାଗି କୌଣସି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇନଥିଲା । ଶେଷଥର ପାଇଁ କିଛି ସବ୍‌-ଇନ୍ସପେକ୍ଟର ପଦରେ ନିଯୁକ୍ତି ପାଇଁ ୨୦୨୧ରେ ପଦକ୍ଷେପ ନିଆଯାଇଥିଲା । ସେବେଠାରୁ ଆଉ ଏହି ପଦରେ ନିଯୁକ୍ତି ଦିଆଯାଇ ନାହିଁ । ଦୀର୍ଘବର୍ଷ ପରେ ଏହି ପଦ ଲାଗି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିବାରୁ ବହୁ ଆବେଦନକାରୀଙ୍କ ବୟସ ଅତିକ୍ରାନ୍ତ କରିଯାଇଛି । ଫଳରେ ଶହ ଶହ ଆଶାୟୀ ଏହି ପଦ ପାଇଁ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି । ନିକଟରେ ରାଜ୍ୟ ସରକାର କନଷ୍ଟେବଳ, ସିପାହୀ ଆଦି ପଦରେ ନିଯୁକ୍ତି ଆବେଦନ ପାଇଁ ସର୍ବୋଚ୍ଚ ବୟସ ସୀମା ୩ ବର୍ଷ ବୃଦ୍ଧି କରିଛନ୍ତି । କିନ୍ତୁ ସବ୍‌-ଇନ୍ସପେକ୍ଟର ପଦ ଲାଗି ବୟସ ସୀମା କଟକଣା କୋହଳ କରାଯାଇନଥିଲା । ତେଣୁ ଏସ୍‌.ଆଇ. ପଦ ପାଇଁ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାରେ ସର୍ବୋଚ୍ଚ ବୟସ ସୀମା କୋହଳ କରିବାକୁ ଆବେଦନକାରୀମାନେ ପ୍ରାର୍ଥନା କରିଥିଲେ । ଯାହାପରେ ଗତକାଲି ସରକାରଙ୍କ ସତ୍ୟପାଠ ପରେ ଆବେଦନକାରୀ ଆଶ୍ୱସ୍ତ ହୋଇଛନ୍ତି ।