ନୂଆଦିଲ୍ଲୀ, ୨୭।୧୦: ନିକଟରେ ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଏକ ବଡ଼ ଘୋଷଣା କରିଛନ୍ତି । ଏକା ସାଙ୍ଗରେ ୮୩ଟି ପିଲା ଜନ୍ମ କରିବେ ଏଆଇ ମନ୍ତ୍ରୀ । ଆଲବାନିଆର AI ମନ୍ତ୍ରୀ ଡିଏଲା ଏବେ ଗର୍ଭବତୀ ଥିବା କହିଛନ୍ତି । 'ଡିଏଲା' ହେଉଛନ୍ତି ଏଆଇ ଉପରେ ଆଧାରିତ ବିଶ୍ୱର ପ୍ରଥମ ମନ୍ତ୍ରୀ । ଜର୍ମାନୀର ବର୍ଲିନରେ ଅନୁଷ୍ଠିତ ଗ୍ଲୋବାଲ ଡାଇଲଗ୍ କନଫରେନ୍ସ ସମୟରେ ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଏହି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଜର୍ମାନୀର ବର୍ଲିନରେ ଅନୁଷ୍ଠିତ ସମ୍ମିଳନୀରେ ରାମା କହିଥିଲେ, “ଆଜି ଆମେ ଡାଏଲା ସହିତ ଏକ ବଡ଼ ରିସ୍କ ନେଇଥିଲୁ ଏବଂ ଆମେ ସଫଳ ହୋଇଥିଲୁ । ତେଣୁ ପ୍ରଥମ ଥର ପାଇଁ, ଡାଏଲା ଗର୍ଭବତୀ ଅଛନ୍ତି ଏବଂ ତାଙ୍କର ୮୩ଟି ସନ୍ତାନ ଜନ୍ମ ନେବେ ।”
ଏବେ ପ୍ରଶ୍ନ ଉଠୁଛି ଜଣେ ଡାଏଲା ଯଦି ଏଆଇ ମନ୍ତ୍ରୀ, ସେ କିପରି ଗର୍ଭବତୀ ହେଲେ ? କହରଖୁଛୁ ଯେ, ଡିଏଲା ଜଣେ ଏଆଇ । ପ୍ରଧାନମନ୍ତ୍ରୀ ରାମାଙ୍କ କହିବାନୁସାରେ, ଡିଏଲା ଗର୍ଭବତୀ ଏବଂ ୮୩ ଜଣ ପିଲାଙ୍କୁ ଜନ୍ମ ଦେବେ, ଏହା ପ୍ରକୃତ ଗର୍ଭଧାରଣକୁ ବୁଝାଉନାହିଁ ବରଂ ଏହା ଏକ ପ୍ରତୀକକୁ ଦର୍ଶାଏ ଯେ, ଡିଏଲାଙ୍କ ୮୩ ଜଣ ଏଆଇ ସହାୟକ ସଂସଦରେ ସେବା କରିବେ । ଏହାର ଅର୍ଥ ହେଉଛି ଏହି ପିଲାମାନେ ପ୍ରକୃତ ମଣିଷ ନୁହଁନ୍ତି, ବରଂ ଏକ ଏଆଇ କାର୍ଯ୍ୟକ୍ରମ ବା ସିଷ୍ଟମର ସହାୟକ ଏଜେଣ୍ଟ ଯାହା ସାଂସଦମାନଙ୍କୁ ସହାୟତା କରିବ ଏବଂ ତଥ୍ୟ ଟ୍ରାକ୍ କରିବ । ବାସ୍ତବରେ, ଡାଏଲାଙ୍କର କୌଣସି ଶାରୀରିକ ଗର୍ଭଧାରଣ ହୋଇନାହିଁ ।
ଡିଏଲାର ଅର୍ଥ କ’ଣ ? ଆଲବାନିଆରେ ଡିଏଲାର ଅର୍ଥ ସୂର୍ଯ୍ୟ । ଡାଏଲା ବିଶ୍ୱର ପ୍ରଥମ ଏଆଇ-ଜାତ ସରକାରୀ ମନ୍ତ୍ରୀ । ତାଙ୍କୁ ପାରମ୍ପରିକ ଆଲବାନିଆ ପୋଷାକ ପିନ୍ଧିଥିବା ଜଣେ ମହିଳା ଭାବରେ ଚିତ୍ରଣ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ଏଡି ରାମା ଯାହାକୁ ୮୩ ଜଣ ପିଲା ବୋଲି କହୁଛନ୍ତି ସେମାନେ ହେଲେ ୮୩ଟି ନୂଆ ଏଆଇ ଆସିଷ୍ଟାଣ୍ଟ । ପ୍ରତ୍ୟେକ ଆସିଷ୍ଟାଣ୍ଟ ସଂସଦୀୟ ଅଧିବେଶନରେ ଅଂଶଗ୍ରହଣ କରୁଥିବା ଲୋକଙ୍କ ପାଇଁ ସହାୟକ ଭାବରେ କାର୍ଯ୍ୟ କରିବେ ଏବଂ ଯାହା ଘଟୁଛି ତାର ରେକର୍ଡ ରଖିବେ । ଏହା ସହ ସଂସଦର ସଦସ୍ୟମାନଙ୍କୁ ପରାମର୍ଶ ମଧ୍ୟ ଦେବେ । ୨୦୨୬ ଶେଷ ସୁଦ୍ଧା ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହେବ । କହିରଖୁଛୁ ଯେ, ଜାନୁଆରୀ ମାସରେ ଇ-ଆଲବାନିଆ ପୋର୍ଟାଲରେ ଏକ ଭର୍ଚୁଆଲ୍ ସହାୟକ ଭାବରେ ଆରମ୍ଭ ହୋଇଥିଲା ଏଆଇ ଡିଏଲା ।