ନୂଆଦିଲ୍ଲୀ,୩୧/୦୧: ଏଣିକି ବିମାନରେ ଅଧିକ ଜିନିଷ ନେଇପାରିବେ ଯାତ୍ରୀ । ନିଜର ବ୍ୟାଗେଜ ପଲିସି ପରିବର୍ତ୍ତନ କରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ । ଯାହାଦ୍ବାରା ଯାତ୍ରୀମାନଙ୍କ ଚେକ୍-ଇନ ବ୍ୟାଗେଜ୍‌ର ସୀମା ବଢାଇ ଦିଆଯାଇଛି। ଏହା ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଯାତ୍ରୀମାନେ ୨୦ କିଲୋଗ୍ରାମ ପର୍ଯ୍ୟନ୍ତ ନିଜର ଜିନିଷ ବିମାନରେ ନେଇପାରୁଥିଲେ । ହେଲେ ବର୍ତ୍ତମାନ ଏହାର ସୀମା ବଢାଇ ଦିଆଯାଇ ୩୦ କିଲୋଗ୍ରାମ କରାଯାଇଛି।  




ଏୟାର ଇଣ୍ଡିଆ ଏକ୍ସପ୍ରେସ ନିଜ ଯାତ୍ରୀମାନଙ୍କ ଆଶ୍ବସ୍ତି ପାଇଁ ନେଇଛି ଏଭଳି ନିଷ୍ପତି । ଯେଉଁଥିରେ ଏୟାରଲାଇନ ଚେକ୍‌-ଇନ୍ ବ୍ୟାଗେଜର ଲିମିଟକୁ ବଢାଇ ଦେଇଛି । ଏହା ବ୍ୟତୀତ ଏୟାରଲାଇନ ଏହା ବି କହିଛି ଯେ, ଯେଉଁ ଯାତ୍ରୀ ମାନଙ୍କ ସହିତ ପିଲାମାନେ ଥିବେ ତାଙ୍କର ଅଲଗା ୧୦ କିଲୋର ଚେକ୍-ଇନ ବ୍ୟାଗ୍‌ର ସୁବିଧା ମିଳିବ । ଏୟାର ଲାଇନ ଆହୁରି ମଧ୍ୟ କହିଛି ଯେ, ଯାତ୍ରୀମାନଙ୍କୁ ଏବେ ୩୦ କିଲୋଗ୍ରାମ ଚେକ-ଇନ ବ୍ୟାଗେଜ ସହିତ ୭ କିଲୋର କ୍ୟାବିନ ବ୍ୟାଗେଜର ସୁବିଧା ମିଳିବ । କ୍ୟାବିନ ବ୍ୟାଗେଜର ଆକାର ୪୦ ସେମି x ୩୦ ସେମି x ୧୦ ସେମି ରୁ ଅଧିକ ରହିବନି । 

ଏହା ମଧ୍ୟ ପଢନ୍ତୁ- ୧୨୦୦ ଟଙ୍କାରେ ମିଳୁଛି ୧ ରୁ ୨ ଅଣା, କଏନରେ ଅଛି ଶିବ-ପାର୍ବତୀ ଏବଂ ଶ୍ରୀଗଣେଶଙ୍କ ଚିତ୍ର... ୧୮୧୮ରେ ଜାରି କରିଥିଲା ଇଷ୍ଟଇଣ୍ଡିଆ କମ୍ପାନୀ

ଏହାର ଆକାର ଏଭଳି ହେବା ଆବଶ୍ୟକ ଯାହା ସିଟ ତଳେ ସହଜରେ ରହିପାରିବ । ତେବେ ଏୟାର ଲାଇନର ଏହି ନିୟମ ସବୁ ରୁଟରେ ନୁହଁ ବରଂ କିଛି ରୁଟ ପାଇଁ ବନାଯାଇଛି। ଏହି ନିୟମ ଏୟାର ଇଣ୍ଡିଆ ଏକ୍ସପ୍ରେସ ମଧ୍ୟପ୍ରାଚୀୟ ଓ ସିଙ୍ଗାପୁର  ଯାଉଥିବା ଯାତ୍ରୀମାନଙ୍କ ପାଇଁ ଲାଗୁ କରାଯାଇଛି। ଅନ୍ୟପଟେ  ଅଲଗା ରୁଟ୍ ପାଇଁ ପୂର୍ବ ନିୟମ ହିଁ ରହିବ । ଯେଉଁଥିରେ ୨୦ କିଲୋର ଚେକ୍-ଇନ ବ୍ୟାଗେଜ ଓ ୭ କିଲୋର କ୍ୟାବିନ ବ୍ୟାଗ ନିଆଯାଇପାରିବ ।