ବ୍ରହ୍ମଗିରି, ୧୫/୦୬: ଶ୍ରୀଅଲାରନାଥ ପୀଠରେ ଅଣସର ଦର୍ଶନର ଚତୁର୍ଥ ଦିନ । ଭୋର୍‌ ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି, ଅବକାଶ,  ଅଣସର ବେଶ, ଚନ୍ଦନ ତୁଳସୀ ଲାଗି, ବହ୍ଲଭ ଓ ସର୍ବସାଧାରଣ ଦର୍ଶନ ଚାଲିଛି। ଅଲାରପୁର ଗାଁ ଭିତରୁ ପୀଠ ପର୍ଯ୍ୟନ୍ତ ଲମ୍ବାଧାଡ଼ି ଆସି ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ରଜ ସଂକ୍ରାନ୍ତି ଥିବାରୁ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଭକ୍ତ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। 

ଶନିବାର ତୃତୀୟ ଦିନ ବି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଏକସଙ୍ଗେ ରଜ ଓ  ଅଣସର ଦର୍ଶନ ପଡ଼ିଥିବାରୁ ଦ୍ୱିପ୍ରହରରେ ଆନନ୍ଦ ବଜାରରେ ପ୍ରବଳ  ଗହଳି ଦେଖିବାକୁ ମିଳିଥିଲା । ସକାଳୁ ରାତି ପର୍ଯ୍ୟନ୍ତ  ଭିଡ଼ ଜମିଥିଲା । ବିଶେଷ କରି ମଧ୍ୟାହ୍ନ ଧୂପ ପରେ ଭକ୍ତଙ୍କ ଗହଳି ବଢ଼ିଥିଲା । ପାଖାପାଖି ୪୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଅନୁମାନ କରାଯାଉଛି ।