ନୂଆଦିଲ୍ଲୀ ୨୯/୧୨:  ଆଜିକାଲି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ) ର ବ୍ୟବହାର ସବୁକ୍ଷେତ୍ରରେ କରାଯାଉଛି । ଏଭଳି ସମୟରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଏଆଇ ଇନ୍‌ଫ୍ଲୁଏନ୍ସର ଏଟାନା ଲୋପେଜ୍‌ । ସ୍ପେନ୍‌ର ଏକ ମଡେଲିଂ ଏଜେନ୍ସି ‘ଦ କ୍ଲୁଲେସ୍‌’ ଏହାର ପ୍ରସ୍ତୁତକର୍ତ୍ତା ହୋଇଥିବାବେଳେ ରୁବେନ୍‌ କ୍ରୁଜ୍‌ ହେଉଛନ୍ତି ସେହି ଏଜେନ୍ସିର ମାଲିକ । ଏଟାନା ଦେଖିବାକୁ ଏତେ ସୁନ୍ଦର ଯେ ପ୍ରସିଦ୍ଧ ମଡେଲ୍‌ମାନେ ବି ତା’ ସାମ୍ନାରେ ଫିକା ପଡି଼ଯିବେ । ଇନ୍‌ଷ୍ଟାଗ୍ରାମରେ ଏଟାନା ସକ୍ରିୟ ରହୁଥିବାବେଳେ ତାର ପ୍ରୋଫାଇଲ୍‌ରେ ଅନେକ ଗୁଡି଼ଏ ଫଟୋ ରହିଛି । ସେଥିରେ ସେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । କେଉଁଥିରେ ସେ ଜିମ୍‌ କରୁଥିବାବେଳେ କେଉଁ ଫଟୋରେ ପାର୍ଟି କରୁଥିବା ଅବସ୍ଥାରେ ନଜର ଆସୁଛି । ଲୋକେ ସେହି ଫଟୋଗୁଡି଼କୁ ପସନ୍ଦ କରୁଥିବାବେଳେ ଇନ୍‌ଷ୍ଟାଗ୍ରାମରେ ବର୍ତ୍ତମାନ ତାର ପ୍ରାୟ ୩ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । 

ଏହି ଏଆଇ ମଡେଲ୍‌ ଫ୍ୟାଶନ୍‌, କ୍ରୀଡ଼ା ଓ ଜୀବନଶୈଳୀ ଭିତ୍ତିକ ବିଭିନ୍ନ ବ୍ରାଣ୍ଡ ଲାଗି ବିଜ୍ଞାପନ ମଧ୍ୟ କରିଥାଏ । ସେଥିରୁ ଭାରତୀୟ ମୁଦ୍ରାରେ ଏହା ମାସିକ ୯ ଲକ୍ଷ ଟଙ୍କା ଯାଏ ରୋଜଗାର କରୁଛି । ତାର ଇନ୍‌ଷ୍ଟାଗ୍ରାମ ବାୟୋରେ ଏଟାନା ଏଆଇ ଦ୍ୱାରା ସଞ୍ଚାଳିତ ଜଣେ ୨୫ ବର୍ଷୀୟା ଫିଟନେସ୍‌ପ୍ରେମୀ ସ୍ପେନୀୟ ମଡେଲ୍‌ ବୋଲି ଲେଖାଯାଇଛି । ଏଟାନାକୁ ପରିଚାଳନା କରିବା ଲାଗି ଡିଜାଇନର ଓ ଏଆଇ ବିଶେଷଜ୍ଞମାନଙ୍କର ଏକ ପୂରା ଟିମ୍‌ ରହିଛି ଯାହାକି ତାର ଗତିବିଧି ସଂପର୍କରେ ନିଷ୍ପତ୍ତି ନେଇଥାଏ । ସପ୍ତାହ ସାରା ସେ କ’ଣ କରିବ, ପ୍ରତିଦିନର ସିଡ୍ୟୁଲ କ’ଣ ରହିବ, କେଉଁ ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଅପଲୋଡ୍‌ କରାଯିବ ଏ ସଂପର୍କରେ ସେହି ଟିମ୍‌ ନିଷ୍ପତ୍ତି ନେଇଥାଏ । ଏଟାନାର ଫଟୋକୁ ଫଟୋସପ୍‌ ସହାୟତାରେ ଭିନ୍ନ ଭିନ୍ନ ସ୍ଥାନରୁ ସୁପରଇମ୍ପୋଜ୍‌ କରି ଅନ୍ୟ ଏଆଇ ଫଟୋ ସହ ମିଶାଇ ପ୍ରସ୍ତୁତ କରାଯାଏ । 

ଏଜେନ୍ସିର ଗ୍ରାଫିକ୍‌ ଡିଜାଇନର କହିଛନ୍ତି, ଲୋକେ ଫଟୋ ନୁହଁ, ବ୍ୟକ୍ତିଗତ ଜୀବନକୁ ଫଲୋକୁ କରନ୍ତି ବୋଲି ଆମେ ବୁଝିସାରିଛୁ । ସେଥିଲାଗି ଆମେ ଏଟାନାକୁ ଯଥାସମ୍ଭବ ବାସ୍ତବ ରୂପ ଦେବାକୁ ଉଦ୍ୟମ କରିଥାଉ । ସେମାନଙ୍କର ଏହି ଉଦ୍ୟମ ଲୋକଙ୍କ ମଧ୍ୟରେ ଆଦୃତ ମଧ୍ୟ ହେଉଛି । ଏଟାନାର ରୂପଲାବଣ୍ୟରେ ମୁଗ୍ଧ ହୋଇ ସମୟ ସମୟରେ ଲୋକେ ତା’ ସହିତ ଡେଟ୍‌ରେ ଯିବାକୁ ବି ପ୍ରସ୍ତାବ ରଖୁଛନ୍ତି । ସେପଟେ କ୍ଲୁଲେସ୍‌ର ମାଲିକ କ୍ରୁଜ୍‌ କହିଛନ୍ତି, ପାରମ୍ପରିକ ମଡେଲିଂ ଇଣ୍ଡଷ୍ଟ୍ରିରେ ଥିବା କିଛି ସମସ୍ୟାର ସମାଧାନ ଲାଗି ଏଟାନାକୁ ବିକଶିତ କରାଯାଇଛି । ଏହା କେବଳ ଏକ ଡିଜିଟାଲ ଅବତାର ନୁହେଁ, ତାକୁ ଧ୍ୟାନପୂର୍ବକ ଏଆଇ ଓ ଇମେଜ ମାନିପୁଲେସନ୍‌ ସଫ୍ଟୱେର ସହାୟତାରେ ପ୍ରସ୍ତୁତ କରାଯାଇଛି । ପ୍ରଚଳିତ ଟ୍ରେଣ୍ଡକୁ ଧ୍ୟାନରେ ରଖି ତାର ଗତିବିଧିକୁ ରୂପରେଖ ଦିଆଯାଇଥାଏ । ଏହା ହିଁ ଏଟାନାର ସଫଳତାର ରହସ୍ୟ ବୋଲି ସେ ଦର୍ଶାଇଛନ୍ତି ।