ନୂଆଦିଲ୍ଲୀ ୦୬/୦୮: କେରଳର ଜଣେ ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ୍ସ ସ୍ନାତକ ବିଦ୍ୟାର୍ଥୀ ଏକ ଏଆଇ ଉପକରଣ ପ୍ରସ୍ତୁତ କରିଛନ୍ତି, ଯାହା ଭାଷାକୁ ହାତଲେଖା ନୋଟ୍‌ରେ ରୂପାନ୍ତରିତ କରିବ । ଏଣ୍ଟେ କେରଳମ୍‌ ଏକ୍ସପୋ୨୦୨୫ରେ ସେ ଏହି ଉପକରଣର ଉନ୍ମୋଚନ କରିଛନ୍ତି । ଅଜୟ ଏଚ୍‌ ଲିଙ୍କଡ୍‌ଇନ୍‌ରେ ଏକ ପୋଷ୍ଟ୍‌ରେ ଲେଖିଛନ୍ତି, ଅଲପ୍ପୁଝାରେ ଆୟୋଜିତ ରାଜ୍ୟ ସରକାରଙ୍କର ପ୍ରମୁଖ କାର୍ଯ୍ୟକ୍ରମରେ ନିଜ ଟିମ୍‌ର ପ୍ରୋଜେକ୍ଟ ‘ଟକ୍‌ ଟୁ ରାଇଟ୍‌’କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଲେ । 

ଟକ୍‌ ଟୁ ରାଇଟ୍‌ ଏକ ଏଆଇ-ପରିଚାଳିତ ଶବ୍ଦରୁ-ଲିଖନ ପ୍ରଣାଳୀ, ଯାହା ଏକ ସିଏନ୍‌ସି ପେନ୍‌ ପ୍ଲଟର୍‌ ପ୍ରୟୋଗ କରି ଭାଷାକୁ ହାତଲେଖା ନୋଟ୍‌ରେ ରୂପାନ୍ତର କରେ । ରାସ୍‌ପବେରି ପାଇ, ଆର୍‌ଦୁଇନୋ (ଜିଆର୍‌ବିଏଲ୍‌) ଓ ପାଇଥନ୍‌ର ଉପଯୋଗ ମାଧ୍ୟମରେ ବିକଶିତ ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ- ଡିଜିଟାଲ୍‌ ଲେଖକ ଭଳି କାମ କରି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସହଯୋଗ କରିବା ।

ଏହି ମେସିନ୍‌ ବର୍ଣ୍ଣିତ କଥାକୁ ଏ୪ କାଗଜରେ ଧାଡ଼ି-ଧାଡ଼ି କରି ଲେଖିବ । ସରଳ ଓ ସୁବିଧା ପାଇଁ ଶବ୍ଦ ଓ ସ୍ୱୟଂଚାଳନ କିଭଳି ମିଳିତ ଭାବେ କାମ କରିପାରନ୍ତି, ମେସିନ୍‌ ତାହା ଦର୍ଶାଇଛି । ଏଆଇର ସଂଯୋଗ ଦ୍ୱାରା ସୁଲଭ ଓ ସମାବେଶୀ ଟେକ୍ନୋଲୋଜିର ନିର୍ମାଣ କିଭଳି ହୋଇପାରିବ, ତାହା ଉପସ୍ଥାପନ କରିବା ପାଇଁ ଏହି ପ୍ଲାଟ୍‌ଫର୍ମ ସୁଯୋଗ ଦେଇଥିବା ଅଜୟ କହିଛନ୍ତି । ପୋଷ୍ଟ୍‌ରେ ଶେୟାର ହୋଇଥିବା ଏକ ଭିଡିଓରେ ଅଜୟ ଏକ ମାଇକ୍‌ରେ କହୁଛନ୍ତି ‘ଡିପାର୍ଟମେଣ୍ଟ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ’ । ମେସିନ୍‌ ଏହାକୁ ସ୍ପଷ୍ଟ ଭାବେ ଏକ କାଗଜରେ ଲେଖୁଛି ।