ନୂଆଦିଲ୍ଲୀ ୦୮/୦୭: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏକ ଆଶ୍ଚର୍ଯ୍ୟଚକିତ ତଥ୍ୟ ସାମ୍ନାକୁ ଆଣିଛି । ବାୟୁ ପ୍ରଦୂଷଣ ଯୁବବର୍ଗଙ୍କ ମସ୍ତିଷ୍କ ଉପରେ ଗମ୍ଭୀର ପ୍ରଭାବ ପକାଉଛି । ଏହା ଦ୍ୱାରା ଡିମେନ୍ସିଆ, ଚିନ୍ତା ଓ ଅବସାଦର ବିପଦ ବଢୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ବିଶ୍ୱରେ ପ୍ରତି ୧୦ରୁ ୯ ଜଣ ଏଭଳି ବାୟୁରେ ଶ୍ୱାସକ୍ରିୟା କରୁଛନ୍ତି, ଯାହା ସଂଗଠନ ଦ୍ୱାରା ନିର୍ଦ୍ଧାରିତ ବାୟୁ ଗୁଣବତ୍ତା ମାନକକୁ ପୂରା କରୁନାହିଁ । ଏହା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉପରେ ବଡ଼ ବିପଦ ଘନଉଛି ।
ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସ୍ୱାସ୍ଥ୍ୟ କ୍ଷେତ୍ରର ‘ହୁ’ ନିର୍ଦ୍ଦେଶକ ଡ. ମାରିଆ ନେରା ନିକଟରେ ‘ସାଇନ୍ସ ଇନ୍ ୫’ ଭିଡିଓରେ ବାୟୁ ପ୍ରଦୂଷଣର ଅଦୃଶ୍ୟ ବିପଦ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ବାୟୁ ପ୍ରଦୂଷଣ କେବଳ ଫୁସ୍ଫୁସ୍କୁ କ୍ଷତି ପହଞ୍ଚାଉଛି ତାହା ନୁହେଁ, ବରଂ ମସ୍ତିଷ୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି । ଏହା ଦ୍ୱାରା ସ୍ନାୟୁ-ଧୀସମ୍ବନ୍ଧୀୟ ବିକାର ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢୁଛି ।

ନିକଟରେ ଏ ସମ୍ପର୍କିତ ଏକ ଅଧ୍ୟୟନ ପିଏନ୍ଏଏସ୍ (ପ୍ରୋସିଡିଂସ ଅଫ୍ ଦ ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସେସ୍)ରେ ପ୍ରକାଶ ପାଇଛି । ଏହା ଦର୍ଶାଇଛି, ବାୟୁ ପ୍ରଦୂଷଣ ଯୋଗୁ ମସ୍ତିଷ୍କରେ ଫୁଲା ଓ ସଂରଚନାତ୍ମକ ପରିବର୍ତ୍ତନ ହୋଇପାରେ, ଯାହା ଡିମେନ୍ସିଆ ଓ ଅନ୍ୟ ଧୀ ସମ୍ବନ୍ଧୀୟ ବିକାର ଆଶଙ୍କା ବଢ଼ାଇପାରେ । ଅଧ୍ୟୟନରୁ ଜଣାପଡ଼ିଛି, ମେକ୍ସିକୋ ସିଟି ଭଳି ଅଧିକ ପ୍ରଦୂଷିତ ଅଞ୍ଚଳରେ ରହୁଥିବା ପିଲାଙ୍କର କମ୍ ପ୍ରଦୂଷିତ ଅଞ୍ଚଳର ପିଲାଙ୍କ ତୁଳନାରେ ମସ୍ତିଷ୍କରେ ଫୁଲା ଓ ଧୀ ସମ୍ବନ୍ଧୀୟ ବିକାର ଅଧିକ ଥିଲା । ୟୁନିସେଫ୍ର ଏକ ରିପୋର୍ଟ ‘ଡେଞ୍ଜର୍ ଇନ୍ ଦ ଏୟାର’ରେ ସ୍ପଷ୍ଟ ହୋଇଛି, ବାୟୁ ପ୍ରଦୂଷଣ ଯୋଗୁ ପିଲାଙ୍କ ମସ୍ତିଷ୍କ ବିକାଶ ଉପରେ ଦୀର୍ଘକାଳୀନ ପ୍ରଭାବ ପଡ଼ିପାରେ । ଫଳରେ ସେମାନଙ୍କ ଶିକ୍ଷଣ ସାମର୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ରିପୋର୍ଟ ଅନୁସାରେ, ବାୟୁ ପ୍ରଦୂଷଣରୁ ପିଲାଙ୍କୁ ଆସ୍ଥମା, ହୃତ୍ପିଣ୍ଡ ରୋଗ ଓ ନ୍ୟୁରୋଡେଭ୍ଲପମେଣ୍ଟାଲ ବିକାର ବିପଦ ବଢ଼େ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ପ୍ରତିରୋଧମୂଳକ ଯଥା- ଅଧିକ ଯାତାୟାତଯୁକ୍ତ କ୍ଷେତ୍ରଠୁ ଦୂରରେ ରହିବା ଏବଂ କମ୍ ପ୍ରଦୂଷିତ ସ୍ଥାନରେ ଗତିବିଧି ଯୋଜନା ଭଳି ପଦକ୍ଷେପ ନେବାକୁ ଅପିଲ କରିଛି । ବାୟୁ ଗୁଣବତ୍ତାରେ ସୁଧାର ଲାଗି ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛି । ଏଭଳି ପ୍ରୟାସ ଆର୍ଥିକ ଲାଭ ଓ ଉତ୍ତମ ସାର୍ବଜନୀନ ସ୍ୱାସ୍ଥ୍ୟ ପରିଣାମ ସହ ସଂଶ୍ଳିଷ୍ଟ । ଉଦାହରଣ ସ୍ୱରୂପ, ବାୟୁ ପ୍ରଦୂଷଣ ହ୍ରାସ ଆର୍ଥିକ ବିକାଶ ଓ ଜନସ୍ୱାସ୍ଥ୍ୟ ସୁଧାର ସହ ଜଡ଼ିତ ।