ମାଲକାନଗିରି /ମାଥିଲି , ୬/୧୨ : ପୁରାଣ ଯୁଗର ପର୍ଶୁରାମ ନିଜ ମା’ଙ୍କୁ ହତ୍ୟା କରିଲା ପରି ଇଣ୍ଟରନେଟ ଯୁଗରେ ମଧ୍ୟ ଜଣେ ପୁଅ ନିଜ ମା‘କୁ ପିଟିପିଟି ମାରିଦେଇଥିବା ଜଣା ପଡ଼ିଛି । ମା’ସବୁବେଳେ ମଦ ପିଇ ଘରେ ବାରମ୍ବାର ବିଶୃଙ୍ଖଳା କରିବା ସହ ପରିବାର ଲୋକଙ୍କୁ ମାରପିଟ ଗାଳି ଗୁଲଜ କରିବାରୁ ସାନ ପୁଅ ନିଜ ମା‘କୁ ପିଟିପିଟି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ସାନ ପୁଅକୁ ପୁଲିସ ହତ୍ୟା ମାମଲାରେ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି । ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ସ୍ଥ ବଡାଗୁଡା ଆଦିବାସୀ ଗାଁରେ।

ସୂଚନା ଅନୁସାରେ, ଗାଁର ଦାନେ ଭୂମିଆ(୫୦) ପ୍ରତିଦିନ ମଦ ପିଇ ଘରକୁ ଆସି ବିଶୃଙ୍ଖଳା ସୃଷ୍ଟି କରିଥାଏ । ଖାଇବା ଡେରି ହେଲେ ଘରର ଆସବାବପତ୍ର ଫିଙ୍ଗାଫିଙ୍ଗି କରିଥାଏ । ବାଧା ଦେଲେ ପରିବାର ଲୋକଙ୍କୁ ମାଡ଼ ଗାଳି ଦେଇଥାଏ । ତାଙ୍କର ଦୁଇ ପୁଅ ଅନ୍ୟମାନେ ମଦ ନ ପିଇବାକୁ ବାରଣ କଲେ ମଧ୍ୟ ମା’ ଦାନେ କିଛି ଶୁଣି ନ ଥାଏ । ସବୁ ଦିନ ପରି ଆଜି ମଧ୍ୟ ଦାନେ ମଦ୍ୟପାନ କରି ଘରକୁ ଆସି ସମସ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ସାନ ପୁଅ ମତିସିଂହ ଭୂମିଆ(୨୨)ମା‘କୁ ମଦ ପିଇ ଗାଳି ନ କରିବା ପାଇଁ ବାରମ୍ବାର ବାରଣ କରିବା ସତ୍ୱେ ମଧ୍ୟ ମା’ ଦାନେ ଭୂମିଆ ପୁଅର କଥାକୁ ନ ମାନି ମଦ ପିଇବା ବନ୍ଦ କରିଲା ନାହିଁ।

ପୁଅର କଥାକୁ ନ ମାନି ପ୍ରତିଦିନ ପରି ଆଜି ମଧ୍ୟ ମଦ ପିଇ ଘରକୁ ଆସିଥିଲା। ଘରକୁ ଆସିବା ପରେ ଘରେ ବିଶୃଙ୍ଖଳା କରିବାରୁ ମା‘ ପୁଅଙ୍କ ମଧ୍ୟରେ ଅନେକ ସମୟ ଧରି ବଚସା ହୋଇଥିଲା । ସାନ ପୁଅ ମତିସିଂହ ଉକ୍ଷିପ୍ତ ହୋଇ ଘରେ ଥିବା ଏକ ଠେଙ୍ଗାରେ ମୁଣ୍ଡକୁ ପିଟି ଦେବାରୁ ରକ୍ତାକ୍ତ ହୋଇ ଦାନେର ମୁଣ୍ଡ ଫାଟି ସେ ତଳେ ପଡ଼ିଯାଇ ଥିଲା । କିନ୍ତୁ ପୁଅ ପିଟିବା ସମୟରେ ମା‘ ର ଜୀବନ ଚାଲି ଯାଇଥିଲା। ମାଥିଲି ଥାନା ଅଧିକାରିଣୀ ଦୀପଞ୍ଜଳି ପ୍ରଧାନ ଖବରପାଇ ପରେ ଘଟଣାସ୍ଥଳରେ ମୃତଦେହ ଜବତ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସାନ ପୁଅ ମତିସିଂହ ଭୂମିଆକୁ ଗିରଫ କରି ଥାନାକୁ ନେଇ ତଦନ୍ତ ଚଲାଇଛନ୍ତି। ପୋଲିସ ଶବ ଜବତ କରିବା ପରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ମାଥିଲି ଥାନା ଅଧିକାରିଣୀ ଦୀପଞ୍ଜଳି ପ୍ରଧାନ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି।