ଅହମଦାବାଦ: ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭ ଡ୍ରିମଲାଇନର ବିମାନ (ଫ୍ଲାଇଟ ନଂ AI-171), ଲଣ୍ଡନର ଗ୍ୟାଟୱିକ ବିମାନବନ୍ଦର ଅଭିମୁଖେ ଯାଉଥିବା ସମୟରେ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ପରେ ମାତ୍ର ୫ ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନଟି ମେଘାନିନଗର ଅଞ୍ଚଳରେ ବିମାନବନ୍ଦର ପରିସୀମା ବାହାରେ ଖସି ପଡ଼ିଥିଲା, ଯେଉଁଠାରୁ ଘନ କଳା ଧୂଆଁ ନିର୍ଗତ ହେଉଥିବା ଦୃଶ୍ୟ ଦେଖାଯାଇଥିଲା।
ବିମାନଟି କ୍ୟାପଟେନ ସୁମୀତ ସଭରୱାଲଙ୍କ ନେତୃତ୍ୱରେ ଉଡ଼ାଣ କରୁଥିଲା। ଯାହାଙ୍କ ପାଖରେ ୮୨୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିଲା। ତାଙ୍କ ସହ ଫାର୍ଷ୍ଟ ଅଫିସର କ୍ଲାଇଭ କୁଣ୍ଡାର ଥିଲେ। କ୍ଲାଇଭ୍ ଙ୍କ ନିକଟରେ ୧୧୦୦ ଘଣ୍ଟାର ବିମାନ ଉଡ଼ାଣର ଅଭିଜ୍ଞତା ରହିଛି। ମୋଟ ୯୩୦୦ ଘଣ୍ଟାର ଅଭିଜ୍ଞତା ଥିବା ଏହି ଦୁଇ ପାଇଲଟଙ୍କ ନେତୃତ୍ୱରେ ବିମାନଟି ୨୩୦ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଉଡ଼ାଣ କରିଥିଲା। ଯାତ୍ରୀମାନଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ, ୭ ଜଣ ପର୍ତ୍ତୁଗୀଜ ଏବଂ ଜଣେ କାନାଡୀୟ ନାଗରିକ ଥିଲେ।
ଡିରେକ୍ଟରେଟ ଜେନେରାଲ ଅଫ ସିଭିଲ ଏଭିଏସନ (DGCA) ଅନୁଯାୟୀ, ବିମାନଟି ରନୱେ ନମ୍ବର ୨୩ରୁ ଦିନ ୧:୩୯ ମିନିଟରେ (IST) ଉଡ଼ାଣ କରିଥିଲା। ଉଡ଼ାଣ ପରେ ସଙ୍ଗେ ସଙ୍ଗେ ପାଇଲଟମାନେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC)କୁ ଏକ ମେଡେ କଲ ଦେଇଥିଲେ। ଯାହା ବିମାନର କୌଣସି ଗୁରୁତର ଜରୁରୀ ସ୍ଥିତିକୁ ସୂଚାଇଥାଏ। କିନ୍ତୁ, ଏହାପରେ ବିମାନରୁ କୌଣସି ପ୍ରତିକ୍ରିୟା ମିଳିନଥିଲା ଏବଂ ଏହା ବିମାନବନ୍ଦର ପରିସୀମା ବାହାରେ ଏହା ଖସି ପଡ଼ିଥିଲା।
ଏୟାର ଇଣ୍ଡିଆ ଏକ ବିବୃତିରେ କହିଛି: "ଫ୍ଲାଇଟ AI-171, ଅହମଦାବାଦ-ଲଣ୍ଡନ ଗ୍ୟାଟୱିକ, ଆଜି ଏକ ଘଟଣାର ସମ୍ମୁଖିନ ହୋଇଛି। ଆମେ ଏନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରୁଛୁ ଏବଂ ଶୀଘ୍ର ଆପଡେଟ ପ୍ରଦାନ କରିବୁ।" ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଯେଉଁଥିରେ ଅଗ୍ନିଶମ ବାହିନୀ, NDRF ଏବଂ ଅନ୍ୟାନ୍ୟ ଜରୁରୀକାଳିନ ଏଜେନ୍ସି ସାମିଲ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଉଛି ବୋଲି ସୂଚନା ରିହଛି।
କେନ୍ଦ୍ରୀୟ ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏହି ଘଟଣାକୁ "ହୃଦୟବିଦାରକ" ବୋଲି କହି ସ୍ଥିତିର ନିରୀକ୍ଷଣ କରୁଥିବା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହ ଏବଂ ମନ୍ତ୍ରୀ ନାଇଡୁଙ୍କ ସହ ଆଲୋଚନା କରି ପ୍ରଭାବିତମାନଙ୍କୁ ସମସ୍ତ ସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ ବିସ୍ତୃତ ତଦନ୍ତ ଆରମ୍ଭ ହୋଇଛି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) ଏହି ଘଟଣାର ତଦନ୍ତ ପାଇଁ ଅହମଦାବାଦ ଅଭିମୁଖେ ବାହାରିଛି। ଏୟାର ଇଣ୍ଡିଆ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇଁ ଏକ ହେଲ୍ପଲାଇନ ନମ୍ବର ୧୮୦୦ ୫୬୯୧ ୪୪୪ ଜାରି କରିଛି। ଯେଉଁଥିରେ ଯୋଗାଯୋଗ କରି ଯାତ୍ରୀମାନଙ୍କ ବିଷୟରେ ସୂଚନା ପ୍ରାପ୍ତ କରିହେବ ହେବ ବୋଲି ଏୟାର ଇଣ୍ଡିଆ ଘୋଷଣା କରିଛି।
ଏହି ଦୁର୍ଘଟଣା ଭାରତୀୟ ବିମାନ ଚଳାଚଳ ଇତିହାସରେ ସବୁଠୁ ବଡ ଦୁର୍ଘଟଣା ଭାବେ ପରିଗଣିତ ହୋଇଛି। ସମଗ୍ର ଦେଶ ଏହି ଦୁଃଖଦ ଘଟଣାରେ ସ୍ତବ୍ଧ ହୋଇଯାଇଛି।