ନୂଆଦିଲ୍ଲୀ, ୨୨।୧୦: ୨୦୨୮ ଭିତରେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହେବ ଏୟାର ଟ୍ୟାକ୍ସି ସେବା । ଏୟାରଟ୍ୟାକ୍ସିର ଡିଜାଇନ ପର୍ଯ୍ୟାୟ ଶେଷ ହୋଇସାରିଛି । ଆଉ ମାତ୍ର ୨ ବର୍ଷର ଅପେକ୍ଷା ଯେ କୌଣସି ସ୍ଥାନରୁ ସିଧା ଉଡ଼ାଣ ଭରିପାରିବ ଏବଂ ଯେକୌଣସି ସ୍ଥାନରେ ଅବତରଣ କରିପାରିବ । ୩ ଘଣ୍ଟାର ସମୟ ଅତିକ୍ରମ କରିବାକୁ ଲାଗିବ ମାତ୍ର ୧୦ ମିନିଟ ପ୍ରାଥମିକ ଭାବେ କମ୍ପାନି ଏୟାର ଟ୍ୟାକ୍ସିର ୨ଟି ମଡେଲ ଉପରେ କାମ କରୁଛି ।    

ପଞ୍ଜାବର ମୋହାଲିସ୍ଥିତ ଷ୍ଟାର୍ଟଅପ ନଲୱା ଏରୋ ପକ୍ଷରୁ ଏହି ସ୍ୱଦେଶୀ ଇଭିଟଲ ଅର୍ଥାତ ଇଲେକଟ୍ରିକ ଭର୍ଟିକାଲ ଟେକ-ଅଫ ଆଣ୍ଡ ଲ୍ୟାଣ୍ଡିଂ ଏୟାର ଟ୍ୟାକ୍ସିକୁ ବିକଶିତ କରାଯାଇଛି । ଡିଜିସିଏ ଏହାକୁ ଡିଜାଇନ ଅର୍ଗାନାଇଜେସନ ଆପ୍ରୁଭାଲ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରିଛି । ନଲୱା ଏରୋର ସିଇଓ କୁଲଜିତ ସିଂହ ସାନ୍ଧୁ କହିଛନ୍ତି, କୋଭିଡ-୧୯ ସମୟରେ ଏହି ଏୟାର ଟ୍ୟାକ୍ସିର ବିଚାର ମନକୁ ଆସିଥିଲା । ଜଣେ ବନ୍ଧୁ ତାଙ୍କୁ ଏକ ଜରୁରି ମେଡିକାଲ ସ୍ଥିତି ସଂପର୍କରେ କହିଥିଲେ । ସେହି ବ୍ୟକ୍ତିଙ୍କୁ ତୁରନ୍ତ ଉଦ୍ଧାରର ଆବଶ୍ୟକତା ଥିବାବେଳେ ଆଖପାଖରେ କୌଣସି ଏୟାର ଆମ୍ବୁଲାନ୍ସ କିମ୍ବା ହେଲିପ୍ୟାଡ ଉପଲବ୍ଧ ନଥିଲା । ଏହାଦେଖି ତାଙ୍କ ମନରେ ଯେକୌଣସି ସ୍ଥାନରୁ ସିଧା ଉଡ଼ାଣ ଏବଂ ଯେକୌଣସି ସ୍ଥାନରେ ଅବତରଣ କରିପାରୁଥିବା ଭଳି ଏକ ମେସିନ ବନାଇବାର ଚିନ୍ତା ଆସିଲା । ମାସେ ମଧ୍ୟରେ ଏହାର ସବ-ସ୍କେଲ ପ୍ରୋଟୋଟାଇପ ପ୍ରସ୍ତୁତ ହୋଇଯିବ । ପ୍ରାଥମିକ ଭାବେ ଦିଲ୍ଲୀ-ଏନସିଆରରେ ପ୍ରୋଜେକ୍ଟକୁ ଶୁଭାରମ୍ଭ କରାଯିବ ।

