ନୂଆଦିଲ୍ଲୀ ୨୨/୦୬: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ହେରାଫେରି ୩’ ଅଧାରେ ଅଟକିଛି ।  ଫିଲ୍ମଟି ପୂରା ହୋଇପାରିବ କି ନାହିଁ ବର୍ତ୍ତମାନ କହି ହେଉନାହିଁ । ପରେଶ ରାୱଲ  ଏହି ଫିଲ୍ମରୁ ନିଜକୁ ବାହାର କରିଆଣିବା ସହିତ ଅଗ୍ରୀମ ସମସ୍ତ ପ୍ରାପ୍ୟ ସୁଧ ସହିତ  ଫେରସ୍ତ କରିଦେଇଛନ୍ତି । ଏବେ ଶୁଣିବାକୁ ମିଳିଛି ଅକ୍ଷୟଙ୍କ ଆଉ ଗୋଟିଏ ଫିଲ୍ମ  ‘ୱେଲକମ୍‌ ୩’ ଯାହା ‘ୱେଲକମ୍‌ ଟୁ ଜଙ୍ଗଲ୍‌’ ନାମରେ ରିଲିଜ୍‌ ହୋଇଥାଆନ୍ତା,  ତାହା ବି ସଂପୂର୍ଣ୍ଣ ହୋଇପାରିବ କି ନାହିଁ ସନ୍ଦେହ । କୁହାଯାଉଛି ଏଥିରେ ଅଭିନୟ କରିବାକୁ ଥିବା ଅଭିନେତା, ଅଭିନେତ୍ରୀମାନେ  ନିଜର ସମସ୍ତ ପ୍ରାପ୍ୟ ପାଇବା ପରେ ଅଭିନୟ ଜାରି ରଖିବେ  ବୋଲି କହିବାରୁ ଫିଲ୍ମଟି ସଂପୂର୍ଣ୍ଣ ହେବା ପାଇଁ ଆର୍ଥିକ ସମସ୍ୟା  ଉପୁଜିଛି ।

‘ୱେଲକମ୍‌ ୩’ର ଏକ ବଡ଼ ଅଂଶର ସୁଟିଂ ଏବେ  ବି ବାକି ଅଛି । ଶେଷଥର ପାଇଁ ଗତ ବର୍ଷ ଅଗଷ୍ଟ ମାସରେ  ଏହି ଫିଲ୍ମର କିଛି ଦୃଶ୍ୟର ସୁଟିଂ କରାଯାଇଥିଲା । କିନ୍ତୁ ତାହା  ପରଠାରୁ ଫିଲ୍ମର ପରବର୍ତ୍ତୀ ଅଂଶ କେବେ ଓ କେଉଁଠି ସୁଟ୍‌ କରାଯିବ କିଛି ନିଷ୍ପତ୍ତି ନିଆଯାଇପାରୁନି । ଏହି   ଫିଲ୍ମ ପାଇଁ ଅକ୍ଷୟ କୁମାର ୮୦ ପ୍ରତିଶତ ଅର୍ଥ ବିନିଯୋଗ କରିଥିବା ବେଳେ ବାକି ୨୦ ପ୍ରତିଶତ ଫିରୋଜ ନାଡିୱାଦୱାଲା କରିଛନ୍ତି । ରିପୋର୍ଟ ଅନୁସାରେ ଏହି ଫିଲ୍ମରେ  ଅଭିନୟ କରୁଥିବା ଅଭିନେତାମାନଙ୍କ ପ୍ରାପ୍ୟର ୧୦ ପ୍ରତିଶତ ବି ସେମାନଙ୍କୁ  ମିଳିନି । ତେଣୁ ଅଭିନେତାମାନେ  ବକେୟା ଅର୍ଥ ପାଇଁ ଦାବି କରୁଛନ୍ତି । 

‘ୱେଲକମ୍‌ ୩’ ଏକ ମଲ୍ଟିଷ୍ଟାରର୍‌  ମୁଭି । ଏଥିରେ ପ୍ରାୟ ୨୭ଜଣ  ଅଭିନେତା, ଅଭିନେତ୍ରୀ ଅଭିନୟ  କରିଥିବାରୁ ପ୍ରତ୍ୟେକଙ୍କ ପାଇଁ ସ୍କ୍ରିନ୍‌ ସ୍ପେସ୍‌ର ଅଭାବ ସମସ୍ୟା ସାଜିଛି ।  ଫିଲ୍ମଟିର ସୁଟିଂ ଅଧା ଥିବା ବେଳେ  ଅକ୍ଷୟ ‘ହାଉସଫୁଲ୍‌ ୫’ର ସୁଟିଂ   ସାରିଥିଲେ । ‘ହାଉସଫୁଲ୍‌ ୫’ ବକ୍ସ  ଅଫିସରେ ଆଶାନୁରୂପ ପ୍ରଦର୍ଶନ  କରିନି । ଏବେ ଅକ୍ଷୟ ‘ଭୂତ ବଂଗଲା’  ଏବଂ ଆଉ ଏକ ନୂଆ ପ୍ରୋଜେକ୍ଟ ପାଇଁ କାମ ଆରମ୍ଭ   କରିଦେଇଛନ୍ତି । ତେବେ ଏହି ଦୁଇଟି ଫିଲ୍ମ ପାଇଁ ଅର୍ଥ  ଏକ ବଡ଼ ସମସ୍ୟା ସାଜିଛି । ସିନେ ସମୀକ୍ଷକମାନେ  କହୁଛନ୍ତି ଅକ୍ଷୟ ଏବେ ଅଧିକ ଫିଲ୍ମ ନ କରି କେବଳ  ଅଭିନୟ ଉପରେ ଗୁରୁତ୍ୱ ଦେବା ଉଚିତ ।