ନୀଳଗିରି,୧୩/୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି । ଶିକାରୀଙ୍କ କବଳରୁ ରକ୍ଷାପାଇବା ସହିତ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଅଭୟାରଣ୍ୟରେ ଏଆଇ କ୍ୟାମେରା ଲାଗିଛି । ଯାହା ଶିକାରୀଙ୍କ ଯୋଜନାକୁ ପଣ୍ଡ କରିଛି । ପୁଣି ଶିକାରୀଙ୍କୁ ଧରାଇ ଦେଇଛି ଏଆଇ କ୍ୟାମେରା । କୁଳଡିହା ଅଭାୟରଣ୍ୟ ଅଧୀନ ବେତେଇ ଜଙ୍ଗଲରେ ବନବିଭାଗ ପକ୍ଷରୁ ଗଛ ଉପରେ ଇଓ କ୍ୟାମେରା ଲଗାଯାଇଥିଲା ।
ଗତ ୨ ତାରିଖ ଦିନ ଶିକାରୀ ମାନେ କୁଳଡିହା ଅଭୟାରଣ୍ୟ ଭିତରକୁ ଅବାଧରେ ଶିକାର କରିବାକୁ ଯାଇଥିଲେ। ସେମାନଙ୍କ ଚିତ୍ର ଏଆଇ କ୍ୟାମେରାରେ କଏଦ ହୋଇଥିଲା । ପରେ ଚିହ୍ନଟ କରିବା ପରେ ବନବିଭାଗ ଶିକାରୀଙ୍କୁ ଧରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା । ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ଗତକାଲି (ଶୁକ୍ରବାର) ରାତିରେ ନୀଳଗିରି କୁଳଡିହା ଓ ସୋର ବନବିଭାଗ ମିଳିତ ଭାବେ ବେତେଇ ଅଞ୍ଚଳରେ ଚଢ଼ାଉ କରିଥିଲେ। ୩ ଜଣ ଶିକାରୀ ଗିରଫ କରିଥିବା ବେଳେ ୫ଟି ଦେଶୀ ବନ୍ଧୁକ ଜବତ କରିବାରେ ସଫଳ ହୋଇଛନ୍ତି । ଶିକାରୀ ମାନେ ହେଲେ ବେତେଇ ନରସିଂହସିଲା ଗ୍ରାମର ଗୁରା ମୁଣ୍ଡା, ଗେଦେ ଦେଓଗାମ, ବିକ୍ରମ ମୁଣ୍ଡା । ଆଜି ୩ ଗିରଫ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସିଏଫ ଶୋଭନଦିଗନ୍ତ ଚାନ୍ଦ କହିଛନ୍ତି ।