ଇଭିଟଲରେ ୮ଟି ରୋଟର ବ୍ୟବସ୍ଥା ରହିଛି । ସେଥିମଧ୍ୟରୁ ଦୁଇଟି ରୋଟର ଫେଲ ହୋଇଗଲେ ବି ବିମାନ ଦୁର୍ଘଟଣାଗ୍ରସ୍ତ ହେବନାହିଁ । ୩ଟି ରୋଟର ବନ୍ଦ ହୋଇଗଲେ ବି ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ ସମ୍ଭବପର ହେବଖାସ ସେହି କାରଣରୁ ଏହା ପାରମ୍ପରିକ ହେଲିକପ୍ଟରଠାରୁ ମଧ୍ୟ ସୁରକ୍ଷିତ । କେବଳ ସେତିକି ନୁହେଁ, ହେଲିକପ୍ଟର ତୁଳନାରେ ଇଭିଟଲ ଟ୍ୟାକ୍ସିର ପରିଚାଳନା ଖର୍ଚ୍ଚ ୯୦ ପ୍ରତିଶତ ଶସ୍ତା । ହେଲିକପ୍ଟରରେ ଏକ ଘଣ୍ଟାର ଉଡ଼ାଣ ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଇଭିଟଲ ଏହାର ୧୦% ଅର୍ଥରେ ଉଡ଼ିପାରିବ ।

କହିରଖୁଛୁ ଯେ, ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରୁ ଆନନ୍ଦବିହାର, ନୋଏଡ଼ା, ଗାଜିଆବାଦ, ପାନିପଥ ଭଳି ସ୍ଥାନକୁ ସଡ଼କ ପଥରେ ଗଲେ ପ୍ରାୟ ୩ ଘଣ୍ଟା ସମୟ ଲାଗିଥାଏ । ଇଭିଟଲ ଏୟାର ଟ୍ୟାକ୍ସିରେ ସେହି ଯାତ୍ରା ୧୦-୧୨ ମିନିଟରେ ପୂରା ହେବ । ଆଇଜିଆଇ ବିମାନବନ୍ଦରରୁ ଆନନ୍ଦବିହାର ଯାଏ ପ୍ରାଥମିକ ଭଡ଼ା ବ୍ୟକ୍ତି ପିଛା ପ୍ରାୟ ୫୦୦ ଟଙ୍କା ରହିପାରେ । ପ୍ରଥମେ ଦିଲ୍ଲୀ, ଦିଲ୍ଲୀ ପରେ ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ସମେତ ଅନ୍ୟ ମେଟ୍ରୋ ସହରରେ ଏହି ସେବା ଉପଲବ୍ଧ ହେବ । ଏହି ଏୟାର ଟ୍ୟାକ୍ସିକୁ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ ଏବଂ ୟୁରୋପିଆନ ୟୁନିଅନ ଆଭିଏସନ ସେଫ୍ଟି ଏଜେନ୍ସିର ନିୟମାବଳୀ ପାଳନ କରି ବିକଶିତ କରାଯାଉଛି । ଏବେ ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶରେ ୱାର୍ଲଡ ଇକୋନୋମିକ ଫୋରମ ସହଭାଗିତାରେ ଇଭିଟଲ ଲାଗି ସ୍ୟାଣ୍ଡ ବକ୍ସ ଟ୍ରାଏଲ ସାଇଟ ପ୍ରସ୍ତୁତ କରାଯାଉଛି ।   

କମ୍ପାନି ପ୍ରାଥମିକ ଭାବେ ଏହି ଏୟାର ଟ୍ୟାକ୍ସିର ୨ଟି ମଡେଲ ଉପରେ କାମ କରୁଛି । ପ୍ରଥମଟି ଲିଥିୟମ ଆୟନ ବ୍ୟାଟେରି ସଞ୍ଚାଳିତ । ଏହା ଥରେ ଚାର୍ଜ ହେଲେ ୯୦ ମିନିଟ କିମ୍ବା ୩୦୦ କିମି ଯାଏ ଉଡ଼ାଣ ଭରିପାରିବ । ଦ୍ୱିତୀୟଟି ହାଇଡ୍ରୋଜେନ ଫୁଏଲ ସେଲ ମଡେଲ । ତାହାର ରେଞ୍ଜ ୮୦୦ କିମି ଯାଏ ରହିବ । ଫାଷ୍ଟ ଚାର୍ଜର ଦ୍ୱାରା ତାହାର ବ୍ୟାଟେରୀ ୫୦ ମିନିଟରେ ଚାର୍ଜ ହୋଇଯିବ । ଏହାକୁ ଯାତ୍ରୀମାନେ ସାଧାରଣ ଟ୍ୟାକ୍ସି ଭଳି ବୁକିଂ କରିପାରିବେ ।

​​​​​​​​​​​​​​