ଭୁବନେଶ୍ୱର,୦୬/୦୬: କୃତ୍ରିମ ବୁଦ୍ଧିମତା (ଏଆଇ) ବ୍ୟବହାର କରି ପୋଷ୍ଟର ନିର୍ମାଣ କରାଯାଉଛି । ଏଥିରେ କଣ ଠିକ୍ ରହୁଛି କଣ ଭୁଲ୍ ରହୁଛି ତାକୁ ପରଖୁ ନାହାନ୍ତି । ଫଳରେ ବଦନାମ ମୁଣ୍ଡାଉଛି ଉଚ୍ଚଶିକ୍ଷା ବିଭାଗ । ଏଆଇରେ ନିର୍ମିତ ପୋଷ୍ଟରରେ ରାଜ୍ୟ ସରକାରଙ୍କ ‘ଓଡ଼ିଶା ଶାସନ’ ଲୋଗୋ ବିକୃତ ହୋଇଛି । ଏହାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ର ଶିକାର ହୋଇଛି ଉଚ୍ଚଶିକ୍ଷା ବିଭାଗ । ଅମିତ୍ କିଲ୍ହୋର ନାମକ ଜଣେ ଜଣାଶୁଣା ଜାତୀୟସ୍ତରର ଭିଡିଓ କଣ୍ଟେଣ୍ଟ କ୍ରିଏଟର ଉଚ୍ଚଶିକ୍ଷା ବିଭାଗର ଏପରି ତ୍ରୁଟିକୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ତାଙ୍କ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି କିପରି ଏଆଇ ବ୍ୟବହାର କରି ଉଚ୍ଚଶିକ୍ଷା ବିଭାଗ ନିଜର ପୋଷ୍ଟର ତିଆରି କରୁଛି । ଏଥିସହ ସେଥିରେ ଥିବା ଓଡ଼ିଶା ଶାସନର ଲୋଗୋଟି କିପରି ବିକୃତ କରାଯାଇଛି ତାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି ।
Hello Odisha, hire me if you want some lessons in ChatGPT prompts lest you embarrass your state emblem nationally.
— amit kilhor (@amitkilhor) June 5, 2026
Odisha state Higher Education department using AI to generate posts and making the bhoot of state emblem.#amitkilhor #kilhor #odisha #stateemblem pic.twitter.com/KPbA5r0Heu
ତାଙ୍କ କହିବା ମୁତାବକ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ଗ୍ରୀନ୍ ଏନର୍ଜି ଫର ଗ୍ରୀନ୍ କ୍ୟାମ୍ପସେସ୍’ ନାମରେ ଏକ ପୋଷ୍ଟର ଉଚ୍ଚଶିକ୍ଷା ବିଭାଗ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଥିଲା । ଏହି ଡିଜିଟାଲ ପୋଷ୍ଟରଟି ଏଆଇ ପ୍ଲାଟଫର୍ମରେ ପ୍ରସ୍ତୁତ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏଥିରେ ଉଚ୍ଚଶିକ୍ଷା ବିଭାଗ ନାମ ପାଖରେ ଏକ ‘ଓଡ଼ିଶା ଶାସନ’ ଲୋଗୋ ରହିଛି । ଯେଉଁ ଲୋଗୋରେ ଓଡ଼ିଆ ଓ ହିନ୍ଦୀରେ ଉଲ୍ଲେଖ ଥିବା ‘ଓଡ଼ିଶା ଶାସନ’ କେଉଁ ଭାଷାରେ ଉଲ୍ଲେଖ ରହିଛି ତାହା ଜଣା ପଡୁ଼ନି । ଏଥିସହ ଲୋଗୋ ମଧ୍ୟରେ ଥିବା ଘୋଡ଼ା ଏବଂ ଅଶୋକ ସ୍ତମ୍ଭର ଆକାର ତଥା ଚିତ୍ରଟି ସଂପୂର୍ଣ୍ଣ ଭାବେ ଭୁଲ୍ ରହିଛି । କେବଳ ଗୋଟିଏ ପୋଷ୍ଟର ନୁହେଁ ଏହା ପରେ ପୋଷ୍ଟ ହୋଇଥିବା ଏନ୍ସିଇଟି ପରୀକ୍ଷା ଫଳ ସଂପର୍କିତ ଆଉ ଏକ ପୋଷ୍ଟରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି ।
ଅମିତ୍ ଅଭିଯୋଗ କରି କହିଛନ୍ତି, ଉଚ୍ଚ ଶିକ୍ଷା ବିଭାଗ ପୋଷ୍ଟର ପ୍ରସ୍ତୁତ କରିବା ପାଇଁ ଏଆଇ ବ୍ୟବହାର କରୁଛି । ସେଥିରେ ରାଜ୍ୟର ଲୋଗୋକୁ ବିକୃତ କରୁଛି । ଏହା ଜାତୀୟସ୍ତରରେ ରାଜ୍ୟର ସମ୍ମାନକୁ ପକାଇବା ସହ ରାଜ୍ୟର ପ୍ରତୀକ ପ୍ରତି ମଧ୍ୟ ଅପମାନ ହେଉଛି । ଅମିତ୍ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ଉଚ୍ଚଶିକ୍ଷା ତାଙ୍କ ପୋଷ୍ଟରେ କମେଣ୍ଟ ଦେଇ ଏହାକୁ ଦୃଷ୍ଟି ଆକର୍ଷଣ କରିଥିବାରୁ ଧନ୍ୟବାଦ ଜଣାଇଛି । ଏହାସହ ପୋଷ୍ଟରକୁ ମଧ୍ୟ ସଙ୍ଗେ ସଙ୍ଗେ ପରିବର୍ତ୍ତନ କରିଛି ।
ଅଧିକ ପଢ଼ନ୍ତୁ :- ଚାକିରିରେ ଯୋଗଦେଲେ IAS ଧୀମାନ ଚକମା, ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ି ହୋଇଥିଲେ ନିଲମ୍ବିତ