ଭୁବନେଶ୍ଵର, ୧୮/୧୧ : ନଭେମ୍ଵର ୧୭... ସମାନ ତାରିଖ ହେଲେ ବର୍ଷ ଅଲଗା। ସଙ୍ଗୀତ ଜଗତ ପାଇଁ ଦୁଇଟି ଅପୂରଣୀୟ କ୍ଷତି। ୨୩ ବର୍ଷ ତଳେ ଏହି ଦିନ ଚାଲି ଯାଇଥିଲେ ଖୋକା ଭାଇ। ଆଉ ଏବେ ୟୁଥ୍ ସେନ୍ସେସନ୍ ହ୍ୟୁମାନ୍। ଅଫେରା ରାଇଜକୁ ଚାଲିଗଲେ ଦୁଇ ଦୁଇ ଜଣ ବେତାଜ୍ ବାଦଶାହା। ଓଡ଼ିଶା ସଙ୍ଗୀତ ଜଗତରେ ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ ଏହି ତାରିଖ। ୨୦୦୨ରେ ସଙ୍ଗୀତ ସମ୍ରାଟ ଖୋକା ଭାଇଙ୍କୁ ହରାଇଥିଲା ଓଡ଼ିଶା। ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ବିୟୋଗରେ ନିର୍ବାକ ହୋଇଯାଇଥିଲେ ଅଗଣିତ ଶ୍ରୋତା । ୨୩ ବର୍ଷ ପରେ ସମାନ ଦିନରେ ଚାଲିଯାଇଛନ୍ତି ହ୍ୟୁମାନ ସାଗର। ସେ ବି ପୁଣି ଜନ୍ମ ମାସରେ। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ସେ।
ଆଉ ୭ ଦିନ ପରେ ଜନ୍ମଦିନ ପାଳିଥାନ୍ତେ ହ୍ୟୁମାନ ସାଗର। ହେଲେ କିଏ ଜାଣିଥିଲା ମାତ୍ର ୩୫ ବର୍ଷ ବୟସରେ ଦୁନିଆରୁ ଚିର ବିଦାୟ ନେଇଯିବେ ଏହି ୟୁଥ୍ ସେନସେସନ୍। ୧୩ ବର୍ଷ କ୍ୟାରିଅର୍ରେ ପୂର୍ଣ୍ଣଚ୍ଛେଦ ଟାଣି ସବୁଦିନ ପାଇଁ ବିଦାୟ ନେଇଛନ୍ତି ସ୍ଵର ସାଗର। ସେ ଥିଲେ ଅକ୍ଷୟଙ୍କ ପରି ଭର୍ସାଟାଇଲ୍। ତାଙ୍କୁ କହୁଥିଲେ ଓଡ଼ିଶାର ଅରିଜିତ୍। ତାଙ୍କ ସ୍ଵରର ଦିୱାନା ଥିଲେ ସବୁ ବର୍ଗର ଶ୍ରୋତା। ପୂଜା ହେଉ କି ପାର୍ବଣ, ପ୍ରତି ସମୟରେ ଖୋଜା ପଡ଼ନ୍ତି ହ୍ୟୁମାନ୍। ଗଣେଶ ପୂଜାରୁ ନେଇ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ, ମେଲୋଡି ଓ ଷ୍ଟେଜ୍ ଶୋ’ରେ ଶୁଣିବାକୁ ହ୍ୟୁମାନ୍ଙ୍କ ଜାଦୁଗରୀ ସ୍ୱର। ତାଙ୍କୁ ଦେଖିବାକୁ ପ୍ରଶଂସକ ପାଗଳ।
ଓଡ଼ିଶା ସଙ୍ଗୀତ ଜଗତରେ ସର୍ବାଧିକ ଲୋକପ୍ରିୟ ଓ ପାରିଶ୍ରମିକ ନେଉଥିବା ସବୁଠୁ ନାମୀଦାମୀ କଳାକାର ହ୍ୟୁମାନ୍। ତାଙ୍କୁ ଷ୍ଟେଜ୍କୁ ଆଣିବା ବି କାଠିକର ପାଠ। ହେଲେ ଏବେ ଆଉ ନଜର ଆସିବେନି ସ୍ଵର ବାଦଶାହା। କାରଣ ଏ ଜଞ୍ଜାଳ ଦୁନିଆରେ ଥକିଯାଇ ଚିର ଦିନ ପାଇଁ ବିଶ୍ରାମ ନେଇଯାଇଛନ୍ତି ସେ। ଏବେ ପାର୍ବଣ ଆସିଲେ ଭାରି ମନେ ପଡ଼ିବେ ହ୍ୟୁମାନ୍।