ମହାରାଷ୍ଟ୍ର ୧୮/୦୮: ପ୍ରଯୁକ୍ତିବିଦ୍ୟାର ଉନ୍ନତି ସହ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ) ଏବେ ସବୁ କ୍ଷେତ୍ରରେ ମଣିଷ ଲାଗି ଉପାଦେୟ ସାବ୍ୟସ୍ତ ହେଉଛି । ସଦ୍ୟତମ ମାମଲାରେ ଏଆଇ ସହାୟତାରେ ମହାରାଷ୍ଟ୍ର ପୁଲିସ ଏକ ହିଟ୍‌ ଆଣ୍ଡ ରନ୍‌ ମାମଲାର ଅଭିଯୁକ୍ତଙ୍କୁ ମାତ୍ର ୩୬ ଘଣ୍ଟା ମଧ୍ୟରେ ଗିରଫ କରିଥିବା ସୂଚନା ମିଳିଛି । 

ଘଟଣାଟି ଏହିପରି । ଅଗଷ୍ଟ ୯ରେ ନାଗପୁରରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ବାଇକ୍‌ରେ ଯାଉଥିବାବେଳେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା । ଏଥିଯୋଗୁ ମହିଳାଜଣକ ସଡ଼କରେ ଛିଟିକି ପଡି଼ଥିଲେ । ଟ୍ରକ୍‌ ଡ୍ରାଇଭର ତାଙ୍କ ଉପରେ ଗାଡି଼ ମଡ଼ାଇ ନେଇ ପଳାଇଥିଲେ । ପରବର୍ତ୍ତୀ ସମୟରେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଶବକୁ ବାଇକ୍‌ରେ ବାନ୍ଧି ପୈତୃକ ଗାଁକୁ ନେଇଯିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏପରିସ୍ଥଳେ ଏହି ହିଟ୍‌ ଆଣ୍ଡ ରନ୍‌ ମାମଲା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିଲା । ଯଥାଶୀଘ୍ର ଏହାର ଅଭିଯୁକ୍ତଙ୍କୁ ଗିରଫ ଲାଗି ପୁଲିସ ଉପରେ ଚାପ ସୃଷ୍ଟି ହୋଇଥିଲା ।

ନାଗପୁର ଗ୍ରାମୀଣ ଏସ୍‌ପି ହରିଶ ପୋଦ୍ଦାର କହିଛନ୍ତି, ତଦନ୍ତ ସମୟରେ ପୀଡି଼ତ ବ୍ୟକ୍ତି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ସଂପର୍କରେ ଅଧିକ ସୂଚନା ଦେଇପାରିନଥିଲେ । କେବଳ ଟ୍ରକ୍‌ରେ ନାଲି ରଙ୍ଗର ଚିହ୍ନ ଥିବା ସେ ଦର୍ଶାଇଥିଲେ । ଏହାପରେ ସେମାନେ ୩ଟି ଭିନ୍ନ ଭିନ୍ନ ଟୋଲ୍‌ ପ୍ଲାଜାର ସିସିଟିଭି ଡାଟାକୁ ସଂଗ୍ରହ କରି ୨ଟି ଏଆଇ ଆଲ୍‌ଗୋରିଦମ୍‌ ସାହାଯ୍ୟରେ ତାର ବିଶ୍ଳେଷଣ ମାଧ୍ୟମରେ ମାମଲାର ସମାଧାନ ଲାଗି ଉଦ୍ୟମ କରିଥିଲେ । ପ୍ରଥମ ଆଲଗୋରିଦମ୍‌ ଅନୁସାରେ ନାଲି ରଙ୍ଗର ଚିହ୍ନ ଥିବା ଟ୍ରକ୍‌ଗୁଡି଼କୁ ସିସିଟିଭି ଫୁଟେଜ୍‌ରୁ ବଛାଯାଇଥିଲା । ପରବର୍ତ୍ତୀ ସମୟରେ ଦ୍ରୁତ ଗତି ଆଧାରରେ କିଛି ଟ୍ରକ୍‌କୁ ବଛାଯାଇଥିଲା । ଶେଷରେ ୩୬ ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା । ଟ୍ରକ୍‌କୁ ନାଗପୁରଠାରୁ ୭୦୦ କିମି ଦୂରରୁ ଉଦ୍ଧାର କରାଯାଇଛି । ଏଆଇ ଦ୍ୱାରା ହିଁ ସେମାନେ ଏହି ସଫଳତା ପାଇଥିବା ପୋଦ୍ଦାର କହିଛନ୍ତି । 

ମହାରାଷ୍ଟ୍ର ସରକାର ମାରଭେଲ(ମହାରାଷ୍ଟ୍ର ରିସର୍ଚ୍ଚ ଆଣ୍ଡ ଭିଜିଲାନ୍ସ ଫର୍‌ ଏନହାନ୍ସଡ୍‌ ଲ ଏନଫୋର୍ସମେଣ୍ଟ) ନାମକ ଏକ ସ୍ୱତନ୍ତ୍ର ବାହନ ବନାଇଛନ୍ତି । ଏହା ଦେଶର ପ୍ରଥମ ରାଜ୍ୟ ସ୍ତରୀୟ ପୁଲିସ ଏଆଇ ସିଷ୍ଟମ । ରାଜ୍ୟ ସରକାରଙ୍କ ବିଭିନ୍ନ ଆଇନ ପ୍ରବର୍ତ୍ତନ ଏଜେନ୍ସି ଓ ଅନ୍ୟ ବିଭାଗରେ ଏଆର ବ୍ୟବହାର ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି ।