ଭୁବନେଶ୍ୱର,୨୧/୦୭:ଭୁବନେଶ୍ୱର ଏମ୍‌ସ କାର୍ଯ୍ୟକ୍ଷମ ହେବାକୁ ୧୧ ବର୍ଷ ବିତିଲାଣି । ହେଲେ ଏବେ ବି ଏମ୍‌ସରେ ଏୟାର ଆମ୍ବୁଲାନ୍ସ ପାଇଁ ‘ହେଲିପ୍ୟାଡ୍‌’ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନି । ଜାତୀୟସ୍ତରରେ ଭୁବନେଶ୍ୱର ଏମ୍‌ସର ସୁନାମ ବଢ଼ିଛି । ଏମ୍‌ସ ପ୍ରତି ଲୋକଙ୍କ ଆସ୍ଥା ବଢ଼ିଛି । ହେଲେ ଜରୁରୀକାଳୀନ ସେବା ଯୋଗାଇବାରେ ବିଫଳ ହେଉଛି ଭୁବନେଶ୍ୱର  ଏମ୍‌ସ । ଯଦି କୌଣସି ଜରୁରୀକାଳୀନ ଚିକିତ୍ସା ଲାଗି ରୋଗୀଙ୍କୁ ତୁରନ୍ତ ଆସିବାକୁ ବା ବାହାରକୁ  ଯିବାକୁ ପଡ଼େ ତେବେ ଏଠାରେ ଏୟାର  ଆମ୍ବୁଲାନ୍ସର ଉଡ଼ାଣ ବା ଅବତରଣ ପାଇଁ  ବ୍ୟବସ୍ଥା ନାହିଁ । 

ଭୁବନେଶ୍ୱର ଏମ୍‌ସ ଅଧିକ୍ଷକ ପ୍ରଫେସର  ଦିଲ୍ଲୀପ କୁମାର ପରିଡ଼ା କହିଛନ୍ତି, ଏଠାରେ  ଏୟାର ଆମ୍ବୁଲାନ୍ସ ପାଇଁ ଯୋଜନା ଅଛି । ବହୁ ପୂର୍ବରୁ ଏହାକୁ କାର୍ଯ୍ୟକାରିବା ଲାଗି ପଦକ୍ଷେପ  ନିଆଯାଇଛି । ବର୍ତ୍ତମାନ ପରିସରରେ ଥିବା ମଲ୍‌ଟି ପାର୍କିଂ ବିଲ୍ଡିଂ ଉପରେ ହେଲିପ୍ୟାଡ୍‌ ନିର୍ମାଣ  ପାଇଁ ଯୋଜନା ରହିଛି । ସେଥିପାଇଁ ହସ୍ପିଟାଲ୍‌  କର୍ତ୍ତୃପକ୍ଷ, ସରକାର ଓ ବେସାମରିକ ବିମାନ  ଚଳାଚଳ ମହାନିର୍ଦ୍ଦେଶାଳୟ ସହ ଆଲୋଚନା ଚାଲିଛି। ଖୁବ୍‌ଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ ।  

ପ୍ରଫେସର ପରିଡ଼ା କହିଛନ୍ତି, ବିଶେଷ କରି ହେଲିପ୍ୟାଡ୍‌ ବ୍ୟବସ୍ଥା ହେଲେ ରୋଗୀ ଉପକୃତ ହେବେ । କାରଣ ସାଧାରଣତଃ ହେଲିକପ୍ଟରରେ ରୋଗୀଙ୍କୁ ରାଜ୍ୟ ବାହାର ତଥା ବହୁ ଦୂର ସ୍ଥାନକୁ ଯାତ୍ରା କରିବା ସମ୍ଭବ ନୁହେଁ । ଏହା କେବଳ ଓଡ଼ିଶା ଭିତରେ ସମ୍ଭବ ହୋଇପାରିବ । ସାଧାରଣତଃ ଏୟାର ଆମ୍ବୁଲାନ୍ସ ପାଇଁ ରନୱେ ଆବଶ୍ୟକ । ବିନା ଏୟାରପୋର୍ଟରେ ଏୟାର ଆମ୍ବୁଲାନ୍ସ ଚଳାଚଳ ସମ୍ଭବ ନୁହେଁ । 

