ଅହମଦାବାଦ: ଅହମଦାବାଦ ବିମାନ ବନ୍ଦର ନିକଟରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଏହି ବିମାନରେ ମୋଟ ୨୪୨ ଜଣ ଯାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ୬୧ ଜଣ ବିଦେଶୀ ନାଗରିକ ଥିବା ନେଇ ସୂଚନା ମିଳିଛି। ଆଧିକାରିକ ସ୍ତରରେ ଏଯାଏ ମୃତାହତଙ୍କ ସୂଚନା ମିଳିପାରି ନଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଲୋକଙ୍କ ମୃତଦେହ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଛି। 

ସୂଚନା ମୁତାବକ, ଗୁରୁବାର ଅହମଦାବାଦର ସର୍ଦ୍ଦାର ବହ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଟେକ-ଅପ କରିବାର ମାତ୍ର ୫ ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା। ଏହି ବିମାନଟି ଏକ ବୋଇଂ 787 ଡ୍ରିମଲାଇନ ଏୟାରକ୍ରାଫ୍ଟ(AI717) ବୋଲି ଜଣାପଡିଛି। ଯେଉଁଥିରେ ୨୩୨ ଯାତ୍ରୀଙ୍କ ସମେତ ୧୦ ଜଣ କ୍ରିଉ ମେମ୍ୱର ରହିଥିଲେ ବୋଲି ସୂଚନା ମିଳିଛି। ବିମାନଟି ଅପରାହ୍ନ ୨ଟା ସମୟରେ ଅହମ୍ମଦାବାଦ ନିକଟସ୍ଥ ମେଘାନି ନଗର ଅଞ୍ଚଳରେ କ୍ରାସ ହୋଇଥିବା ନେଇ ସୂଚନା ରହିଛି। 




ଏୟାର ଇଣ୍ଡିଆ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ବିବୃତି ଜାରି କରି କହିଛି ଯେ, "ଫ୍ଲାଇଟ AI-171, ଅହମଦାବାଦ-ଲଣ୍ଡନ ଗ୍ୟାଟୱିକ, ଆଜି ଏକ ଘଟଣାର ସମ୍ମୁଖିନ ହୋଇଛି। ଆମେ ଏନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରୁଛୁ ଏବଂ ଏନେଇ ଶୀଘ୍ର ଆପଡେଟ ପ୍ରଦାନ କରିବୁ।" ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଯେଉଁଥିରେ ଅଗ୍ନିଶମ ବାହିନୀ, NDRF ଏବଂ ଅନ୍ୟାନ୍ୟ ଜରୁରୀକାଳିନ ଏଜେନ୍ସି ସାମିଲ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଉଛି ବୋଲି ସୂଚନା ରହିଛି।




ଡିରେକ୍ଟରେଟ ଜେନେରାଲ ଅଫ ସିଭିଲ ଏଭିଏସନ (DGCA)ର ନିର୍ଦ୍ଦେଶକ ଫୈଜ ଅହମ୍ମଦ କିଦୱାଇ ଏକ ସାମ୍ୱାଦିକ ସମ୍ମିଳନି କରି ସୂଚନା ଦେଇ କହିଛନ୍ତି ଯେ “ଏୟାର ଇଣ୍ଡିଆର ବୋଇଂ 787ର AI171 ବିମାନ ମେଘାନୀ ନଗର ଭଳି ଏକ ରେସିଡେନ୍ସିଆଲ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଉଡାଣର ମାତ୍ର ୫ ମିନଟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡିଛି।” ଏହାସହ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ତଥ୍ୟକୁ ମଧ୍ୟ ସାର୍ବଜନୀନ କରାଯାଇଛି। 




ଆପଣଙ୍କୁ ଜଣାଇ ରଖୁ ଯେ ବୋଇଂର 787 ଡ୍ରିମଲାଇନର ଏକ ବିଶାଳ ଉଡାଜାହାଜ। ଯାହାର ଦୁଇଟି ଇଞ୍ଜିନ ରହିବା ସହିତ ବିଶ୍ୱର ବିଭିନ୍ନ ଦେଶର ବିମାନ ସରବରାହ ସଂସ୍ଥା ଦ୍ୱାରା ଏହାର ପରିଚାଳନା କରାଯାଇଥାଏ। ତେବେ ସବୁଠୁ ବଡ କଥା ହେଉଛି ଏଭିଏସନ ସେଫଟି ନେଟୱାର୍କ ଡାଟାବେସ ଅନୁଯାୟୀ ଏହି ପ୍ଲେନର ପୂର୍ବରୁ କୌଣସି ଦୁର୍ଘଟଣା ଜନିତ ରେକର୍ଡ ନାହିଁ। ଭାରତରେ ହୋଇଥିବା ଏହି ଦୁର୍ଘଟଣା ଏହି ବିମାନ ମଡେଲ ପାଇଁ ପ୍ରଥମ ଦୁର୍ଘଟଣା ଜନିତ ରେକର୍ଡ ବୋଲି ଜଣାପଡିଛି। 

ଅଗ୍ନିଶମ ବାହିନୀର ମୋଟ୍ ୭ଟି ନିଆଁଲିଭା ଗାଡି ଉକ୍ତ ଅଞ୍ଚଳରେ ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଖବର ସରବରାହ ସଂସ୍ଥା ଏଏନଆଇ ଖବର ପ୍ରକାଶ କରିଛି। ଦୁର୍ଘଟଣା ହୋଇଥିବା ଅଞ୍ଚଳରୁ ଆସୁଥିବା ବିଭିନ୍ନ ଭିଡିଓ ଓ ଫଟୋରେ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହାସହ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅଞ୍ଚଳରେ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଘର ଭିତରେ ଲୁଚି ରହିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ନିଜର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଘଟଣାସ୍ଥଳକୁ ଆସି ସ୍ଥିତି ଉପରେ ନଜର ରଖିଛନ୍ତି। 




ଅହମଦାବାଦ ଏୟାର ପୋର୍ଟ ଏକ ହେଲ୍ପଲାଇନ ନମ୍ବର 079-22869211 ଜାରି କରିଛି। ଜରୁରୀକାଳୀନ ପରିସ୍ଥିତିରେ ଆପଣ ଏହି ନମ୍ୱରରେ ଯୋଗାଯୋଗ କରି ସର୍ଦ୍ଦାର ବହ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନ ବନ୍ଦର କତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିପାରିବେ। ସେହିଭଳି ବେସାମରିକ ବିମାନ ଚଳାଚଳ ବିଭାଗ ଦ୍ୱାରା ଦୁର୍ଘଟଣାଗ୍ରସ୍ତ AI171 ବିମାନ ସମ୍ୱଦ୍ଧରେ କୌଣସି ସୂଚନା ପାଇଁ ଦୁଇଟି ହେଲ୍ପଲାଇନ ନମ୍ୱର 011-24610843/9650391859 ଜାରି କରାଯାଇଛି। ଅହମଦାବାଦ ବିମାନ ଦୁର୍ଘଟଣା ସମ୍ପର୍କରେ କୌଣସି ସହାୟତାର ଆବଶ୍ୟକ ପଡିଲେ ଏହି ନମ୍ୱରରେ ଯୋଗାଯୋଗ କରିବାକୁ ବିଭାଗ ପକ୍ଷରୁ ଲୋକମାନଙ୍କୁ ଅନୁରୋଧ କରାଯାଇଛି।