ନୂଆଦିଲ୍ଲୀ ୧୩/୦୬: ଦୀର୍ଘ ଦୁଇ ଦଶନ୍ଧିର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କଲମ୍ବିଆ ବିଶ୍ୱବିଦ୍ୟାଳୟ ଫର୍ଟିଲିଟି ସେଣ୍ଟର୍ର ଡାକ୍ତରମାନେ ଏଆଇ ଜରିଆରେ ପ୍ରଥମ ଥର ଜଣେ ମହିଳାଙ୍କର ଗର୍ଭଧାରଣ କରାଇଥିବା ସ୍ପଷ୍ଟ କରିଛନ୍ତି । ଦୀର୍ଘ ୧୯ ବର୍ଷ ଧରି ଗର୍ଭଧାରଣ ପାଇଁ ଚେଷ୍ଟା କରି ବିଫଳ ହେଉଥିବା ଜଣେ ଦମ୍ପତି ଏକ ନୂଆ ଏଆଇ ସିଷ୍ଟମ୍ ଜରିଆରେ ସନ୍ତାନ ସୁଖ ପାଇବାକୁ ଯାଉଛନ୍ତି ।
ପ୍ରଜନନ ଚିକିତ୍ସାରେ ଏହା ଏକ ବଡ଼ ମାଇଲଖୁଣ୍ଟ । ଷ୍ଟାର୍ (ସ୍ପର୍ମ ଟ୍ରାକିଂ ଆଣ୍ଡ୍ ରିକଭରୀ) ନାମକ ଏଆଇ-ଆଧାରିତ ପ୍ରକ୍ରିୟା ପ୍ରୟୋଗ କରି ସନ୍ତାନ ସୁଖରୁ ବଞ୍ଚିତ ଜଣେ ମହିଳାଙ୍କର ଗର୍ଭଧାରଣରେ ଉକ୍ତ ବିଶ୍ୱବିଦ୍ୟାଳୟର ଡାକ୍ତର ସଫଳତା ପାଇଛନ୍ତି । ପୁରୁଷ ବନ୍ଧ୍ୟାଦୋଷର ସମ୍ମୁଖୀନ ହେଉଥିବା ଦମ୍ପତିଙ୍କୁ ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ଆଶାର ନୂଆ ଆଲୋକ ପ୍ରଦାନ କରିଛି । ଖାସ୍କରି ‘ଆଜୋସ୍ପର୍ମିଆ’ ସମସ୍ୟାରେ ପୀଡ଼ିତଙ୍କ ପାଇଁ ଏହା ବରଦାନ ହୋଇଛି । ପୁରୁଷଙ୍କ ସିମେନ୍ରେ ଶୂକ୍ରାଣୁର ସମ୍ପୂର୍ଣ୍ଣ ଅନୁପସ୍ଥିତିକୁ ଏହା ଦର୍ଶାଏ ।
ଅବ୍ଷ୍ଟ୍ରକ୍ଟିଭ ଆଜୋସ୍ପର୍ମିଆ ପୁରୁଷ ବନ୍ଧ୍ୟାଦୋଷର ଏକ ଗୁରୁତ୍ୱପୂର୍ଣ୍ଣ କାରଣ । ଏହା ଯୋଗୁ ପ୍ରାକୃତିକ ରୂପେ ଗର୍ଭଧାରଣ କଷ୍ଟକର ହୋଇଥାଏ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ବ୍ୟକ୍ତି ସନ୍ତାନ ଜନ୍ମ କରିପାରିବେ ନାହିଁ । ଅନ୍ୟ ପ୍ରଜନନ ଟେକ୍ନୋଲୋଜି ଏଥିରେ ସହାୟକ ହୋଇପାରେ । ଅବ୍ଷ୍ଟ୍ରକ୍ଟିଭ ଆଜୋସ୍ପର୍ମିଆ ପ୍ରଜନନ ମାର୍ଗକୁ ଅବରୋଧ କରି ସିମେନ୍ରେ ଶୂକ୍ରାଣୁକୁ ରୋକିଥାଏ । ସଂକ୍ରମଣ, ସର୍ଜରି କିମ୍ବା ଜନ୍ମଜାତ ସମସ୍ୟା, ଜିନ୍ଗତ ସମସ୍ୟା, ହରମୋନ ଅସନ୍ତୁଳନ ଯୋଗୁ ଏହା ହୋଇପାରେ ।
