ଭୁବନେଶ୍ୱର ୧୦/୦୮: କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ଗ୍ରୀଡ୍‌ ନିର୍ମାଣ ହେବ । ଏହା ସହ ଗ୍ରାନାଇଟ୍‌ ଫ୍ଲୋରିଂ ଏବଂ ପ୍ରିକାଷ୍ଟ କପିଂ ବ୍ଲକ୍‌  ସହିତ ପ୍ଲାଟଫର୍ମ ପୃଷ୍ଠର ନବୀକରଣ କରାଯିବ । ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଏୟାର  କନକୋର୍ସ ପାଇଁ ପାଇଲ୍‌ ଫାଉଣ୍ଡେସନ୍‌ ଏବଂ ଷ୍ଟିଲ୍‌ ସ୍ତମ୍ଭ ଓ ଅନ୍ୟାନ୍ୟ ସୁରକ୍ଷା  ସମ୍ୱନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ  ମଧ୍ୟ ହେବ । ଯାହାକୁ ଦୃଷ୍ଟିରେ ରଖି  ଆସନ୍ତା ୧୧ ତାରିଖରୁ ନଭେମ୍ବର ୨୧  ପର୍ଯ୍ୟନ୍ତ ୪୦ ଦିନ ପାଇଁ ଡାଇଭର୍ଟ  ରୁଟ୍‌ରେ ତିନୋଟି ଦୂରଗାମୀ ଟ୍ରେନ ଚଳାଚଳ କରିବ ।  

ବାରଙ୍ଗ-କଟକ-କପିଳାସ ରୋଡ୍‌ ଦେଇ ନିର୍ଦ୍ଧାରିତ ପଥ ପରିବର୍ତ୍ତେ ବାରଙ୍ଗ-ନରାଜ ମାର୍ଥାପୁର-କପିଲାସ ରୋଡ୍‌ ଦେଇ ତିନୋଟି ଦୂରଗାମୀ ଟ୍ରେନ ଚାଲିବ । କଟକ ଷ୍ଟେସନରେ ଏହି ଟ୍ରେନଗୁଡ଼ିକର ରହଣି ବାଦ୍‌ ଦିଆଯିବ । ଆସନ୍ତା ୧୧ରୁ  ସେପ୍ଟେମ୍ୱର ୨୧ ପର୍ଯ୍ୟନ୍ତ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ଅସ୍ଥାୟୀ ରହଣି  ଯୋଗାଇ ଦିଆଯିବ । କୋଏମ୍ୱାଟୁର-ସିଲଚର ସାପ୍ତାହିକ ସୁପର-ଫାଷ୍ଟ ଏକ୍ସପ୍ରେସ, ଏର୍ଣ୍ଣାକୁଲମ-ପାଟନା ଦ୍ୱି-ସାପ୍ତାହିକ ଏକ୍ସପ୍ରେସ ଏବଂ ବେଙ୍ଗାଲୁରୁ-ଗୌହାଟି ତ୍ରିସାପ୍ତାହିକ ଏକ୍ସପ୍ରେସ ଆସନ୍ତା ୧୧ରୁ ସେପ୍ଟେମ୍ୱର ୨୧ ପର୍ଯ୍ୟନ୍ତ କଟକ ରେଳ ଷ୍ଟେସନ ପରିବର୍ତ୍ତେ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହିବ ।