ନୂଆଦିଲ୍ଲୀ ୧୩/୦୬: ଦୀର୍ଘ ଦୁଇ ଦଶନ୍ଧିର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ  ପଡ଼ିଛି । କଲମ୍ବିଆ ବିଶ୍ୱବିଦ୍ୟାଳୟ ଫର୍ଟିଲିଟି  ସେଣ୍ଟର୍‌ର ଡାକ୍ତରମାନେ ଏଆଇ ଜରିଆରେ ପ୍ରଥମ  ଥର ଜଣେ ମହିଳାଙ୍କର ଗର୍ଭଧାରଣ କରାଇଥିବା ସ୍ପଷ୍ଟ କରିଛନ୍ତି । ଦୀର୍ଘ ୧୯ ବର୍ଷ ଧରି ଗର୍ଭଧାରଣ  ପାଇଁ ଚେଷ୍ଟା କରି ବିଫଳ ହେଉଥିବା ଜଣେ ଦମ୍ପତି  ଏକ ନୂଆ ଏଆଇ ସିଷ୍ଟମ୍‌ ଜରିଆରେ ସନ୍ତାନ ସୁଖ  ପାଇବାକୁ ଯାଉଛନ୍ତି ।  

ପ୍ରଜନନ ଚିକିତ୍ସାରେ ଏହା ଏକ ବଡ଼  ମାଇଲଖୁଣ୍ଟ । ଷ୍ଟାର୍‌ (ସ୍ପର୍ମ ଟ୍ରାକିଂ ଆଣ୍ଡ୍‌ ରିକଭରୀ)  ନାମକ ଏଆଇ-ଆଧାରିତ ପ୍ରକ୍ରିୟା ପ୍ରୟୋଗ  କରି ସନ୍ତାନ ସୁଖରୁ ବଞ୍ଚିତ ଜଣେ ମହିଳାଙ୍କର  ଗର୍ଭଧାରଣରେ ଉକ୍ତ ବିଶ୍ୱବିଦ୍ୟାଳୟର ଡାକ୍ତର  ସଫଳତା ପାଇଛନ୍ତି । ପୁରୁଷ ବନ୍ଧ୍ୟାଦୋଷର ସମ୍ମୁଖୀନ ହେଉଥିବା ଦମ୍ପତିଙ୍କୁ ଏହି ଅତ୍ୟାଧୁନିକ  ଟେକ୍ନୋଲୋଜି ଆଶାର ନୂଆ ଆଲୋକ ପ୍ରଦାନ  କରିଛି । ଖାସ୍‌କରି ‘ଆଜୋସ୍ପର୍ମିଆ’ ସମସ୍ୟାରେ  ପୀଡ଼ିତଙ୍କ ପାଇଁ ଏହା ବରଦାନ ହୋଇଛି । ପୁରୁଷଙ୍କ  ସିମେନ୍‌ରେ ଶୂକ୍ରାଣୁର ସମ୍ପୂର୍ଣ୍ଣ ଅନୁପସ୍ଥିତିକୁ ଏହା  ଦର୍ଶାଏ । 

ଅବ୍‌ଷ୍ଟ୍ରକ୍‌ଟିଭ ଆଜୋସ୍ପର୍ମିଆ ପୁରୁଷ  ବନ୍ଧ୍ୟାଦୋଷର ଏକ ଗୁରୁତ୍ୱପୂର୍ଣ୍ଣ କାରଣ । ଏହା  ଯୋଗୁ ପ୍ରାକୃତିକ ରୂପେ ଗର୍ଭଧାରଣ କଷ୍ଟକର ହୋଇଥାଏ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ବ୍ୟକ୍ତି  ସନ୍ତାନ ଜନ୍ମ କରିପାରିବେ ନାହିଁ । ଅନ୍ୟ ପ୍ରଜନନ  ଟେକ୍ନୋଲୋଜି ଏଥିରେ ସହାୟକ ହୋଇପାରେ ।  ଅବ୍‌ଷ୍ଟ୍ରକ୍‌ଟିଭ ଆଜୋସ୍ପର୍ମିଆ ପ୍ରଜନନ ମାର୍ଗକୁ  ଅବରୋଧ କରି ସିମେନ୍‌ରେ ଶୂକ୍ରାଣୁକୁ ରୋକିଥାଏ ।  ସଂକ୍ରମଣ, ସର୍ଜରି କିମ୍ବା ଜନ୍ମଜାତ ସମସ୍ୟା,  ଜିନ୍‌ଗତ ସମସ୍ୟା, ହରମୋନ ଅସନ୍ତୁଳନ ଯୋଗୁ  ଏହା ହୋଇପାରେ । 

