ନୂଆଦିଲ୍ଲୀ,୨।୯:  ଏୟାର ଇଣ୍ଡିଆର ଆଉ ଏକ ବିମାନର ପାଇଲଟ୍‌ ଟେକଅଫ୍‌ର କିଛି ସମୟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ଏଟିସିକୁ ଆସିଥିଲା ‘ମେଡେ କଲ୍‌’। କିନ୍ତୁ ଏଥର ଆଶ୍ବସ୍ଥିଜନକ କଥା ଥିଲା। ଏହି ଏୟାରକ୍ରାଫ୍ଟ ସେହି ଏୟାରପୋର୍ଟରେ ସୁରକ୍ଷିତ ଭାବରେ ଲ୍ୟାଣ୍ଡିଂ କରିଥିଲା, ଯେଉଁଠାରୁ ଉଡାଣ ଭରିଥିଲା।

ଏୟାର ଇଣ୍ଡିଆର ଫ୍ଲାଇଟ ନମ୍ବର ଏଆଇ-୨୯୧୩ର ଏହି ବିମାନ ଦିଲ୍ଲୀରୁ ଇନ୍ଦୋର ଅଭିମୁଖେ ଉଡାଣ ଆରମ୍ଭ କରିଥିଲା।  ରିପୋର୍ଟ ଅନୁସାରେ କିଛି ସମୟ ପରେ ପାଇଲଟଙ୍କୁ ଡାହାଣ ଇଞ୍ଜିନରେ ନିଆଁ ଲାଗିବାର ଆଲର୍ଟ ମିଳିଥିଲା। ଏହାପରେ ତୁରନ୍ତ ପାଇଲଟ୍ ବିମାନରେ ‘ମେଡେ ଘୋଷଣା କରିଥିଲେ, ଯାହା ପରେ ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲ ବିମାନବନ୍ଦରରେ ପୂର୍ଣ୍ଣ ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲା ଏବଂ ଦମକଳ ସହିତ ଉଦ୍ଧାରକାରୀ କର୍ମଚାରୀଙ୍କୁ ପ୍ରସ୍ତୁତ ହୋଇଯାଇଥିଲେ।  ବିମାନରୁ ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର ସୁରକ୍ଷିତ ବାହାରି ଆସିଥିଲେ।

​​​​​​​ଉଲ୍ଲେଖନୀୟ ଯେ,  ‘ମେଡେ କଲ୍ ଏକ ଆନ୍ତର୍ଜାତୀୟ ଜରୁରୀକାଳୀନ ସଙ୍କେତ, ଯାହା ରେଡିଓ ମାଧ୍ୟମରେ ପଠାଯାଏ। ଏହା ଏକ ଗମ୍ଭୀର ଚେତାବନୀ, ଯେଉଁଥିରେ ତୁରନ୍ତ ସାହାଯ୍ୟର ଆବଶ୍ୟକତା ହୋଇଥାଏ।ଏହି ଘଟଣା ରବିବାର ଘଟିଥିଲା। ଚଳିତ ବର୍ଷ ଜୁନ ୧୨ ତାରିଖରେ ଅହମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା। ସେହି ବିମାନର ପାଇଲଟ ମଧ୍ୟ ‘ମେଡେ କଲ୍ ଦେଇଥିଲେ, କିନ୍ତୁ କିଛି ସେକେଣ୍ଡ ପରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ  ୨୪୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା।  ​​​​​​​