ଏବେ ଆଜୋସ୍ପର୍ମିଆ ହାରାହାରି ୧୦ ପ୍ରତିଶତ ପୁରୁଷ ବନ୍ଧ୍ୟାଦୋଷ ମାମଲା ପାଇଁ ଦାୟୀ । ଏହି ସ୍ଥିତିରେ ପାରମ୍ପରିକ ପଦ୍ଧତି ସିମେନ୍ ନମୁନାରେ ମୂଲ୍ୟବାନ ଶୂକ୍ରାଣୁ ଚିହ୍ନଟ କରିବାରେ ସକ୍ଷମ ନୁହନ୍ତି । କଲିମ୍ବିଆ ବିଶ୍ୱବିଦ୍ୟାଳୟର ଷ୍ଟାର୍ ସିଷ୍ଟମ୍ରେ ଏକ ଉଚ୍ଚ ଶକ୍ତିସମ୍ପନ୍ନ ଇମେଜିଂ ଟେକ୍ନୋଲୋଜି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମିଶ୍ରଣ ରହିଛି, ଯାହା ପୂରା ସିମେନ୍ ନମୁନାକୁ ସ୍କାନ୍ କରେ । ଏହା ଘଣ୍ଟାକୁ ପ୍ରାୟ ୮୦ ଲକ୍ଷ ଛବି ଉତ୍ତୋଳନ କରେ । ଏହି ଏଆଇ ଆଲ୍ଗୋରିଦମ ଛବିଗୁଡ଼ିକର ବିଶ୍ଳେଷଣ କରେ ଏବଂ ଭ୍ରୂଣ ବିଶେଷଜ୍ଞ ଚିହ୍ନଟ କରିପାରିନଥିବା ବିରଳ ଶୂକ୍ରାଣୁ କୋଷିକାଗୁଡ଼ିକୁ ଅଲଗା କରେ ।
ଶୂକ୍ରାଣୁ ଚିହ୍ନଟ ହେବା ପରେ ମାଇକ୍ରୋଫ୍ଲୁଇଡିକ୍ ଚିପ୍ ସେଗୁଡ଼ିକୁ ଏକ ଅଲଗା ଚ୍ୟାନେଲ୍କୁ ଯିବାକୁ ଦିଏ । ସେଣ୍ଟ୍ରିଫ୍ୟୁଗେସନ୍ କିମ୍ବା ଅନ୍ୟ ସମ୍ଭାବ୍ୟ ହାନିକାରକ ପ୍ରକ୍ରିୟାର ଆବଶ୍ୟକ ବିନା ଏହି ଶୂକ୍ରାଣୁ ଅଲଗା ହୁଅନ୍ତି । ଏହି ପ୍ରକ୍ରିୟା ମୂଲ୍ୟବାନ ଶୂକ୍ରାଣୁଙ୍କ ସଂରକ୍ଷଣକୁ ସୁନିଶ୍ଚିତ କରେ ଏବଂ ପ୍ରଜନନ ପାଇଁ ମଧ୍ୟ ଏହାକୁ ପ୍ରୟୋଗ କରାଯାଇପାରେ । ଏହା ସର୍ଜରି ଓ ରସାୟନ-ମୁକ୍ତ ବିକଳ୍ପ ପ୍ରଦାନ କରେ ।
ଚିକିତ୍ସା ବିଜ୍ଞାନ ଓ ଉନ୍ନତ ଟେକ୍ନୋଲୋଜିର ଏହା ସମନ୍ୱୟ । ଦୀର୍ଘ ଦୁଇ ଦଶନ୍ଧି ଧରି ଗର୍ଭଧାରଣ ପାଇଁ ଚେଷ୍ଟା କରୁଥିବା ଉକ୍ତ ଦମ୍ପତିଙ୍କ ସଫଳ କାହାଣୀ ଏହାର ସଦ୍ୟ ପ୍ରମାଣ । ଦମ୍ପତି ୧୫ ଥର ଆଇଭିଏଫ୍ରେ ଗର୍ଭଧାରଣ କରି ବିଫଳ ହୋଇଥିଲେ । ଷ୍ଟାର୍ ସିଷ୍ଟମ୍ ଉପଯୋଗର ଏକ ଚିକିତ୍ସକୀୟ ପରୀକ୍ଷଣରେ ଅଂଶଗ୍ରହଣ କରିବା ପରେ ସେମାନଙ୍କ ଭାଗ୍ୟ ବଦଳିଲା । ଏହି ଏଆଇ ସିଷ୍ଟମ୍ ସଫଳତାପୂର୍ବକ ବ୍ୟକ୍ତିଙ୍କ ମୂଲ୍ୟବାନ ଶୂକ୍ରାଣୁ ଚିହ୍ନଟ କଲା, ଯାହା ସଫଳ ଗର୍ଭଧାରଣର ମାର୍ଗ ପ୍ରଶସ୍ତ କଲା ।
ବିଭିନ୍ନ ପ୍ରଜନନ ସମସ୍ୟାର ସମାଧାନରେ ଏଆଇର ସାମର୍ଥ୍ୟକୁ ନେଇ ଆଶାବାଦୀ ହୋଇଛନ୍ତି କଲମ୍ବିଆ ବିଶ୍ୱବିଦ୍ୟାଳୟ ପ୍ରଜନନ କେନ୍ଦ୍ରର ନିର୍ଦ୍ଦେଶକ ଓ ଷ୍ଟାର୍ ପ୍ରୋଜେକ୍ଟର ମୁଖ୍ୟ ଡା. ଜେଭ୍ ୱିଲିୟମ୍ସ । ଆଜୋସ୍ପର୍ମିଆର ମୁକାବିଲା ଲାଗି ଷ୍ଟାର୍ ସିଷ୍ଟମ୍ ବିକଶିତ ହୋଇଥିବାବେଳେ ସମାନ ପ୍ରକାର ଏଆଇ ଟେକ୍ନୋଲୋଜି ପ୍ରଜନନ ଚିକିତ୍ସାର ଅନ୍ୟ ଦିଗଗୁଡ଼ିକର ପ୍ରୋତ୍ସାହନ ଲାଗି ଉପଯୋଗ ହୋଇପାରିବ।