ବଡ଼ ଦୁର୍ଘଟଣା ବା ପ୍ରାକୃତିକ ବିପର୍ଯ୍ୟୟ ହେଉ ତୁରନ୍ତ ଜରୁରିକାଳୀନ ଚିକିତ୍ସା ଆବଶ୍ୟକ  ହୁଏ । ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ନୂଆ ଜୀବନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏମ୍‌ସ । ହେଲେ ଯଦି ହେଲିପ୍ୟାଡ୍‌  ବ୍ୟବସ୍ଥା ଉପଲବ୍ଧ ଥାନ୍ତା, ତାହେଲେ ଆହୁରି ବହୁ ଆହତ ବଞ୍ଚିଯାଇପାରିଥାନ୍ତେ । ବଡ଼ ବଡ଼ ଦୁର୍ଘଟଣାରେ ହେଲିକପ୍ଟରରେ ଗୁରୁତର  ଆହତଙ୍କୁ ଏମ୍‌ସ ଅଣାଯାଇପାରିଲେ ଆହତଙ୍କୁ ବଞ୍ଚାଯାଇ ପାରନ୍ତା ।  

ଓଡ଼ିଶାର ମାଓ ଅଧ୍ୟୁଷିତ ଅଞ୍ଚଳରେ ଅନେକ  ସମୟରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ  ଗୁଳିଗୋଳା ବିନିମୟ ଏକ ନିତିଦିନିଆ କଥା । ଅନେକ ସମୟରେ ନକ୍ସଲଙ୍କ ଆକ୍ରମଣରେ  ସୁରକ୍ଷାକର୍ମୀ ମୃତାହତ ହେଉଛନ୍ତି । ଏମ୍‌ସରେ  ହେଲିପ୍ୟାଡ ନଥିବାରୁ ଗୁରୁତର ଆହତଙ୍କୁ ତୁରନ୍ତ  ଏମସକୁ ଅଣାଯାଇ ପାରୁନାହିଁ । ଜରୁରିକାଳୀନ  ସେବା ଯୋଗାଇବା ପାଇଁ କେନ୍ଦ୍ର ସରକାର ସମସ୍ତ  ଏମ୍‌ସରେ ଏୟାର ଆମ୍ବୁଲାନ୍ସ ପାଇଁ ଯୋଜନା  କରିଛନ୍ତି । ହେଲେ ଏହା କେବଳ ଯୋଜନାରେ  ରହିଯାଇଛି । ବର୍ତ୍ତମାନ ଦିଲ୍ଲୀ ଏମ୍‌ସ, ରାୟପୁର, ଡେରାଡ଼ୁନ୍‌ ଋଷିକେଶରେ ହେଲିପ୍ୟାଡ୍‌ ବ୍ୟବସ୍ଥା  ରହିଛି । ୨୦୨୩ରେ କେନ୍ଦ୍ର ସରକାର ଆହତଙ୍କ  ଚିକିତ୍ସା ପାଇଁ ଦେଶର ୬୦୦ଟି ଜାତୀୟ ରାଜପଥରେ ହେଲିକପ୍ଟର୍ସ ଫର୍‌ ଏମର୍ଜେନି୍ସ  ମେଡିକାଲ ସର୍ଭିସ(ଇଏମ୍‌ଏସ୍‌) ଯୋଜନା ଆରମ୍ଭ  କରିବାକୁ ଯାଉଛନ୍ତି । ସଡ଼କ ଦୁର୍ଘଟଣାରେ ଗୁରୁତର  ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ  ହେଲିକପ୍ଟର ବ୍ୟବସ୍ଥା କରିଛନ୍ତି । ସେଥିପାଇଁ  ଆବଶ୍ୟକ ହେଲିକପ୍ଟର ଯୋଗାଇ ଦିଆଯିବ ।