ଭୁବନେଶ୍ୱର,୧୮/୦୪ (ପ୍ରଜ୍ଞା ଚୌଧୁରୀ): ପାଠ ଠକଙ୍କ ଦୁଃଖ । ଆଉ ସେମାନେ ସହପାଠୀଙ୍କୁ କହି ମିଛ ଉପସ୍ଥାନ  (ପ୍ରକ୍ସି) ପକାଇ ପାରୁନାହାନ୍ତି ବା କ୍ଲାସ ବଙ୍କ୍‌ ମାରିପାରୁ ନାହାନ୍ତି । କେବଳ ଏତିକି  ନୁହେଁ, ଅଧ୍ୟାପକ ଅଧ୍ୟାପିକାଙ୍କୁ ମଧ୍ୟ ଆଉ ନାଁ ଡାକି ଡାକି ପିଲାଙ୍କ ଉପସ୍ଥାନ ନେବାକୁ ପଡୁନାହିଁ । ଗୁଣାତ୍ମକ ଶିକ୍ଷାଦାନ  ଦିଗରେ ସମୟ ନଷ୍ଟ ମଧ୍ୟ ହେଉନି । କାରଣ  ଏଇ ଦାୟିତ୍ୱ ମୁଣ୍ଡାଇଲାଣି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) । ମାତ୍ର  ୨-୩ ମିନିଟ୍‌ରେ ପୂରା କ୍ସାସରେ ଉପସ୍ଥିତ  ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଗ୍ରହ କରିବା  ସହ ମାସିକ, ବାର୍ଷିକ ରେକର୍ଡ ମଧ୍ୟ  ପ୍ରସ୍ତୁତ କରିହେଉଛି । ରାଜ୍ୟରେ ପ୍ରଥମ  କରି ଶ୍ରେଣୀଗୃହରେ ଏଆଇ ଟେକ୍ନୋଲୋଜି ଆପଣାଇଛି ଓଡ଼ିଶା ବୈଷୟିକ ଓ  ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର) । 

ବିଶ୍ୱବିଦ୍ୟାଳୟ ନିଜର ଟେକ୍ନୋଲୋଜି  ବିଜନେସ ଇନକ୍ୟୁବେଟର୍‌ ଓୟୁଟିଆର୍‌- ଫାଇନ୍‌ (ଏଫଆଇଏନଇ) ଜରିଆରେ ‘ଜାଜି’(ଜେଏଜେଡ୍‌ଜେଡ୍‌ଇଇ) ନାମକ  ଏକ ଷ୍ଟାର୍ଟଅପ୍‌ କମ୍ପାନୀ ସହାୟତାରେ ଏହି  ନବସୃଜନ ପଦ୍ଧତି ସୃଷ୍ଟି କରିଛି । କମ୍ପାନୀ  ପ୍ରତିଷ୍ଠାତା ସୁଚିତ୍‌ ମିଶ୍ରଙ୍କ କହିବା ହେଲା,  କ୍ୟାବ୍‌ ଟେକ୍ନୋଲୋଜିରୁ ଅନୁପ୍ରାଣିତ  ହୋଇ ଏହି ଆପ୍‌ ତିଆରି କରାଯାଇଛି । ପରୀକ୍ଷାମୂଳକ ଭାବରେ କମ୍ପ୍ୟୁଟର ସାଇନ୍ସ,  ମେକାନିକାଲ୍‌ ଏବଂ ବାୟୋଟେକ୍ନୋଲୋଜି  ବିଭାଗର ଦ୍ୱିତୀୟ ଏବଂ ତୃତୀୟ ବର୍ଷ  କ୍ଲାସରେ ଏହାକୁ ପ୍ରୟୋଗ କରାଯାଇଛି ।  

