ଭୁବନେଶ୍ଵର, ୨୦/୦୧ : ରତ୍ନ ସିଂହାସନରୁ ଓହ୍ଲାଇ ଆସିଲେ କାଳିଆ ସାଆନ୍ତ। ସିଧା ସିଂହଦ୍ଵାର ସମ୍ମୁଖରେ ବିରାଜିଲେ ଚକା ନୟନ। ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ହେଲା ଜଳାଭିଷେକ। ଶୀତ ଦିନଟାରେ ବିଚରା କାଳିଆକୁ ଗାଧୋଇ ଦେଲେ ପଣ୍ଡା ପଢିଆରୀ। ଅଦିନରେ ହେଲା ଦେବସ୍ନାନ। ହେଲେ ସ୍ନାନ ମଣ୍ଡପରେ ନୁହେଁ ବଡ଼ଦାଣ୍ଡରେ ଗାଧୋଇଲେ ନୀଳାଦ୍ରିନାଥ। ୧୦୮ ଗରା ସୁବାସିତ ଜଳରେ ନୁହେଁ କ୍ରେନ୍ ରେ ହେଲା ଅଭିଷେକ। ଏକଥା ଆମେ କହୁନୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଏଭଳି ଏକ ଏଆଇ ଭିଡିଓ ପ୍ରସ୍ତୁତ ହୋଇଛି। ଏହି ଭଡିଓ ଏବେ କୋଟି କୋଟି ଜଗାପ୍ରେମୀଙ୍କୁ ଆଘାତ ଦେଇଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଏଆଇ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭ୍ରମାତ୍ମକ ପ୍ରଚାର କରାଯାଉଛି। କୋଟି କୋଟି ଲୋକେ ଏହି ଭିଡିଓ ଦେଖି ଏହାକୁ ସତ ଭାବିବା ସହ ପୁରୀରେ ଏଭଳି ନୀତି ପ୍ରଚଳିତ ଥିବା ବିଶ୍ୱାସ କରୁଛନ୍ତି। ଭିଡିଓରେ ଶ୍ରୀମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ଏକ ବିଶାଳକାୟ ମୂର୍ତ୍ତି ମଞ୍ଚ ଉପରେ ବସିଛନ୍ତି ଏବଂ ମୂର୍ତ୍ତି ଉପରେ କ୍ରେନ୍ରେ ପାଣି ଢଳା ଯାଉଛି । ଏଭଳି ପରମ୍ପରା ବିରୋଧୀ ଭିଡିଓ ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି। ଅନ୍ୟ ଏକ ଭିଡିଓରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଦୁଇ ହାତରେ ଶଙ୍ଖ ଚକ୍ର ଧରିଛନ୍ତି । ଶ୍ରୀମନ୍ଦିର ସମ୍ମୁଖରେ ସମ୍ପୂର୍ଣ୍ଣ ସମୁଦ୍ରର ଭ୍ରମ ସୃଷ୍ଟି କରାଯାଇଛି।

ଏହି ଏଆଇ ଭିଡିଓରେ ପରମ୍ପରା ବିରୋଧୀ ଚିତ୍ର ରହିଛି। ଏନେଇ ଏବେ ପ୍ରବଳ ବିରୋଧ କରାଯାଉଛି। ସୋସିଆଲ ମିଡିଆରୁ ଏଭଳି ଭିଡିଓ ହଟାଇବା ସହ ଏମିତି ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ ପାଢୀ ପୁରୀ ସିଂହଦ୍ୱାର ସାଇବର ଥାନାରେ ଏକ ଏତଲା ଦେଇଛନ୍ତି। ସେପଟେ ସିଂହଦ୍ବାର ସାଇବର ଥାନାରେ ଏତଲା ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଛି । ଭିଡିଓ ଭାଇରାଲ କରିଥିବା ଓ୍ବେବସାଇଟକୁ ତଥ୍ୟ ମାଗିଛି ପୁଲିସ । କେଉଁ ଉଦ୍ଦେଶ୍ୟରେ ଏହି ଭିଡିଓ ତିଆରି କରାଯାଇ ପୋଷ୍ଟ ହୋଇଛି ତା’ର ତଦନ୍ତ ହେବ । ଏହା ସହ ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୀ ଏସପି ପ୍ରତୀକ ସିଂହ କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ଜାତୀୟ ରାଜପଥ ଉପରେ ଛିଣ୍ଡି ପଡ଼ିଲା ୧୩୦ କେଭି ତାର, ପାରାଦୀପରୁ କଟକ ଯାତାୟାତ ଠପ୍