ନୂଆଦିଲ୍ଲୀ: ଅହମ୍ମଦାବାଦ୍ ଏୟାର ଇଣ୍ଡିଆ ଫ୍ଲାଇଟ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଯାତ୍ରୀଙ୍କ ପରିବାର ଏବେ ଆମେରିକୀୟ ବିମାନ ନିର୍ମାତା ବୋଇଂ ଏବଂ ଟେକନିକ୍ କମ୍ପାନୀ ହନିୱେଲ୍ ବିରୋଧରେ ଏକ ମାମଲା ଦାୟର କରିଛନ୍ତି। ପରିବାର ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ଗୁଡ଼ିକର ଅବହେଳା ଏବଂ ତ୍ରୁଟିପୂର୍ଣ୍ଣ ଇନ୍ଧନ କଟ୍ଅଫ୍ ସ୍ୱିଚ୍ ଦୁର୍ଘଟଣାର କାରଣ ହୋଇଛି। ସୂଚନାଥାଉକି, ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ମୋଟ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା।
ଡେଲାୱେର୍ ସୁପିରିଅର୍ କୋର୍ଟରେ ମଙ୍ଗଳବାର ଦାୟର କରାଯାଇଥିବା ଏକ ଅଭିଯୋଗରେ, ପୀଡିତ ପରିବାର ଅଭିଯୋଗ କରିଛନ୍ତି ଯେ, ବୋଇଂ ୭୮୭-୮ ଡ୍ରିମଲାଇନରର ଇନ୍ଧନ କଟ୍ଅଫ୍ ସ୍ୱିଚ୍ର ଲକ୍ କରିବା ପ୍ରକ୍ରିୟା ଅସାବଧାନତା ବଶତଃ ଖରାପ କିମ୍ବା ଅକ୍ଷମ ହୋଇଥାଇପାରେ। ଏହା ଫଳରେ ଇନ୍ଧନ ଯୋଗାଣ ବନ୍ଦ ହୋଇଥାଇପାରେ ଏବଂ ଉଡ଼ାଣ ପାଇଁ ଆବଶ୍ୟକ ଥ୍ରୁଷ୍ଟ କମ୍ ହୋଇଥାଇପାରେ।
ତେବେ ଏହି ଆବେଦନରେ ଅଭିଯୋଗ କରାଯାଇଛି ଯେ, ବୋଇଂ ଏବଂ ହନିୱେଲ୍, ଯେଉଁମାନେ ସ୍ୱିଚ୍ ନିର୍ମାଣ ଏବଂ ସ୍ଥାପନ କରିଥିଲେ, ୨୦୧୮ ମସିହାରେ ଆମେରିକା ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଦ୍ୱାରା ଚେତାବନୀ ସତ୍ତ୍ୱେ ତ୍ରୁଟି ବିଷୟରେ ଅବଗତ ଥିଲେ। FAA ଚେତାବନୀ ଦେଇଥିଲା ଯେ, ଅନେକ ବୋଇଂ ବିମାନର ଲକ୍ କରିବା ପ୍ରକ୍ରିୟା ପାଇଁ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ହୋଇପାରେ ।
ପରିବାର ଅଭିଯୋଗ କରିଛି ଯେ, ସ୍ୱିଚ୍ ଟି ଥ୍ରଷ୍ଟ ଲିଭର ପଛରେ ସିଧା ରହିଥିଲା, ଯାହା ସାଧାରଣ କକପିଟ୍ କାର୍ଯ୍ୟ ସମୟରେ ଅଜାଣତରେ ଇନ୍ଧନ ହ୍ରାସ କରିପାରେ। ଅଭିଯୋଗରେ କୁହାଯାଇଛି,"ହନିୱେଲ୍ ଏବଂ ବୋଇଂ ଏହି ବିପର୍ଯ୍ୟୟକୁ ରୋକିବା ପାଇଁ କୌଣସି ଦୃଢ଼ ପଦକ୍ଷେପ ନେଇନଥିଲେ। ତେବେ ବୋଇଂ ବୁଧବାର କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲା, ଯେତେବେଳେ କି ହନିୱେଲ୍ ତୁରନ୍ତ ପ୍ରତିକ୍ରିୟା ଦେଇନଥିଲା।