ଆସନ୍ତା ଜୁଲାଇ ମାସରୁ ସମସ୍ତ ବିଭାଗରେ ଏହାକୁ ବ୍ୟବହାର କରାଯିବ । ଏହି  ଅଟୋମେଟେଡ୍‌ ଆଟେଣ୍ଡାନ୍ସ ପଦ୍ଧତି ଦ୍ୱାରା ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ଉଭୟେ  ଉପକୃତ ହେଉଛନ୍ତି । ସାଧାରଣତଃ  ବିଟେକ୍‌ ପାଠ୍ୟକ୍ରମରେ ଗୋଟିଏ ଗୋଟିଏ  କ୍ସାସରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୦୦  କିମ୍ବା ତା’ଠାରୁ ଅଧିକ ଥାଏ । ଗୋଟିଏ  ପିରିୟଡ୍‌ ୬୦ ମିନିଟ୍‌ର ହୋଇଥାଏ ।  ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଉପସ୍ଥାନ  ନେବାକୁ ଜଣେ ଅଧ୍ୟାପକଙ୍କୁ ପ୍ରାୟ ୩୦  ମିନିଟ୍‌ ସମୟ ଲାଗିଯାଏ । ଏହାବାଦ୍‌ ପାଠ  ଠକମାନେ ସାଙ୍ଗସାଥୀଙ୍କୁ କହି ପ୍ରକ୍ସି ମଧ୍ୟ  ଲଗାଇଥାନ୍ତି । ପ୍ରତି କ୍ସାସରେ ୩୦ ମିନିଟ୍‌  ସମୟ ନଷ୍ଟ ଦ୍ୱାରା ପିଲାଙ୍କୁ ଫଳପ୍ରଦ ଶିକ୍ଷା  ପ୍ରଦାନ କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ।  ତେବେ ଏଆଇ ଉପସ୍ଥାନ ପଦ୍ଧତି ଦ୍ୱାରା ଏ  ସବୁ ମୁଣ୍ଡବ୍ୟଥା ଦୂର ହୋଇଛି ।  

ଏଆଇ ଉପସ୍ଥାନ ଲାଗି ଉଭୟ  ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କୁ ଗୋଟିଏ  ଗୋଟିଏ ମୋବାଇଲ୍‌ ଆପ୍‌ ଦିଆଯାଇଛି ।  ଅଧ୍ୟାପକ କ୍ସାସରୁମକୁ ଆସିବା ପରେ ନିଜ  ମୋବାଇଲରେ ଆପ୍‌ଟିକୁ ଓଟିପି ଦ୍ୱାରା  ଲଗ୍‌ ଇନ୍‌ କରିବାକୁ ପଡିବ । ଏହାପରେ  ଏକ କ୍ୟୁଆର୍‌ କୋର୍ଡ ଜେନେରେଟ୍‌ ହେବ,  ଯାହାର ଅବଧି କେବଳ ୧୦ ମିନିଟ୍‌ ପାଇଁ ।  ଏହି କ୍ୟୁଆର୍‌ ସ୍କାନର୍‌ ଶ୍ରେଣୀଗୃହରେ  ପିଲାଙ୍କୁ ସ୍କାନ କରିବା ସହ ଉପସ୍ଥିତ  ସବୁ ଛାତ୍ରଛାତ୍ରୀଙ୍କ ମୋବାଇଲକୁ ଏକ  ନୋଟିଫିକେସ୍‌ ଛାଡିବ । ଛାତ୍ରଛାତ୍ରୀମାନେ  ନିଜ ଫୋନରେ ଇନଷ୍ଟାଲ୍‌ ଥିବା ଆପ୍‌  ଖୋଲି ନୋଟିଫିକେସନ୍‌ରେ କ୍ଲିକ୍‌ କରି  ନିଜ ଉପସ୍ଥିର୍ର ପ୍ରମାଣ ଦେବେ । ତେବେ  କ୍ଲାସରୁମର ନିର୍ଦ୍ଦିଷ୍ଟ ପରିଧି ଭିତରେ  ହିଁ ଏହି ଆପ୍‌ କାମ କରିବ, କ୍ସାସ୍‌  ବାହାରେ ଥିବା ପିଲା ଏହାକୁ ବ୍ୟବହାର  କରିପାରିବେ ନାହିଁ