ଏବେ ଆଜୋସ୍ପର୍ମିଆ ହାରାହାରି ୧୦ ପ୍ରତିଶତ  ପୁରୁଷ ବନ୍ଧ୍ୟାଦୋଷ ମାମଲା ପାଇଁ ଦାୟୀ । ଏହି  ସ୍ଥିତିରେ ପାରମ୍ପରିକ ପଦ୍ଧତି ସିମେନ୍‌ ନମୁନାରେ  ମୂଲ୍ୟବାନ ଶୂକ୍ରାଣୁ ଚିହ୍ନଟ କରିବାରେ ସକ୍ଷମ  ନୁହନ୍ତି । କଲିମ୍ବିଆ ବିଶ୍ୱବିଦ୍ୟାଳୟର ଷ୍ଟାର୍‌ ସିଷ୍ଟମ୍‌ରେ  ଏକ ଉଚ୍ଚ ଶକ୍ତିସମ୍ପନ୍ନ ଇମେଜିଂ ଟେକ୍ନୋଲୋଜି ଓ  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମିଶ୍ରଣ ରହିଛି,  ଯାହା ପୂରା ସିମେନ୍‌ ନମୁନାକୁ ସ୍କାନ୍‌ କରେ ।  ଏହା ଘଣ୍ଟାକୁ ପ୍ରାୟ ୮୦ ଲକ୍ଷ ଛବି ଉତ୍ତୋଳନ  କରେ । ଏହି ଏଆଇ ଆଲ୍‌ଗୋରିଦମ ଛବିଗୁଡ଼ିକର  ବିଶ୍ଳେଷଣ କରେ ଏବଂ ଭ୍ରୂଣ ବିଶେଷଜ୍ଞ ଚିହ୍ନଟ  କରିପାରିନଥିବା ବିରଳ ଶୂକ୍ରାଣୁ କୋଷିକାଗୁଡ଼ିକୁ  ଅଲଗା କରେ ।  

ଶୂକ୍ରାଣୁ ଚିହ୍ନଟ ହେବା ପରେ ମାଇକ୍ରୋଫ୍ଲୁଇଡିକ୍‌  ଚିପ୍‌ ସେଗୁଡ଼ିକୁ ଏକ ଅଲଗା ଚ୍ୟାନେଲ୍‌କୁ ଯିବାକୁ  ଦିଏ । ସେଣ୍ଟ୍ରିଫ୍ୟୁଗେସନ୍‌ କିମ୍ବା ଅନ୍ୟ ସମ୍ଭାବ୍ୟ  ହାନିକାରକ ପ୍ରକ୍ରିୟାର ଆବଶ୍ୟକ ବିନା ଏହି ଶୂକ୍ରାଣୁ  ଅଲଗା ହୁଅନ୍ତି । ଏହି ପ୍ରକ୍ରିୟା ମୂଲ୍ୟବାନ ଶୂକ୍ରାଣୁଙ୍କ  ସଂରକ୍ଷଣକୁ ସୁନିଶ୍ଚିତ କରେ ଏବଂ ପ୍ରଜନନ ପାଇଁ  ମଧ୍ୟ ଏହାକୁ ପ୍ରୟୋଗ କରାଯାଇପାରେ । ଏହା  ସର୍ଜରି ଓ ରସାୟନ-ମୁକ୍ତ ବିକଳ୍ପ ପ୍ରଦାନ କରେ । 

ଚିକିତ୍ସା ବିଜ୍ଞାନ ଓ ଉନ୍ନତ ଟେକ୍ନୋଲୋଜିର  ଏହା ସମନ୍ୱୟ । ଦୀର୍ଘ ଦୁଇ ଦଶନ୍ଧି ଧରି ଗର୍ଭଧାରଣ  ପାଇଁ ଚେଷ୍ଟା କରୁଥିବା ଉକ୍ତ ଦମ୍ପତିଙ୍କ ସଫଳ  କାହାଣୀ ଏହାର ସଦ୍ୟ ପ୍ରମାଣ । ଦମ୍ପତି ୧୫  ଥର ଆଇଭିଏଫ୍‌ରେ ଗର୍ଭଧାରଣ କରି ବିଫଳ  ହୋଇଥିଲେ । ଷ୍ଟାର୍‌ ସିଷ୍ଟମ୍‌ ଉପଯୋଗର ଏକ  ଚିକିତ୍ସକୀୟ ପରୀକ୍ଷଣରେ ଅଂଶଗ୍ରହଣ କରିବା  ପରେ ସେମାନଙ୍କ ଭାଗ୍ୟ ବଦଳିଲା । ଏହି ଏଆଇ  ସିଷ୍ଟମ୍‌ ସଫଳତାପୂର୍ବକ ବ୍ୟକ୍ତିଙ୍କ ମୂଲ୍ୟବାନ ଶୂକ୍ରାଣୁ  ଚିହ୍ନଟ କଲା, ଯାହା ସଫଳ ଗର୍ଭଧାରଣର ମାର୍ଗ  ପ୍ରଶସ୍ତ କଲା ।  

ବିଭିନ୍ନ ପ୍ରଜନନ ସମସ୍ୟାର ସମାଧାନରେ  ଏଆଇର ସାମର୍ଥ୍ୟକୁ ନେଇ ଆଶାବାଦୀ ହୋଇଛନ୍ତି  କଲମ୍ବିଆ ବିଶ୍ୱବିଦ୍ୟାଳୟ ପ୍ରଜନନ କେନ୍ଦ୍ରର ନିର୍ଦ୍ଦେଶକ ଓ ଷ୍ଟାର୍‌ ପ୍ରୋଜେକ୍ଟର ମୁଖ୍ୟ ଡା.  ଜେଭ୍‌ ୱିଲିୟମ୍ସ । ଆଜୋସ୍ପର୍ମିଆର ମୁକାବିଲା ଲାଗି  ଷ୍ଟାର୍‌ ସିଷ୍ଟମ୍‌ ବିକଶିତ ହୋଇଥିବାବେଳେ ସମାନ  ପ୍ରକାର ଏଆଇ ଟେକ୍ନୋଲୋଜି ପ୍ରଜନନ ଚିକିତ୍ସାର  ଅନ୍ୟ ଦିଗଗୁଡ଼ିକର ପ୍ରୋତ୍ସାହନ ଲାଗି ଉପଯୋଗ ହୋଇପାରିବ।